ଚାଷୀଙ୍କୁ ନେଇ ରାଜନୀତି । ବରଗଡ଼ରେ ‘ପିଏମ କିଷାନ’କୁ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନା, ଦିଲ୍ଲୀରେ ଉତ୍ତର ରଖିଲେ ଧର୍ମେନ୍ଦ୍ର ।

83

କନକ ବ୍ୟୁରୋ: ବରଗଡ଼ କାଳିଆ ଚାଷୀ ସମାବେଶରେ ପିଏମ କିଷାନ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ଧର୍ମେନ୍ଦ୍ର କହିଛନ୍ତି ଯେ, ‘ପିଏମ କିଷାନ’ ଯୋଜନାର ଗାଇଡଲାଇନ ଆଧାରରେ ଓଡିଶାର ସବୁ ଯୋଗ୍ୟ ହିତାଧିକାରୀ ତାଲିକା ଏକା ସଙ୍ଗେ ନଦେଇ ପ୍ରଥମ, ଦ୍ୱିତୀୟ କିସ୍ତି ଡ୍ରାମାରୁ ବିରତ ରୁହନ୍ତୁ ରାଜ୍ୟ ସରକାର । ତୁରନ୍ତ ରାଜ୍ୟ ସରକାର କେନ୍ଦ୍ରକୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରଦାନ କରନ୍ତୁ ଯାହାଦ୍ୱାରା କେନ୍ଦ୍ର ସରକାର ଓଡ଼ିଆ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇପାରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ମୁଖ୍ୟମନ୍ତ୍ରୀ ବରଗଡ଼ ଚାଷୀ ସମାବେଶରେ ଦେଇଥିବା ମନ୍ତବ୍ୟ ଉପରେ ଧର୍ମେନ୍ଦ୍ର କହିଛନ୍ତି ଯେ, ୧୯ ବର୍ଷର ସ୍ଥିର ସରକାର ସତ୍ତ୍ୱେ ରାଜ୍ୟର ଚାଷୀମାନଙ୍କର ବିକାଶ କରିବାରେ ବିଫଳ ହୋଇଛି ବିଜେଡି ସରକାର । ଏପରିକି ରାଜ୍ୟର ଚାଷୀକୂଳକୁ ବୋକା ବନାଇବାର ଚକ୍ରାନ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଅଭିଯୋଗ ଆଣିଛନ୍ତି  ଧର୍ମେନ୍ଦ୍ର । ଏପରିକି ବରଗଡରେ କାଳିଆ ଯୋଜନାରେ ଲୋକଦେଖାଣିଆ ଟଙ୍କା ବାଣ୍ଟିବାର ଡ୍ରାମା କରୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ତାଲିକା ଦେବାନେଇ ଅନିଶ୍ଚିତତା ଦେଖାଇବା ପରେ ଏବେ ଜନମତର ଚାପରେ ତାଲିକା ଦେବାକୁ ବାଧ୍ୟ ବାଧକତା ପରିସ୍ଥିତି ସୃଷ୍ଟି ହୋଇଛି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଚାଷୀ ସମାବେଶରେ ଯୋଗଦେଇ ପୁଣି ଥରେ କେନ୍ଦ୍ର ସରକାରଙ୍କ ଟାର୍ଗେଟ କରି କହିଥିଲେ ଯେ, ‘ପିଏମ କିଷାନ’ ଯୋଜନାରେ କିଛି ସୁବିଧା ନାହିଁ ଏବଂ କେନ୍ଦ୍ର ସରକାର ଚାଷୀଙ୍କୁ ବାର୍ଷିକ ୬ ହଜାର ନୁହେଁ ୧୦ ହଜାର ଟଙ୍କା ଦିଅନ୍ତୁ । ପିଏମ କିଷାନ ଯୋଜନାରେ କ୍ଷୂଦ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କୁ ସାମିଲ କରିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ବୋଲି କହିଛନ୍ତି ନବୀନ । ଏହାସହ କିଷାନ ଯୋଜନଠାରୁ କାଳିଆ ଯୋଜନା ଭଲ ବୋଲି ପୁଣିଥରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।