‘କାଳିଆ ଛାତ୍ରବୃତ୍ତି’ ନେଇ କଳି ! ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା, ଜବାବ ରଖିଲେ ଅର୍ଥମନ୍ତ୍ରୀ ।

216

କନକ ବ୍ୟୁରେ: ପୁଣି ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା । ‘କାଳିଆ ଛାତ୍ରବୃତ୍ତି’ ଯୋଜନା ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା । ରାଜ୍ୟର ସଂଖ୍ୟାଧିକ ଚାଷୀ ତଥା ଓବିସି ପରିବାରକୁ ଧୋକା ଦେବାର ‘କାଳିଆ ଛାତ୍ରବୃତ୍ତି’ ଯୋଜନା ଏକ ନିର୍ବାଚନୀ ଧୂଆଁବାଣ କହି ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

ଏପରିକି ଧର୍ମେନ୍ଦ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଗୃହିତ ସାଧାରଣ ବର୍ଗର ଆର୍ଥିକ ପଛୁଆ ପରିବାର ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟରେ ଲାଗୁ କରିବା ପାଇଁ ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ରବୃତ୍ତିର ଶୁଭାରମ୍ଭ କରିବା ସମୟରେ ରାଜ୍ୟର ଚାଷୀ ତଥା ଓବିସି ପରିବାରର ପିଲାମାନଙ୍କୁ ଭଣ୍ଡାଇବା ପାଇଁ ବଡ଼ ସ୍ୱପ୍ନ ଦେଖାଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର । ଶହେ ମୂଷା ଖାଇ ବିଲେଇର ହଜ୍ ଯାତ୍ରାର ଢଗ ଢମାଳି ପରି ମୁଖ୍ୟମନ୍ତ୍ରୀ ଚାଷୀ ପରିବାରର ପିଲାମାନଙ୍କୁ ‘କାଳିଆ ଛାତ୍ରବୃତ୍ତି’ ମାଧ୍ୟମରେ ଚାକିରୀ କରିବା ପାଇଁ ସୁଯୋଗ ସୃଷ୍ଟିର ସୁନେଲୀ ସ୍ୱପ୍ନ ସଦୃଶ କହି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର ।

Naveen and dharmendra pradhanସେପଟେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ନେଇ ପାଲଟା ଜବାବ ରଖିଛନ୍ତି । ଶଶି କହିଛନ୍ତି ଯେ, ‘କାଳିଆ’ ଯୋଜନା ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ପୂର୍ବରୁ ସମାଲୋଚନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୃଷକ ହୁଅନ୍ତୁ ଅଥବା ମହିଳା, ଯେଉଁ କ୍ଷେତ୍ରରେ ବିଜେଡି ସରକାର ଯୋଜନା ଆରମ୍ଭ କରିବେ ଧର୍ମେନ୍ଦ୍ର ବାବୁଙ୍କୁ ସେଥିରେ ଖରାପ ହିଁ ଦେଖାଯାଇଛି । ତେଣୁ ଏଭଳି ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ନଦେଲେ ଉଚିତ ହେବ ବୋଲି କହି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ପରିହାସ କରିଦେଇଛନ୍ତି ଅର୍ଥମନ୍ତ୍ରୀ ।