ନେପାଳ ବସ୍ ଦୁର୍ଘଟଣାରେ ୨ ଓଡିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟଣା: ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

154

କନକ ବ୍ୟୁରୋ: ନେପାଳରେ ତୀର୍ଥ ଯାତ୍ରୀ ବସ୍ ଓଲଟି ୨ ଓଡିଆଙ୍କ ମୃତ୍ୟୁ ହେବା ଘଟଣାରେ ବୈଦେଶିକ ମନ୍ତ୍ରୀ ସୁଭ୍ରମଣ୍ୟମ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ଧର୍ମେନ୍ଦ୍ର ବସ ଦୁର୍ଘଟଣାରେ ଶିକାର ହୋଇ ପ୍ରାଣ ହରାଇଥିବା ଦୁଇ ଓଡିଆ ତୀର୍ଥ ଯାତ୍ରୀ ତଥା ବିଜୟ କୁମାର ଜେନା ଏବଂ ଚରଣ ବିଶ୍ୱାଳଙ୍କର ମୃତଦେହକୁ ପୋଷ୍ଟମର୍ଟମ ଏବଂ ଓଡିଶା ଆଣିବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି । ଏଥି ସହିତ ହିଁ ଦୁର୍ଘଟଣାରେ ଆହତଙ୍କୁ ସହାୟତା ପହଂଚାଇବାକୁ ମଧ୍ୟ ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।

 

ନେପାଳରେ ଓଲଟିଲା ତୀର୍ଥଯାତ୍ରୀ ବସ । ଦୁର୍ଘଟଣାରେ ଓଡିଶାର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ମୃତକ ହେଲେ ଖୋର୍ଦ୍ଧା ମଳିପଡ଼ା ଜଙ୍କିଆର ଚରଣ ବିଶ୍ୱାଳ ଥିବା ବେଳେ ଅନ୍ୟ ଜଣେ ଡ଼େଲାଙ୍ଗ ଯମୁନା ଗାଁର ବିଜୟ ଜେନା । ନେପାଳର କାଠମାଣ୍ଡୁରୁ ଜୟନଗର ଫେରୁଥିବା ବେଳେ ବସଟି ଦୁର୍ଘଟଣା ଘଟିଛି । ଭାରତ ନେପାଳ ସୀମା ଜୟନଗରରେ ନିକଟରେ ଓଲଟି ପଡ଼ିଥିଲା ବସ୍ । ଦୁର୍ଘଟଣା ଗସ୍ତ ବସରେ ମୋଟ ୬୦ ଜଣ ଓଡିଆ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ପୁରୀ ଖୋର୍ଦ୍ଧା ଅଂଚଳର ।