ଓଡ଼ିଶାରୁ ଶାହା ବୁଝାଇଲେ ‘ସିଏଏ’ର ଅର୍ଥ । କହିଲେ, ଏହି ନିୟମ କାହାର ନାଗରିକତା ଛିନ୍ନ କରିବାକୁ ନୁହେଁ ନାଗରିକତା ଦେବାକୁ ହୋଇଛି ।

354

କନକ ବ୍ୟୁରୋ: ଭୁବନେଶ୍ୱର ଜନତା ମୈଦାନରେ ଅମିତ ଶାହାଙ୍କ ସିଏଏ ସମର୍ଥନ ସଭା । ସିଏଏ କ’ଣ ? ଆଉ ଏହି ଆଇନ ଦ୍ୱାରା କ’ଣ କିଏ ପ୍ରକୃତରେ ଉପକୃତ ହେବ ତାହା ବୁଝାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି କି, ମୁଁ ଦୃଢ଼ତା ସହ କହୁଛି, ସିଏଏ ଯୋଗୁ ଜଣେ ବି ମୁସଲମାନ ଭାଇ-ଭଉଣୀଙ୍କ ନାଗରିକତା ଯିବନାହିଁ । ଏପରିକି ଏହି ନିୟମ କାହାର ନାଗରିକତା ଛିନ୍ନ ପାଇଁ ନୁହେଁ ବରଂ ନାଗରିକତା ଦେବା ପାଇଁ ହୋଇଛି । ସିଏଏ କୌଣସି ସଂଖ୍ୟାଲଘୁଙ୍କ ନାଗରିକତା ଛିନ୍ନ କରିବ ନାହିଁ ।

ସେହିପରି ଦେଶରେ ଜଳୁଥିବା ନାଗରିକତା ନିଆଁ ପାଇଁ କିଛି ଖଳପ୍ରକୃତିର ଗୋଷ୍ଠୀ ହିଁ ଦାୟୀ । ଆଉ ପରୋକ୍ଷରେ କଂଗ୍ରେସ ଦଳକୁ ନିଶାନା କରି କହିଛନ୍ତି କି, କଂଗ୍ରେସ ୨୭ ଜାଗାରେ ସିଏଏ ଆଇନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପାଳନ କରିନାହାନ୍ତି । ଏବେ ବିରୋଧ କରୁଛି ଦେଶବାସୀଙ୍କୁ ଭ୍ରମିତ କରୁଛି ତେଣୁ କଂଗ୍ରେସର ଏହି ଭ୍ରାନ୍ତିରୁ ଦେଶବାସୀ ବାହାରକୁ ଆସନ୍ତୁ । କଂଗ୍ରେସକୁ ଚ୍ୟାଲେଞ୍ଜ ଦେଇ ଶାହା କହିଛନ୍ତି , ତମର ୫୫ ବର୍ଷ ଆମର ୫ ବର୍ଷ, ହିସାବ କର ଆମ କାର୍ଯ୍ୟ ଯୋଜନା ତମ ଉପରେ ଭାରି ପଡ଼ିବ ।

ଓଡ଼ିଶାକୁ ନେଇ ଶାହା କହିଛନ୍ତି କି, ବିଗତ ୫ ବର୍ଷରେ ଯେତେଥର ମୁଁ ଓଡ଼ିଶା ଆସିଛି, ଓଡ଼ିଶା ମୋର ଦ୍ୱିତୀୟ ଘର ଭାବେ ଅନୁଭବ ହୁଏ । କାରଣ ଉଭୟ ଗୁଜୁରାଟ ଓ ଓଡ଼ିଶା ଉପରେ ଜଗତର ନାଥ ଜଗନ୍ନାଥଙ୍କ କୃପା ରହିଛି । ଆଉ ଓଡ଼ିଶା ମାଟି ପାଇକ ସଂଗ୍ରାମୀଙ୍କ ମାଟି । କାରଣ ବକ୍ସି ଜଗବନ୍ଧୁଙ୍କ ପରି ଅନେକ ମହାପୁରୁଷ ଏହି ମାଟିରେ ଜନ୍ମ ନେଇଛନ୍ତି । ଓଡ଼ିଶା ସବୁବେଳେ ଦେଶର ବିକାଶରେ ଏକ ପ୍ରମୁଖ ଭୂମିକା ବହନ କରିଛି ।

ଅନ୍ୟପଟେ ରାଜନୈତିକ ପ୍ରସଙ୍ଗ ଉଠାଇଛନ୍ତି ଶାହା । ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ଓଡ଼ିଶା ଆସିଛି । ହାତଯୋଡି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଉଛି କାରଣ, ୮ଟି ଆସନରେ ବିଜୟୀ କରି ଆମ ହାତମୁଠାକୁ ଟାଣ କରି ଓଡ଼ିଶାବାସୀ ଆମକୁ ଶକ୍ତିଶାଳୀ କରିଛନ୍ତି । ଆଉ ଗୋଟିଏ ଡିଆଁ ବାକି ଅଛି , ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ଓଡ଼ିଶା ଲୋକ ରାଜ୍ୟରେ ନବୀନ ବାବୁଙ୍କ ସମର୍ଥନରେ ଜନମତ ଦେଇଛନ୍ତି ଏହାକୁ ମୁଁ ଏହାକୁ ସ୍ୱୀକାର କରୁଛି ।

ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଛି କେନ୍ଦ୍ର ଦେଉଥିବା ଅନୁଦାନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରନ୍ତୁ । କାରଣ ୨୦୧୯-୨୪ଭିତରେ ମୋଦି ସରକାର ଓଡ଼ିଶାକୁ ୨ଲକ୍ଷ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଆଉ ଲକ୍ଷ୍ୟ ରହିଛି ୨୦୨୪ପୂର୍ବରୁ ସବୁ ଓଡ଼ିଆମାନଙ୍କୁ ନଳ ମାଧ୍ୟମରେ ପିଇବା ପାଣି ଯୋଗାଇ ଦିଆଯିବ । ଅଳ୍ପ ଦିନ ଭିତରେ ଭବ୍ୟ ରାମମନ୍ଦିର ଅଯୋଧ୍ୟାରେ ତିଆରି ହେବ, ୨୦୨୪ସୁଦ୍ଧା ମୋଦି ଦେଶକୁ ୫ ଟ୍ରିଲିୟନ ଅର୍ଥନୀତି କରିବାକୁ ପ୍ରୟାସ କରୁଛନ୍ତି ।