ଏପ୍ରିଲ ୧୪ ପରେ ଆହୁରି ବଢିପାରେ ଲକଡାଉନ ଅବଧି । ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀଙ୍କ ସଂକେତ, ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି ।

3,307

କନକ ବ୍ୟୁରୋ : ଆସନ୍ତା ୧୪ ତାରିଖ ପରେ ବି ବଢିପାରେ ତାଲାବନ୍ଦ ଅବଧି । ଆଜି ବିଭିନ୍ନ ରାଜନୈତିକ ଦଳର ସଂସଦୀୟ ଦଳ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିବାବେଳେ କିଛି ଏଭଳି ସଙ୍କେତ ଦେଇଛନ୍ତି । ବିଭିନ୍ନ ରାଜନୈତିକ ଦଳର ନେତା ତାଲାବନ୍ଦ ଅବଧି ବୃଦ୍ଧି କରିବା ସପକ୍ଷରେ ନିଜ ମତ ଦେଇଥିଲେ ଏବଂ ଅନୁରୋଧ ମଧ୍ୟ କରିଥିବା ଜଣାପଡିଛି । ଏସବୁ ଭିତରେ ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଚିନ୍ତା ସୃଷ୍ଟି କଲାଭଳି ପରିସ୍ଥିତିରେ ପହଁଚିଛି । ଗତ ୨୪ ଘଂଟା ଭିତରେ ଦେଶରେ ୭୭୩ଜଣ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଆଉ ମୃତ୍ୟୁ ସଂଖ୍ୟା ୧୪୯ରେ ପହଁଚିଛି । ଏଣୁ ଏଭଳି ସ୍ଥିତିରେ ଲକଡାଉନ ଅବଧି ବଢିବା ନେଇ ଅନୁମାନ କରାଯାଉଛି । ଏନେଇ ଆସନ୍ତା ୧୧ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୭୭୩ଜଣ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଲକଡାଉନ ଅବଧି ବଢିବାର ସମ୍ଭାବନା ଆହୁରୀ ବଢିଯାଇଛି । ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବର୍ତମାନ ସରକାରଙ୍କ ଆଗରେ ଏହାହିଁ ଏକମାତ୍ର ବାଟ ବୋଲି କୁହାଯାଉଛି ।  ରାଷ୍ଟ୍ରପତି, ବିରୋଧୀ ଦଳର ନେତା ଓ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା ପରେ ସଂସଦରେ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭା ଓ ରାଜ୍ୟସଭାକୁ ମିଶାଇ ୫ ଜଣରୁ ଅଧିକ ସଦସ୍ୟ ଥିବା ପାର୍ଟିର ସଂସଦୀୟ ଦଳ ନେତାମାନଙ୍କ ସହ ମୋଦି ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି କରୋନା ମୁକାବିଲାର ବିଭିନ୍ନ ଦିଗ ବାବଦରେ ପଚାରି ବୁଝିଛନ୍ତି ।

ମାର୍ଚ୍ଚ ୨୫ ତାରିଖରେ ୨୧ ଦିନିଆ ଲକଡାଉନ ପାଇଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ସାରା ଦେଶରେ ତାଲାବନ୍ଦକୁ ୧୫ ଦିନ ବିତି ଯାଇଥିବାବେଳେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ମୋଦିଙ୍କ ଆଲୋଚନାକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଦେଶରେ ତାଲାବନ୍ଦର ଅବଧି ଦୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି । ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ମିଳିତ ପ୍ରୟାସ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ସେଥିପାଇଁ ବିରୋଧୀଙ୍କୁ ବିଶ୍ୱାସକୁ ନେଇ ଆଗାମୀ ପଦକ୍ଷେପ ସ୍ଥିର କରିବାକୁ ଚାହୁଁଛନ୍ତି । କାରଣ ତାଲାବନ୍ଦ ଫଳରେ ବେରୋଜଗାର ବୃଦ୍ଧି ଏବଂ କରୋନା କନସୋଲିଡେଟେଡ ଫଣ୍ଡ ପାଇଁ ସାଂସଦ ପାଣ୍ଠିକୁ ବାତିଲ ନିଷ୍ପତି ବିରୋଧରେ ଅସନ୍ତୋଷ ଜାହିର କରିସାରିଛି କଂଗ୍ରେସ । ତେଣୁ ସରକାର ୧୪ ତାରିଖ ପରେ ଲକଡାଉନ ଅବଧିକୁ ବୃଦ୍ଧି କଲେ ମଧ୍ୟ ବିରୋଧୀଙ୍କ ସମ୍ମତିରେ କରିବାକୁ ଚାହୁଁଛନ୍ତି ।

କୁହାଯାଉଛି ଏପ୍ରିଲ ୧୪ ପରେ ମଧ୍ୟ ଦେଶରେ ଲକଡାଉନ ଜାରି ରଖିବାକୁ ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ବର୍ତମାନ ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଏକମାତ୍ର ଉପାୟ ବୋଲି ବିଚାର କରାଯାଉଛିି । ତେଣୁ ପର୍ଯ୍ୟାୟ କ୍ରମେ ଦେଶରୁ ଉଠିପାରେ ଲକଡାଉନ୍ । ଏହାରି ଭିତରେ କେମିତି ହଟିବ ତାଲାବନ୍ଦ, ତାକୁ ନେଇ କେରଳର ଏକ ୧୭ ଜଣିଆ ବିଶେଷଜ୍ଞ କମିଟି ପ୍ରସ୍ତାବ ଦେଇଛି । ମୁଖ୍ୟମନ୍ତ୍ରୀ ପନିରାୟୀ ବିଜୟନ ଏହାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବେ ବୋଲି କହିଛନ୍ତି । ଏହି ପ୍ରସ୍ତାବ ଅନୁସାରେ ତିନିଟି ପର୍ଯ୍ୟାୟରେ ହଟାଯାଇ ପରିବ ଲକଡାଉନ୍ ।
ପ୍ରଥମ ପର୍ଯ୍ୟାୟ
– ଏପ୍ରିଲ ୭ ତାରିଖ ପରେ ଯେଉଁ ଜିଲ୍ଲାରେ ଗୋଟିଏ ବି କରୋନ ଆକ୍ରାନ୍ତ ମାମଲା ଆସିନଥିବ
– ଘରେ ସଂଗରୋଧରେ ୧୦ ପ୍ରତିଶତରୁ ଅଧିକ କରୋନା ସଂକ୍ରମିତ ନଥିବେ
– ଏପ୍ରିଲ ୭ରୁ ୧୫ ତାରିଖ ଭିତରେ କୌଣସି ହଟସ୍ପଟ ଚିହ୍ନଟ ହୋଇନଥିଲେ ସେହି ଜିଲ୍ଲାରେ ତାଲାବନ୍ଦ ହଟିବ
ଦ୍ୱିତୀୟ ପର୍ଯ୍ୟାୟ
– ୧୫ ଦିନ ମଧ୍ୟରେ କୌଣସି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ଏହି ପର୍ଯ୍ୟାୟରେ ତାଲାବନ୍ଦ ହଟିବ
– ଏହି ପର୍ଯ୍ୟାୟରେ ବସ, ଅଟୋ, ଟ୍ୟାକ୍ସି ଆଦିର ନିୟନ୍ତ୍ରିତ ଚଳାଚଳ ପାଇଁ ଅନୁମତି ଦେବା ସହିତ ଏମଜିନରେଗା କାମ ଆରମ୍ଭ କରାଯାଇ ପରେ
ତୃତୀୟ ପର୍ଯ୍ୟାୟ
– ୧୫ ଦିନରେ କୌଣସି ନୂଆ ମାମଲା ନଆସିବା ସହିତ ୫ ପ୍ରତିଶତରୁ କମ୍ ସଂଗରୋଧରେ ରହିଥିବେ
– ଏହି ସମୟରେ ଜିଲ୍ଲା-ଜିଲ୍ଲା ମଧ୍ୟରେ ବସ ଚଳାଚଳ ଓ ଜରୁରୀ ସାମଗ୍ରୀ ପରିବହନ ପାଇଁ ଘରୋଇ ବିମାନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯିବ