ରାଜନାଥଙ୍କ ରଣହୁଙ୍କାର ! କହିଲେ, ଏବେ ପାକିସ୍ତାନ ସହ କେବଳ ପିଓକେ ପ୍ରସଙ୍ଗରେ ହେବ କଥାବାର୍ତ୍ତା

683

କନକ ବ୍ୟୁରୋ: କଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ଏକ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ୩୭୦ ଧାରା ଉଛେଦ ପରେ ପାକିସ୍ତାନରେ ହତାଶା ଛାଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ପିଓକେ ପ୍ରସଙ୍ଗ ଉଠାଇଛନ୍ତି । କଶ୍ମୀର ପ୍ରସଙ୍ଗରେ ଭାରତ ଏକପାଖିଆ ନିଷ୍ପତି ନେଇପାରିବ ନାହିଁ ବୋଲି ପାକିସ୍ତାନ କହିବୁଲୁଥିବା ବେଳେ ରାଜନାଥ ସିଂ କହିଛନ୍ତି, ଏବେ ଜମ୍ମୁକଶ୍ମୀର ନୁହେଁ, ଯଦି ଚର୍ଚ୍ଚା ହେବ କେବଳ ପିଓକେ ପ୍ରସଙ୍ଗରେ ଚର୍ଚ୍ଚା ହେବ ।

ଅର୍ଥାତ୍ ଏବେ ପାକ ଅଧିକୃତ କଶ୍ମୀର ଉପରେ ନିଜ ହକ୍ ଜାହିର କରିବ ଭାରତ । ପିଓକେକୁ ନେଇ ଭାରତ ଏହି ଆଭିମୁଖ୍ୟ ରଖି କୁଟନୈତିକ ସ୍ତରରେ ଆଗକୁ ଯିବ ବୋଲି ଚର୍ଚ୍ଚା ହୋଇଛି । ପୂର୍ବରୁ ପରମାଣୁ କ୍ଷମତା ସଂପନ୍ନ ଦେଶ ଭାବେ ଭାରତ କୌଣସି ଦେଶ ଉପରେ ପ୍ରଥମେ ଆକ୍ରମଣ ନକରିବା ନୀତିର ପୁନର୍ବିଚାର କରାଯାଇପାରେ ବୋଲି କହି ପାକିସ୍ତାନକୁ କଡା ଚେତାବନୀ ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ।

ସେପଟେ କଶ୍ମୀର ପ୍ରସଙ୍ଗରେ ଗତକାଲି ମିଳିତ ଜାତିସଂଘରେ କାଶ୍ମୀର ପ୍ରସଙ୍ଗକୁ ନେଇ ଚୀନ୍ ଓ ପାକିସ୍ତାନକୁ ଝଟକା । ଭାରତର ସମର୍ଥନରେ ଋଷ ବାହାରିବା ପରେ ଜାତିସଂଘରେ ଫେଲ୍ ମାରିଛି ଡ୍ରାଗନର ଚାଲ୍ । ଏଥି ସହିତ କାଶ୍ମୀରକୁ ନେଇ ଭାରତ ବିରୋଧରେ ଚୀନ୍ ଓ ପାକିସ୍ତାନର ମିଳିତ ଷଡଯନ୍ତ୍ର ପୁଣି ଥରେ ବିଫଳ ହୋଇଛି । ଜାତିସଂଘରେ ଭାରତ କାଶ୍ମୀର ମାମଲାକୁ ଦ୍ୱିପାକ୍ଷିକ ମାମଲା କହିବା ସହିତ ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ମନା କରିଦେଇଛି ।