ବିଜେପି ଫୋକସରେ ଚାଷ ଓ ଚାଷୀ । କୃଷିର ବିକାଶ ପାଇଁ ଅର୍ଥମନ୍ତ୍ରୀଙ୍କ ୧୬ ସୂତ୍ରୀ ଯୋଜନା, ଚାଷୀଙ୍କ ଆୟ ଦୁଇ ଗୁଣା କରିବା ଲକ୍ଷ୍ୟ, କୃଷି ଉଡାଣ ଯୋଜନାର ହେବ ଆରମ୍ଭ ।

237

କନକ ବ୍ୟୁରୋ : ୨୦୨୦-୨୦୨୧ ଆର୍ଥିକ ବର୍ଷରେ କୃଷିକ୍ଷେତ୍ରକୁ ବିକଶିତ କରିବା ସହ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଗାଁ, ଗରିବ ଓ ଚାଷୀଙ୍କ ଉପରେ ଫୋକସ ରଖି ଚାଷୀଙ୍କ ପାଇଁ ୧୬ ସୂତ୍ରୀ ଯୋଜନା ଜାରି କରିଛନ୍ତି କେନ୍ଦ୍ର ସରକାର । ଏହାସହ ଯୋଜନାୱାରୀ କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟୟ ଅଟକଳ ପ୍ରସ୍ତାବ ଆଣିଛନ୍ତି ।

କୃଷିର ବିକାଶ ପାଇଁ ୧୬ସୂତ୍ରୀ ଯୋଜନା । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ । କୃଷିର ଉନ୍ନତି ପାଇଁ ଜଳସେଚନ ଠାରୁ ଆରମ୍ଭ କରି ପରିବହନ ପର୍ଯ୍ୟନ୍ତ । ଉତ୍ପାଦନ ଠାରୁ ଆରମ୍ଭ କରି ମାର୍କେଟ ବ୍ୟବସ୍ଥା ପର୍ଯ୍ୟନ୍ତ ଏକ ଦୀର୍ଘ ମିଆଦୀ ଯୋଜନା ନେଇ ବଜେଟରେ ଘୋଷଣା କରାଯାଇଛି । କୃଷି ଋଣ ବାବଦରେ ୧୫ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି କେନ୍ଦ୍ର ସରକାର ।

୨୦ଲକ୍ଷ ଚାଷୀଙ୍କୁ ସୌର ପମ୍ପ ସହ ୧୫ଲକ୍ଷ ଚାଷୀଙ୍କୁ ସୌର ଶକ୍ତିରେ ଜଳସେଚନ ସୁବିଧା ପ୍ରଦାନ କରିବା ପାଇଁ ହୋଇଛି ବ୍ୟୟ ଅଟକଳ । କିଷାନ ଏକ୍ସପ୍ରେସ ଜରିଆରେ ରେଳ ଯୋଗେ କୃଷି ଉତ୍ପାଦନ ସାମଗ୍ରୀ ପରିବହନ ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଆନ୍ତର୍ଜାତୀୟ ବଜାରରେ କୃଷି ସାମଗ୍ରୀ ପହଞ୍ଚାଇବା ପାଇଁ କୃଷି ଉଡାନ ଯୋଜନା ଘୋଷଣା ହୋଇଛି । ଏହା ସହ ରାଜ୍ୟ ସରକାର ମାନେ ଜମି ଲିଜ ଭଳି ଆଇନରେ ସଂଶୋଧନ ଆଣି କୃଷକଙ୍କ ବିକାଶ ଧାରାକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର ।

ସେପଟେ ରାଜସ୍ୱ ବୃଦ୍ଧି ଓ ଅର୍ଥ ପ୍ରବାହକୁ ଆହୁରି କ୍ରିୟାଶୀଳ କରିବା ପାଇଁ ଅର୍ଥମନ୍ତ୍ରୀ ୨୦୨୦-୨୦୨୧ ବଜେଟରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ବିଦ୍ୟୁତ ବିଭାଗରେ ବଡ ସଂସ୍କାର ସହ ଘରେ ଘରେ ପ୍ରିପେଡ ମିଟର ଲଗାଇବାକୁ ଚଳିତ ବଜେଟରେ ଘୋଷଣା କରାଯାଇଛି । ବ୍ୟାଙ୍କରେ ଜମା ଉପରେ ବୀମା ରାଶି ୧ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି ପାଇଛି । ସବୁ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାକୁ ମେଡିକାଲ କଲେଜ କରିବା ପାଇଁ ହୋଇଛି ଘୋଷଣା । ଶିକ୍ଷା କ୍ଷେତ୍ରରେ ଏଫଡିଆଇକୁ ଅନୁମତି ମିଳିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

୨୦୨୪ ସୁଦ୍ଧା ୧୦୦ଟି ନୂଆ ବିମାନବନ୍ଦର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ପ୍ରତିରକ୍ଷାକୁ ଗୁରୁତ୍ୱ ଦେଇ ୩.୩୭ଲକ୍ଷ କୋଟିର ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ଏସବୁ ଭିତରେ ଏଲଆଇସି ଓ ଆଇଡିବିଆଇ ବ୍ୟାଙ୍କରୁ କେନ୍ଦ୍ର ସରକାର ନିଜ ଅଂଶ ପ୍ରତ୍ୟାହାର କରିବେ । ଯୋଜନା ଓ ବିକାଶର ଲକ୍ଷ୍ୟ ଭିତରେ ଜମ୍ମୁ କାଶ୍ମୀର ପାଇଁ ୩୦ହଜାର ୭୫୭କୋଟି ଓ ଲଦାଖ ପାଇଁ ୫ହଜାର ୯୫୮କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହୋଇଛି ।