ନିଆଳିରେ ମଝିରାତିର ଆତଙ୍କ ! ଅଜବ ଜୀବ କରୁଛି ଲୋକଙ୍କ ଉପରେ ଆକ୍ରମଣ, ନେଉଛି ମେଣ୍ଢାଙ୍କ ଜୀବନ

133

କନକ ବ୍ୟୁରୋ : ମେଣ୍ଢାର ପେଟ ଚିରି କଲିଜା ଖାଉଛି କିଏ ? ରାତି ଅଧରେ ଆକ୍ରମଣ କରୁଛି କେଉଁ ଜୀବ ? କଟକ ଜିଲ୍ଲା ନିଆଳି ଅଂଚଳରେ ଅଜଣା ଜୀବକୁ ନେଇ ଆତଙ୍କର ପରିବେଶ । ଏହାକୁ ଅଧିକ ବଢାଇ ଦେଇଛି ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଚିତ୍ର ।

Unidentified Creature Creates Terror In Niali, Kills More Than Hundreds of Sheepsଏ ହେଉଛି ସେହି ଅଜଣା ଜନ୍ତୁ । ଏହି ଜନ୍ତୁ ହିଁ କଟକ ଜିଲ୍ଲା ନିଆଳିରେ ସୃଷ୍ଟି କରିଛି ଆତଙ୍କ । ସୋସିଆଲ୍ ମିଡିଆରେ ଏପରି ଚର୍ଚ୍ଚା ଜୋର୍ ଧରିଛି । ସେପଟେ ଗାଁରେ ରାତି ରାତି ଅନିଦ୍ରା ହୋଇ ଏହି ଜନ୍ତୁକୁ ଧରିବା ପାଇଁ ପଇଁତରା ମାରୁଛନ୍ତି ଲୋକେ । ଏପରିକି ଗତକାଲି ରାତିରେ ଜଣେ ମହିଳାଙ୍କୁ ଏହି ଜନ୍ତୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ତତ୍ପର ହୋଇଛି ଜଙ୍ଗଲ ବିଭାଗ । ଏହି ଜନ୍ତୁକୁ ଧରିବା ପାଇଁ ଗାଁ ଦାଣ୍ଡରେ ରଖାହୋଇଛି ବଡ ଜନ୍ତା ।

ଗତ କିଛି ଦିନ ଧରି ନିଆଳିରେ ରାତି ଅଧରେ ମେଣ୍ଢାଙ୍କ ତଂଟି କାଟି ହତ୍ୟା କରିବା ପରେ ଛାତିଚିରି କଲିଜା ଖାଉଥିବା ଅଭିଯୋଗ ହୋଇଛି । ଗତ ୪୫ ଦିନରେ ଶତାଧିକ ମେଣ୍ଢାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏହି ଜନ୍ତୁର ଟେର୍ ପାଉନାହାନ୍ତି କେହି । ମେଣ୍ଢା ଆକ୍ରମଣ ପରେ ଏବେ ମଣିଷକୁ ଏହି ଜନ୍ତୁ ଆକ୍ରମଣ କରିବା ଆରମ୍ଭ କରିଥିବାରୁ ଆତଙ୍କରେ ଅଂଚଳବାସୀ ।

ସୋସିଆଲ୍ ମିଡିଆରେ ଅଦ୍ଭୁତ ଜୀବର ଫଟୋ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଭୟ ବଢିଛି । ଏହି ପୋଷ୍ଟର ସତ୍ୟତା ଆଉ ଆଧାରକୁ ନେଇ ଉଠିଛି ପ୍ରଶ୍ନ ।

– କେହି ଅସାମାଜିକ ବ୍ୟକ୍ତି ଲୋକଙ୍କୁ ଡରାଇବା ପାଇଁ ଏଭଳି ପୋଷ୍ଟ କରୁନି ତ?

– ଆତଙ୍କର ବାତାବରଣ ପଛର କାରଣ କଣ?

– ୪୫ ଦିନ ଧରି ଏପରି ଚାଲିଥିବା ବେଳେ ପ୍ରଶାସନ କରୁଛି କଣ?

-ରାତିର ଅନ୍ଧାରର ଫାଇଦା ଉଠାଇ ଦୁଷ୍ଟ ବ୍ୟକ୍ତି ଏପରି କରୁନାହାନ୍ତି ତ?

ଏବେ ନଜର ଏହି ଆତଙ୍କର ପଛର କାରଣ କେବେ ସାମ୍ନାକୁ ଆସୁଛି ।