ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି ବେକାରୀ ସଂଖ୍ୟା ! ୨ବର୍ଷରେ ଭିତରେ ଫେବୃୟାରୀରେ ୭.୨ ପ୍ରତିଶତରେ ପହଞ୍ଚିଲା ବେକାରୀ ହାର

149

କନକ ବ୍ୟୁରୋ : ଦେଶରେ ବେକାରୀ ହାର ୭.୨% ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇଛି । ମୁମ୍ବାଇର ଏକ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‌ ଇକୋନମି (ସିଏମଆଇଇ) ତରଫରୁ ଜାରି କରାଯାଇଥିବା ରିପୋର୍ଟରେ ଏହି ଦାବି କରାଯାଇଛି । ୨୦୧୬ ସେପ୍ଟେମ୍ବର ପରେ ଏହା ଦେଶର ସର୍ବୋଚ୍ଚ ବେକାରୀ ହାର । ଗତବର୍ଷ ଫେବ୍ରୁଆରିରେ ଏହି ହାର ୫.୯% ସ୍ତରରେ ଥିଲା । ସିଏମଆଇଇ ରିପୋର୍ଟରୁ ଜଣାପଡ଼ିଛି ଯେ, ବର୍ଷକ ଭିତରେ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା କମିଥିବା ବେଳେ ବେରୋଜଗାରଙ୍କ ସଂଖ୍ୟା ବଢ଼ିଛି ।

ଚଳିତ ବର୍ଷ ଫେବ୍ରୁଆରି ସୁଦ୍ଧା ଭାରତରେ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୪୦ କୋଟି ଥିଲା । ବର୍ଷକ ପୂର୍ବରୁ ସେମାନଙ୍କ ସଂଖ୍ୟା କିନ୍ତୁ ୪୦.୬ କୋଟି ଥିଲା । ଅର୍ଥାତ ବର୍ଷକ ଭିତରେ ୬୦ ଲକ୍ଷ ଲୋକ ବେକାରୀ ବର୍ଗରେ ସାମିଲ ହୋଇଛନ୍ତି । ଦେଶର ୧୦ ହଜାର ପରିବାରଙ୍କୁ ନେଇ ସିଏମ୍‌ଆଇଇ ତରଫରୁ ଏକ ସର୍ଭେ କରାଯାଇଥିଲା । ସେହି ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସରକାରୀ ରିପୋର୍ଟ ତୁଳନାରେ ଅନେକ ଅର୍ଥନୀତିଜ୍ଞ ଏହି ରିପୋର୍ଟ ଉପରେ ଅଧିକ ବିଶ୍ବାସ କରନ୍ତି। ସରକାର ନିୟମିତ ବ୍ୟବଧାନରେ ବେକାରୀ ହାର ତଥ୍ୟ ଜାରି କରନ୍ତି ।

କିନ୍ତୁ ଗତ ଡିସେମ୍ବରରେ ଜାରି ହେବାକୁ ଥିବା ରିପୋର୍ଟକୁ ସରକାର ଚାପି ଦେଇଥିବା ଅଭିଯୋଗ ହେଉଛି । ଅବଶ୍ୟ ସେହି ରି‌ପୋର୍ଟ ଗଣମାଧ୍ୟମରେ ଲିକ୍ ହୋଇଯାଇଥିଲା । ଦେଶରେ ବେକାରୀ ହାର ୪୫ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ତଥ୍ୟ ଉକ୍ତ ରିପୋର୍ଟରେ ରହିଛି । ସରକାର କିନ୍ତୁ ରିପୋର୍ଟକୁ ଅସମ୍ପୂର୍ଣ୍ଣ କହି ଅଗ୍ରାହ୍ୟ କରିଦେଇଛନ୍ତି । ଗତ ଜାନୁଆରିରେ ସିଏମ୍‌ଆଇଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଲାଗୁ କରିବାର ପ୍ରଭାବ ଯୋଗୁଁ ୨୦୧୮ରେ ୧୧ ନିୟୁତ ଲୋକ ବେରୋଜଗାର ହୋଇଥିଲେ ।