କ୍ଷେତ୍ର ଅଛି ନିଯୁକ୍ତି ନାହିଁ ! ନବନିଯୁକ୍ତି ବଦଳରେ ଅବସରପ୍ରାପ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ

144

କନକ ବ୍ୟୁରୋ: ଶିଳ୍ପ ଅଛି । ଖଣି ଅଛି । ପ୍ରାକୃତିକ ସଂପଦରେ ଭରପୁର ଓଡିଶା । ତଥାପି ରାଜ୍ୟରେ ବଢ଼ୁଛି ବେକାରୀ ସମସ୍ୟା । ଶିକ୍ଷିତ ଯୁବକ ଚାକିରୀ ନପାଇ ଘରେ ବସିଥିବା ବେଳେ ସରକାରୀ ଚାକିରୀରୁ ଅବସର ନେଇଥିବା ଅଧିକାରୀଙ୍କୁ ଅବସର ପରେ ପୁଣିଥରେ ସରକାର ଚାକିରୀରେ ଅବସ୍ଥାପିତ କରାଯିବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ଅଶୋକ କୁମାର ପଣ୍ଡା । ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ଅଧିକାରୀ । ରାଜ୍ୟ ସରକାରଙ୍କ ଅଧିନରେ ଜଣେ ସରକାରୀ କର୍ମଚାରୀ । ଦୁଇ ଦୁଇଥର ଚାକିରୀ କରିଛନ୍ତି ରାଜ୍ୟ ସରକାରଙ୍କ ଅଧିନରେ । ୨୦୦୯ରେ ଅବସର ନେଲେ ହେଲେ ପୁଣଇ ଚାକିରୀ ପାଇଲେ ୨୦୧୧ରେ  । ଆଉ ୨୦୧୬ରେ ଦ୍ୱିତିୟଥର ଅବସର ନେଲେ ଶ୍ରୀଯୁକ୍ତ ପଣ୍ଡା । ମାନେ ଅବସର ପରେ ବି ରାଜ୍ୟ ସରକାର ପୁଣି ତାଙ୍କୁ ପୁନଃଅବସ୍ଥାପିତ କଲେ ତାଙ୍କରି ପୁରୁଣା ସ୍ଥାନରେ । କେବଳ ଅଶୋକ ପଣ୍ଡା ନୁହଁନ୍ତି, ଏମିତି ଅନେକ ସରକାର କର୍ମଚାରୀ ରହିଛନ୍ତି, ଯେଉଁମାନେ ଚାକିରୀରୁ ଅବସର ନେବା ପରେ ରାଜ୍ୟ ସରକାର ତାଙ୍କୁ ପୁଣି ଚାକିରୀ ଦେଉଛନ୍ତି ।

ରାଜ୍ୟରେ ବେରୋଜଗାର ଏକ ବିରାଟ ସମସ୍ୟା ହୋଇ ଉଭା ହୋଇଛି । ଲକ୍ଷ ଲକ୍ଷ ସଂଖ୍ୟାରେ ପାଠପଢ଼ୁଆ ଯୁବକ ଚାକିରୀ ନପାଇ ଘରେ ବସିଛନ୍ତି । ଦୁଇବଷ ପୂବେେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟର ବିଭିନ୍ନ କର୍ମ ନିୟାଜନ କାର୍ଯ୍ୟାଳୟ ମାଧ୍ୟମରେ ପ୍ରାୟ ୧୦.୯୫ଲକ୍ଷ ଯୁବକ ଚାକିରୀ ପାଇଁ ନିଜ ନାମକୁ ପଞ୍ଜୀକରଣ କରିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୧୦.୪୨ଲକ୍ଷ ଯୁବକ ଶିକ୍ଷିତ । ଏହାର ଅର୍ଥ୧୦ଲକ୍ଷରୁ ଅଧିକ ଶିକ୍ଷିତ ଯୁବକ ଚାକିରୀ ଅପେକ୍ଷାରେ ରହିଛନ୍ତି । ତଥାପି ଏହି ପଞ୍ଜୀକୃତ ଯୁବକଙ୍କ ପରିବର୍ତ୍ତେ  ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚାକିରୀରେ ପୁଣି ଥରେ ନିଯୁକ୍ତି ଦିଆଯାଉଛି ।

ଏହା ପଛରେ ଆଉ ଏକ କାରଣ ଥିବା କୁହାଯାଉଛି । ରାଜ୍ୟ ସରକାରଙ୍କ ବିଶ୍ୱାସ ଭାଜନ ହୋଇଥିବା କର୍ମଚାରୀଙ୍କୁ ଛାଡିବାକୁ ରାଜି ନୁହଁନ୍ତି ସରକାର । ପୁଣି ଲବି ବି ଆଉ ଏକ କାରଣ । ତେଣୁ ଥରେ ସରକାରଙ୍କ ପାଖଲୋକ ହେବାପରେ ଅବସର ପରେଯେ ଆଉ ଥରେ ଚାକିରୀକୁ ଫେରିହେବ ଏକଥା ଏହାର ପ୍ରମାଣ କରୁଛି । ଅବସରପରେ ଆଉ ଥରେ ଚାକିରୀକୁ ଫେରିଥିବା ବାବୁମାନଙ୍କର କୌଣସି ନିର୍ଦ୍ଦିଷ୍ଟ ହିସାବ ନାହିଁ । କିନ୍ତୁ ଏମାନଙ୍କର ସଂଖ୍ୟା ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଓଡିଶା ଲୋକସେବା ଆୟାଗ, ଓଡିଶା ସୂଚନା କମିଶନ, ଷ୍ଟାଫ ସିଲେକ୍ସନ କମିଶନ, ବିଦ୍ୟୁତ ନିୟାମକ ଆୟୋଗ ଭଳି ସରକାରୀ ଦପ୍ତରରେ ବରିଷ୍ଠ ଆଇଏଏସ, ଆଇପିଏସ ଓ ଏଏଫଏସ ଅଧିକାରୀଙ୍କୁ ପୁନଃ ଥଇଥାନ ଅନେକ ଦିନରୁ ଚାଲି ଆସିଛି । ନୂଆ ପ୍ରତିଭାଙ୍କୁ ସାମିଲ କରିବା ନେଇ ୧୯୯୯ରେ ସାଧାରଣ ପ୍ରଶାସନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା । ହେଲେ ଏହାର ପ୍ରଭାବ ଆଜିଯାଏ ଦେଖିବାକୁ ମିଳିନାହିଁ ।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ଅବସର ପାଉଥିବା ସବୁ ସରକାରୀ କର୍ମଚାରୀ ଜ୍ଞାନର ଭଣ୍ଡାର ବୋଲି ବର୍ତ୍ତମାନର ପ୍ରଶାସନର ଭାବନା ରହିଛି । ତେଣୁ ଏହାକୁ ଉପଯୋଗ କରାଯାଉଛି । ହେଲେ ଏହା ବିରୁଦ୍ଧରେ ପ୍ରଥମେ ୨୦୦୨ରେ ସେ ସ୍ୱର ଉଠାଇଥିବା ପଞ୍ଚାନନ କହିଛନ୍ତି ।

ବାସ୍ତବିକତାକୁ ଦେଖିଲେ ଜଣାପଡେ, ଏଣ୍ଡୋମେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ପାଖାପାଖି ୧୮ ଜଣ ଡ୍ରାଇଭର, ଜମାଦାର, ଉପ-ନିରୀକ୍ଷକ, ଟାଇପିଷ୍ଟ ଓ ସେକ୍ସନ ଅଫିସରଙ୍କୁ ଅବସର ପରେ ବି ପୁଣିଥରେ ୨୦୧୩ରେ ନିଜ ସ୍ଥାନକୁ ଫେରାଇ ଅଣାଯାଇଛି । ମାନେ ସେମାନଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରାଯାଇଛି । ସେହିପରି ଜଙ୍ଗଲ ଓ ପରିବେଶ ବିଭାଗରେ ମଧ୍ୟ ଅତିକମରେ ୧୦ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତିି ମିଳିଛି । ଆଉ ରାଜ୍ୟ ଗୃହ ବିଭାଗରେ ପାଖାପାଖି ୧୯ଜଣ ସେକ୍ସନ ଅଫିସର ଓ ଡେପୁଟି ସେକ୍ରେଟାରୀ ରାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକାରେ ପୁନଃନିଯୁକ୍ତି ମିଳିଛି ।

ହେଲେ ଏକଥା କୁ ମାନିବାକୁ ରାଜି ନୁହଁନ୍ତି ସରକାର । ଗତ ତିନିବର୍ଷରେ ରାଜ୍ୟ ସରକାର ୪୦ହଜାରରୁ ଅଧିକ ଲୋକଙ୍କୁ ଚାକିରୀ ଦେଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ଏହାସହ ନିୟମିତ ନିଯୁକ୍ତି ଦିଆଯାଉଥିବା ସେ କହିଛନ୍ତି ।

ଅନ୍ୟପଟେ ବିଗତ ଦିନ ମାନଙ୍କରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ନିଯୁକ୍ତି ମେଳା କେବଳ ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଶିକ୍ଷିତ ଯୁବକଙ୍କୁ ଚାକିରୀ ଦେବା ପରିବର୍ତ୍ତେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦରଦ ଦେଖାଉଥିବା ପ୍ରତିକ୍ରିୟା ପ୍ରକାଶ ପାଇଛି । ପୋସ୍କୋ ଓ ବେଦାନ୍ତ ଭଳି ଶିଳ୍ପ ସଂସ୍ଥା ଦ୍ୱାରା ଓଡିଶାର ଯୁବକମାନେ ଲାଭବାନ ହେବାର ଆଶା କରାଯାଉଥିଲା । କିନ୍ତୁ ଧିରେଧିରେ ଓଡିଶାରୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସଂସ୍ଥା ମାନେ ବିଦାୟ ନେବା ପରେ ଏହା ପ୍ରଭାବିତ କରିଛି ନିଯୁକ୍ତି କ୍ଷେତ୍ରକୁ । ବେସରକାରୀ ସଂସ୍ଥାଗୁଡିକରେ ମଧ୍ୟ ଓଡିଆଙ୍କ ଅପେକ୍ଷା ଅଣଓଡିଆଙ୍କୁ ଗୁରୁତ୍ୱ ଦେବା, ଓଡିଶାରେ ବେରୋଜଗାର ବଢ଼ାଇବା ପଛର ଅନ୍ୟତମ କାରଣ ବୋଲି ବି କୁହାଯାଉଛି । ତେବେ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେଇ ରୋଜଗାର ବଢ଼ାଇବା ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।