ବିମୁଦ୍ରାକରଣ ଯୋଗୁଁ ଦେଶରେ ବଢ଼ିଛି ବେକାରୀ: ବିମୁଦ୍ରାକରଣ ଏବଂ ଜିଏସଟିକୁ ବେକାରୀର ଦୁଇ ପ୍ରମୁଖ କାରଣ ଦର୍ଶାଇ ବିଜିନେସ୍ ଷ୍ଟାଣ୍ଡର୍ଡରେ ରିପୋର୍ଟ ପ୍ରକାଶ

ଏନଏସଏସଓ ରିପୋର୍ଟ ଲିକ୍ ପରେ ବେରୋଜକାରୀକୁ ନେଇ ଦେଶରେ ରାଜନୈତିକ ଝଡ

126

କନକ ବ୍ୟୁରୋ: ବେକାରି ହାର ବଢିବା ପାଇଁ ମୋଦି ସରକାରଙ୍କ ଦୁଇଟି ନିଷ୍ପତି ଦାୟୀ । ବିମୁଦ୍ରାକରଣ ଏବଂ ଜିଏସଟି । ଏହା ପାଖାପାଖି ୮.୯ ପ୍ରତିଶତ ବୋଲି ଏନଏସଏସଓର ସାପ୍ତାହିକ ଷ୍ଟାଟସ ରିପୋର୍ଟ ଅନୁସାରେ ଜଣାପଡିଛି । ଯାହାକି ଯଥେଷ୍ଟ ଅଧିକ । ବିଜନେସ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ଦେଶରେ ବେକାରୀ ହାରକୁ ନେଇ ଏନଏସଏସଓର ରିପୋର୍ଟକୁ ନେଇ ନିତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଏହା ଏକ ଡ୍ରାଫ୍ଟ ରିପୋର୍ଟ । ଏହାର ତଥ୍ୟକୁ ସଠିକ ଭାବେ ତର୍ଜମା କରାଯିବା ଦରକାର । ଅନ୍ୟପକ୍ଷରେ ବିନା ନିଯୁକ୍ତିରେ ଦେଶର ଅଭିବୃଦ୍ଧି ହାର ୭ ପ୍ରତିଶତ କିପରି ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ଏନଡିଏ ସରକାରର ବିମୁଦ୍ରାକରଣ ଏବଂ ଜିଏସଟି ଥିଲା ଏପରି ଦୁଇଟି ନିଷ୍ପତି ଯାହା କି ଦେଶରେ ବେକାରି ହାର ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ନିଯୁକ୍ତିର ହାର ଯଥେଷ୍ଟ କମ ରହିଥିଲା । ଏନଏସଏସଓର ସଦ୍ୟପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ବିଗତ ୪୫ ବର୍ଷ ଭିତରେ ଦେଶରେ ବେକାରୀ ହାର ଶୀର୍ଷ ସ୍ଥାନରେ ପହଂଚିଛି । ଏହା ୬.୧ ପ୍ରତିଶତ ବୋଲି କୁହାଯାଇଥିବା ବେଳେ ଏନଏସଏସଓର ବର୍ତମାନର ସାପ୍ତାହିକ ଷ୍ଟାଟସ ଅନୁସାରେ ୨୦୧୭-୧୮ରେ ବେକାରୀ ହାର ୮.୯ ପ୍ରତିଶତ ।

ଅନ୍ୟପକ୍ଷରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଏନଏସଏସଓରଏହି ରିପୋର୍ଟ ଯାହାକି ୨୦୧୭-୧୮ରେ ସର୍ଭେ କରାଯାଇଛି, ଏକ ଡ୍ରାଫ୍ଟ ରିପୋର୍ଟ । ଏଥିରେ ଥିବା ପରିସଂଖ୍ୟାନକୁ ପରିସଖ୍ୟାନ ଏବଂ ଯୋଜନା ପ୍ରଣୟନ ମନ୍ତ୍ରାଳୟ ଦ୍ୱାରା ପୂର୍ବରୁ କରାଯାଇଥିବା ସର୍ଭେ ସହିତ ତୁଳନା କରାଯାଇପାରିବ ନାହିଁ । ଏନଏସଏସଓର ଏହି ରିପୋର୍ଟରେ ଦିଆଯାଇଥିବା ତଥ୍ୟକୁ ତର୍ଜମା କରିବା ନିହାତି ଦରକାର । ଗଣମାଧ୍ୟମରେ ଏହି ଡ୍ରାଫଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ତିଆରି ହୋଇଛି । କେନ୍ଦ୍ର ସରକାର ତଥ୍ୟ ପ୍ରକାଶ କରୁନାହାନ୍ତି ବୋଲି କହିବା ଠିକ ହେବ ନାହିଁ ବୋଲି କହିଛନ୍ତି ରାଜୀବ କୁମାର ।

ପରିସଂଖ୍ୟାନ ଏବଂ ଯୋଜନା ପ୍ରଣୟନ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏହି ରିପୋର୍ଟର ତଥ୍ୟ ଅନୁସାରେ ଭାରତରେ ବେକାରୀ ଅବିବୃଦ୍ଧି ହାର ୬.୧%କୁ ବୃଦ୍ଧି ଯାଇଛି, ଯାହା ୪୫ବର୍ଷ ଭିତରେ ସବୁଠୁ ଅଧିକ ।