ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ ! ଦେଶରେ ୮୨% ପୁରୁଷ ଓ ୯୨% ମହିଳା ୧୦ ହଜାର ଟଙ୍କାରୁ ମଧ୍ୟ କମ ଦରମା ପାଉଛନ୍ତି

105

ଭାରତରେ ଏବେ ବେକାରୀ ସମସ୍ୟା ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି । ଖାସକରି ନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ସୁଯୋଗ ମିଳୁନାହିଁ । ଯାହା ଏବେ ଯୁବବର୍ଗଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଷ୍ଟେଟ ଅଫ୍ ୱାକିଂ ଇଣ୍ଡିଆ ୨୦୧୮ର ରିପୋର୍ଟ ଅନୁଯାୟୀ, ବିଗତ ୨୦ ବର୍ଷ ମଧ୍ୟରେ ଦେଶରେ ବେକାରୀ ସମସ୍ୟା ଏବେ ଉକ୍ରଟ ରୂପ ଧାରଣ କରିଛି ।

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍ ସସଷ୍ଟେନଏବଲ ଏମପ୍ଲାଇମେଣ୍ଟର ରିପୋର୍ଟରେ ଯେଉଁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ତାହା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରିପୋର୍ଟ ଅନୁଯାୟୀ, ଜିଡିପି ଯେଉଁ ଅନୁପାତରେ ବଢୁଛି ସେହି ଅନୁପାତରେ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁନାହିଁ । ଏପରିକି ଚଳିତ ଦଶନ୍ଧିରେ ନିଯୁକ୍ତି ସବୁଠୁ କମ ରହିଛି । ୭୦ରୁ ୮୦ ଦଶକରେ ଯେତେବେଳେ ଜିଡିପି ୩ରୁ୪ ପ୍ରତିଶତ ବୃଦ୍ଧି ପାଉଥିଲା ସେହି ଅନୁପାତରେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ୨ ପ୍ରତିଶତ ବୃଦ୍ଧି ହେଉଥିଲା । ତେବେ ୯୦ରୁ ୨୦୦୦ ମସିହାରେ ଜିଡିପି ହାର ବୃଦ୍ଧି ପାଇ ୭ ପ୍ରତିଶତରେ ପହଞ୍ଚିଥିବା ବେଳେ ନିଯୁକ୍ତି କ୍ଷେତ୍ରରେ ମାତ୍ର ୧ ପ୍ରତିଶତ ବୃଦ୍ଧି ପାଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଜିଡିପି ଯେଉଁ ହାରରେ ବୃଦ୍ଧି ପାଉଛି ସେହି ଅନୁପାତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁ ନାହିଁ ।

କେବଳ ନିଯୁକ୍ତି ନୁହେଁ କର୍ମଚାରୀଙ୍କ ବେତନ କ୍ଷେତ୍ରରେ ମଧ୍ୟ ସେହିଭଳି ଅଭିବୃଦ୍ଧି ଘଟିନାହିଁ । ଗୋଟିଏ ପଟେ ସରକାରଙ୍କ ସପ୍ତମ ବେତନ ନିୟମ ଅନୁଯାୟୀ, କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ରହିଛି । କିନ୍ତୁ ଏହି ରିପୋର୍ଟରେ ଏମିତି ଏକ ତଥ୍ୟ ଯାହା ଆପଣଙ୍କୁ ଚକିତ କରିବ । ଅଥାର୍ତ ୮୨ ପ୍ରତିଶତ ପୁରୁଷ ଓ ୯୨ ପ୍ରତିଶତ କର୍ମଜୀବୀ ମହିଳା ଏବେ ମଧ୍ୟ ୧୦ ହଜାର ଟଙ୍କାରୁ କମ ଦରମା ପାଉଛନ୍ତି ।

ଦେଶରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ଯେଉଁ ରିପୋର୍ଟ ଆସିଛି ତାହା ଆପଣଙ୍କୁ ବିଚଳିତ କରିବ । ଖାସକରି ଦିନକୁ ଦିନ ଶିକ୍ଷିତ ଯୁବକ ମାନେ ବେକାରୀ ହୋଇ ଘରେ ବସୁଛନ୍ତି । ପୂର୍ବରୁ ଯେଉଁ କଥା କୁହାଯାଉଥିଲା ଯେ, ଦେଶର ପ୍ରକୃତ ସମସ୍ୟା ବେକାରୀ ନୁହେଁ ବରଂ କମ ବେତନ । କିନ୍ତୁ ବାସ୍ତବ କଥା ହେଲା, ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରକୃତ ସମସ୍ୟା ହେଉଛି ବେକାରୀ । ଯାହାର ଚିତ୍ର ଏବେ ସାମ୍ନାକୁ ଆସିଛି । ଦେଶରେ ପ୍ରାୟ ୫ ପ୍ରତିଶତ ଲୋକ ବେକାରୀ ଥିବା ବେଳେ ଶିକ୍ଷିତ ବେକାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬ ପ୍ରତିଶତରେ ପହଞ୍ଚିଛି । ଏହି ବେକାରୀ ସମସ୍ୟା ଭାରତର ଉତ୍ତର ରାଜ୍ୟ ଗୁଡିକରେ ଅଧିକ ଦେଖିବାକୁ ମିଳୁଛି ।