ହୁ ହୁ ହୋଇ ବଢୁଛି ବେକାରୀଙ୍କ ସଂଖ୍ୟା ! ଦେଶରେ ୨ ବର୍ଷ ମଧ୍ୟରେ ବେକାରୀ ହାର ସର୍ବାଧିକ

ଗତବର୍ଷ ଅକ୍ଟୋବରରେ ବେକାରୀ ହାର ୬.୭୫% ଥିଲା। ୨୦୧୭ ବେଳକୁ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୪୦.୭ କୋଟି ଥିଲା। ୨୦୧୮ରେ ତାହା ୨.୪% ହ୍ରାସ ପାଇ ୩୯.୭ କୋଟି ହୋଇଯାଇଛି।

84

ଦେଶରେ ବେକାରୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ଦେଶର ବେକାରୀ ହାର ଦୁଇ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି । ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ଦେଶରେ ବେକାରୀ ହାର ୬.୯% ପ୍ରତିଶତରେ ପହଞ୍ଚିଛି । ସେଣ୍ଟର ଫର୍ ମନିଟିରିଂ ଇଣ୍ଡିଆନ ଇକୋନୋମିର ସର୍ଭେ ରିପୋର୍ଟରୁ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ।

ଗତବର୍ଷ ଅକ୍ଟୋବରରେ ବେକାରୀ ହାର ୬.୭୫% ଥିଲା। ୨୦୧୭ ବେଳକୁ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୪୦.୭ କୋଟି ଥିଲା। ୨୦୧୮ରେ ତାହା ୨.୪% ହ୍ରାସ ପାଇ ୩୯.୭ କୋଟି ହୋଇଯାଇଛି। ନିଯୁକ୍ତିରେ ଥିବା ଅନେକ ଲୋକ ବେରୋଜଗାର ହୋଇପଡ଼ିଛନ୍ତି। ସିଏମଆଇଇ ରିପୋର୍ଟରୁ ଜଣାପଡ଼ିଛି ଯେ, ଦେଶର ୪୨.୪% ପ୍ରାପ୍ତବୟସ୍କ ଲୋକ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ନିଯୁକ୍ତି ସନ୍ଧାନରେ ଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟ ବଢ଼ିଛି।

ଚଳିତ ବର୍ଷ ଅକ୍ଟୋବରରେ ୨୯.୫ ନିୟୁତ ଲୋକ ନିଯୁକ୍ତି ସନ୍ଧାନ କରିଥିଲେ। ଗତବର୍ଷ ତୁଳନାରେ ଏହା ଯଥେଷ୍ଟ ଅଧିକ। ୨୦୧୭ରେ ନିଯୁକ୍ତି ସନ୍ଧାନରେ ଥିବା ଲୋକମାନଙ୍କ ସଂଖ୍ୟା ୨୧.୬ ନିୟୁତ ଥିଲା। ଅଜିମ୍ ପ୍ରେମଜୀ ବିଶ୍ବବିଦ୍ୟାଳୟ ପକ୍ଷରୁ ଗତ ମାସରେ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଦେଶର ୮୨% ପୁରୁଷ ଓ ୯୨% ମହିଳା ଶ୍ରମିକ ମାସିକ ୧୦ ହଜାର ଟଙ୍କାରୁ କମ୍ ଆୟ କରୁଛନ୍ତି। ସେହି ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୨୦୧୫ରେ ୪୩% ପୁରୁଷ ଓ ୭୧% ମହିଳା ଶ୍ରମିକ ମାସିକ ୫୦୦୦ ଟଙ୍କାରୁ କମ୍ ଆୟ କରୁଥିଲେ। ବିଗତ କିଛି ବର୍ଷ ଭିତରେ ମଜୁରୀ ପରିମାଣ ବଢ଼ିଥିଲେ ମଧ୍ୟ ଭାରତ ସ୍ବଳ୍ପ ଆୟ ସମସ୍ୟା ଲାଗି ରହିଛି।