ଚାଷ କମାଇଛି ଦାଦନ ସମସ୍ୟା । ଉନ୍ନତ ଜ୍ଞାନ କୌଶଳରେ ସ୍ୱାବଲମ୍ବୀ ହୋଇଛନ୍ତି ବେକାରୀ ଯୁବକ

80

କନକ ବ୍ୟୁରୋ: ଚାଷୀଙ୍କ ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । କିନ୍ତୁ ବାସ୍ତବରେ ଏହି ସବୁ ଯୋଜନା ଯୋଜନ ଠାରୁ ଦୁରରେ କେନ୍ଦୁଝର ଜିଲ୍ଲା । ଏଠାକାର ଚାଷୀ ପାରମ୍ପରିକ ରିତୀରେ ଚାଷ କରିଥାନ୍ତି । ଏହି ପାରମ୍ପରିକ ଚାଷକୁ ନୁତନ ପଦ୍ଧତିରେ ପରିଣତ କରାଇ ବେକାରୀଙ୍କୁ ସ୍ୱାବଲମ୍ବୀ କରିବା ଯୋଜନା ସରକାରଙ୍କ କାଗଜ କଲମରେ ସିମିତ ରହିଥିବା ଅନୁଭବ କରୁଛନ୍ତି । କିନ୍ତୁ ପ୍ରତିକୂଳ ପରିବେଶ ସ୍ୱତେ ନରସିଂହପୁର ପଂଚାୟତର ନୁଆଗାଁର କିଛି ବେକାରୀ ଯୁବକଙ୍କ ପରିଶ୍ରମ ଉଦାହରଣ ପାଲଟିଛି । ବିନା କୌଣସି ସରକାରୀ ସହାୟତାରେ ନୁତନ ଜ୍ଞାନକୋ÷ଶଳରେ ଚାଷକରି ନିଜ ପରିବାରକୁ ସ୍ୱାବଳମ୍ବନ କରିପାରିଛନ୍ତି ।

କେନ୍ଦୁଝର ଜିଲାରେ ବେକାରୀ ସମସ୍ୟା ବଢିଚାଲିଥିବା ବେଳେ ବେକାର ଯୁବକ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ସରକାରଙ୍କ ଏହି ବେକାର ଯୁବକଙ୍କୁ ସ୍ୱାବଲମ୍ବି କରାଇବାକୁ ଯୋଜନା କାଗଜ କଲମରେ ରହିଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କେନ୍ଦୁଝର ବ୍ଲକ ନରସିଂହପୁର ପଂଚାୟତର ନୁଆଗାଁରେ ସରକାରଙ୍କ ପକ୍ଷରୁ କିଛି ଆଦିବାସୀ ଚାଷୀଙ୍କୁ ସୁଲଭ ଦରରେ ବୋରୱଲ କରାଇ ଦିଆଯାଇଥିଲା । ସେମାନେ ବୋରୱଲ ମାଧ୍ୟମରେ ପାରମ୍ପରିକ ଭାବେ ଚାଷ କରୁଥିଲେ । ଏହା ଦ୍ୱାରାଉକ୍ତ ଆଦିବାସୀ ପରିବାର ଗୁଡ଼ିକ ବିଶେଷ ଲାଭବାନ ହେଉନଥିଲେ । ସରକାରଙ୍କ ପକ୍ଷରୁ ମଧ୍ୟ ନୁତନ ଜ୍ଞାନକୋ÷ଶଳରେ ଚାଷ ପାଇଁ ଏହି ଆଦିବାସୀଙ୍କ ପରିବାର ଗୁଡ଼ିକୁ ତାଲିମର ସୁବିଧା କରାଯାଇନଥିଲା । କିନ୍ତୁ ଉକ୍ତ ଆଦିବାସୀ ପରିବାରର କିଛି ବେକାର ଯୁବକ ଏକ ବେସରକାରୀ ମଞ୍ଜି କମ୍ପାନୀ ସହାୟତାରେ ଆରମ୍ବ କଲେ ନୁତନ ଜ୍ଞାନକୋଶଳରେ ଚାଷ । ପାରମ୍ପରିକ ଚାଷଛାଡ଼ି ଆରମ୍ଭ କଲେ ପରିବାଚାଷ । ନୁତନ ପ୍ରଣାଳୀରେ ତାର , ପଲିଥିନକକୁ ବ୍ୟବହାରକରି ପରିବା ଚାଷ ଆରମ୍ଭ କଲେ । ପାରମ୍ପରିକ ପରିବା ଚାଷଠାରୁ ଏହି ନୁତନ ଜ୍ଞାନକୋ÷ଶଳରେ ଚାଷ ଉକ୍ତ ଆଦିବାସୀ ପରିବାର ମାନଙ୍କରେ ଆଶାର ସଂଚାରକରାଇଲା । ବର୍ତ୍ତମାନ ଏହି ପରିବା ବିକ୍ରୀ କରି ସ୍ୱାବଲମ୍ବୀ ହେବାସହ ବେଶ କିଛି ଟଙ୍କା ମୁନାଫା କରିବାରେ ସଫଳ ହୋଇପାରିଛନ୍ତି ।

ଏହି ନୂତନ ଚାଷ ପ୍ରଣାଳୀ ଦ୍ୱାରା ପରିବାରର ପିଲାଙ୍କୁ ଉନ୍ନତ ବିଦ୍ୟାଳୟରେ ପଢାଇବାକୁ ସକ୍ଷମ ହୋଇପାରିଛନ୍ତି । ଏହା ଦ୍ୱାରା ଗ୍ରାମରେ ଦାଦନ ସମସ୍ୟା ମଧ୍ୟ ହ୍ରାସ ପାଇଛି । ଏହି ନୁତନ ପ୍ରଣାଳୀରେ ଚାଷକରିବା ଦ୍ୱାରା ଯୁବ ଚାଷୀମାନେ ଲାଭବାନ ହେଉଥିଲେହେଁ ଏହି ପରିବାକୁ ସଂରକ୍ଷଣ କରିବା ପାଇଁ ସରକାରଙ୍କ କୋଣସି ଶିତଳଭଣ୍ଡାର ର ବ୍ୟବସ୍ଥା ନାହିଁ । ଶିତଳଭଣ୍ଡାର ଅଭାବରୁ ବହୁସମୟ ରେ ଅମଳ ଚାଷର ଠିକ ମୁଲ୍ୟ ମିଳୁନିଥିବା ବେଳେ ଅମଳ ଚାଷକୁ ରାସ୍ତାରେ ଫିଙ୍ଗିବାକୁ ବାଧ୍ୟ ହେଉଥିବା ଚାଷୀ ପ୍ରକାଶ କରିଛନ୍ତି । ଚାଷୀଙ୍କୁ କମ ପରିଶ୍ରମରେ ଅଧିକ ଅମଳ କରାଇବାସହ ଖାଉଟିଙ୍କୁ ସତେଜ ଏବଂ ସୁସ୍ଥ ପରିବା ଯୋଗାଇବାକୁ କରାଯାଇଥିବା ଏହି ଉଦ୍ୟମ ଏବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛି ।