ସ୍ୱାଧୀନତାର ୭୦ ବର୍ଷ ପରେ ବି ବିକାଶ ଦେଖି ନାହିଁ ପାହାଡି ଗାଁ । ଗାଁରେ ପଡିନି ସରକାରୀ ବାବୁଙ୍କ ପାଦ, ମୌଳିକ ସୁବିଧା ପାଇଁ ଲଢେଇ କରୁଛନ୍ତି ଆଦିବାସୀ ମଣିଷ ।

228

କନକ ବ୍ୟୁରୋ : ମୌଳିକ ଅସୁବିଧାରୁ ମୁକୁଳି ପାରିନାହାନ୍ତି ନିରୀହ ଆଦିବାସୀ । ସ୍ୱାଧିନତାର ସାତ ଦଶନ୍ଧି ପରେ ବି ଏମିତି ଗାଁ ଅଛି । ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଭଳି ସୁବିଧା ସାତ ସପନ । ପାହାଡ ଉପରେ ରହୁଥିବା ଆଦିବାସୀମାନେ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ସରକାରୀ ଖାତାରେ ଠିକଣା ଅଛି । କିନ୍ତୁ ସରକାରୀ ସୁବିଧାର ଲାଭ ଉଠାଇପାରୁନାହାନ୍ତି ଏମାନେ । ପହଂଚିପାରୁନି ପ୍ରଶାସନ କି ପାହାଡ ଚଢିପାରୁନି ବିକାଶ । ବର୍ଷ ବର୍ଷ ଧରି ଜଙ୍ଗଲ ଓ ପାହାଡ ଭିତରେ ଛନ୍ଦି ହୋଇ ଅନ୍ଧାରରେ ଜୀବନ ଯିଉଁଛନ୍ତି ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ଅପହଂଚ ଖଟୁଆପଦରର ଆଦିବାସୀ ମଣିଷ ।

ସ୍ୱାଧୀନତାର ୭୦ ବର୍ଷ ପରେ ବି ନାହିଁ ବିକାଶ । ପାହାଡି ଗାଁରେ ପଡିନି ସରକାରୀ ବାବୁଙ୍କ ପାଦ । ଦୁର୍ଗମ ଗଡ଼ର ପାହାଡି ଇଲାକା । ଜଙ୍ଗଲ ଓ ପାହାଡି ରାସ୍ତାରେ ଚାଲିଯିବା ମୁସ୍କିଲ । ଆବଡ଼ା ଖାବଡ଼ା ସରୁ ରାସ୍ତା । ସ୍ୱାଧିନତା ପର ଠାରୁ ଥରୁôଟିଏ ବି କୌଣସି ଅଧିକାରୀଙ୍କ ପାଦ ପଡିନଥିବା ଗାଁଟି ହେଉଛି ମାଲକାନଗିରି ମାଥିଲି ବ୍ଲକ ଖଟୁଆପଦର ଗାଁ । ସେମିତି ଏକ ଗାଁରେ ପହଂଚିଥିଲେ ଆମ ପ୍ରତିନିଧି । ଘଂଚ ଜଙ୍ଗଲ ଭିତରେ ୪ ଘଂଟାରେ ୧୫ କିଲୋମିଟର ପାହାଡ ରାସ୍ତା ଅତିକ୍ରମ କରି ଖଟୁଆପଦର ଗାଁରେ ପହଂଚିଥିଲେ ଆମ ପ୍ରତିନିଧି ବସନ୍ତ ସଗରିଆ । ମାଓବାଦୀଙ୍କ ଗଡ କୁହାଯାଉଥିବା ଏହି ଗାଁରେ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ ଭଳି ମୌଳିକ ସୁବିଧାର ଦେଖାନାହିଁ ।

‘ବିକାଶ’ ଅପେକ୍ଷାରେ ପାହାଡି ଗାଁ । ପାହାଡ ଚଢ଼ି ପାରୁନି କି ‘ବିକାଶ’ । ପାହାଡ-ଜଙ୍ଗଲ ଭିତରେ ଥିବା ଗାଁରେ ୫ଶହ ଆଦିବାସୀ ମଣିଷ ବସବାସ କରନ୍ତି । ଖଟୁଆପଦର ଗାଁ ସରକାରୀ ଯୋଜନାରେ ସାମିଲ ହୋଇଛି ସତ । କିନ୍ତୁ ପାହାଡ ଓହ୍ଲାଇ ସରକାରୀ ଯୋଜନାର ଫାଇଦା ଉଠାଇ ପାରୁନାହାନ୍ତି ଏମାନେ । ପାହାଡ ଚଢି ଏମାନଙ୍କ ପାଖରେ ପହଂଚି ପାରୁନାହାନ୍ତି ପ୍ରଶାସନିକ ଅଧିକାରୀ । ତେଣୁ ଏଠି ଶୋଷ ମେଂଟାଉଛି ଝରଣା ପାଣି, ଆଉ ରୋଗୀଙ୍କ ଭରସା କହିଲେ ଦିଶାରୀ ଓ ଭଗବାନ । ସେପଟେ ପ୍ରଶାସନ କହୁଛି, ପାହାଡି ଗାଁ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଉଛି ।