ଏମିତି ବି ଅଛି ଗାଁ ! ୧୨ କିମି ଚାଲିଲେ ମିଳୁଛି ଚାଉଳ, ବର୍ଷ ସାରା ନଈ ପାଣି ଭରସା; ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ସ୍କୁଲ ମାଟି ମାଡିପାରୁନାହାଁନ୍ତି ପିଲା

189

କନକ ବ୍ୟୁରୋ: ଏବେ ବି ଏ ଇଲାକା ଅପହଞ୍ଚ । ବିକାଶ କ’ଣ ଜାଣିନାହାନ୍ତି। ଟଙ୍କିକିଆ ଚାଉଳ ଆଣିବା ପାଇଁ ୧୨କିଲୋମିଟର ଚାଲିବାକୁ ପଡ଼ୁଛି। ଏଥିପାଇଁ ଯା’ଆସ କରିବାକୁ ଲାଗି ଯାଉଛି ୨ଦିନ। ବିଜୁଳି ସାତ ସପନ, ପିଇବା ପାଣି ପାଇଁ ନଳକୂଅ ନାହିଁ। ବର୍ଷ ସାରା ସମସ୍ତେ ନଈ ପାଣି ଉପରେ ନିର୍ଭରଶୀଳ। ଏମିତି ଗୋଟିଏ ଗାଁ ହେଲା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର କୁସମଖୁଣ୍ଟା।

ମଇଦଲପୁର ପଞ୍ଚାୟତ ମହକୁମାଠାରୁ ୫କିଲୋମିଟର ଦୂରରେ ରହିଛି ଗୁରୁପାଣି ଗାଁ। ଏଠାରୁ ପୁଣି ୭କିଲୋମିଟର ଜଙ୍ଗଲିଆ ରାସ୍ତାରେ ଚାଲି ଚାଲି ଗଲେ ପଡ଼େ ବିକାଶ ସ୍ପର୍ଶ କରି ନଥିବା କୁସମଖୁଣ୍ଟା ଗାଁ। ପ୍ରତି ମାସରେ ଏଠାକାର ହିତାଧିକାରୀ ଚାଉଳ ପାଇଁ ଚାଲି ଚାଲି ପଞ୍ଚାୟତ ମହକୁମାକୁ ଯାଉଛନ୍ତି। ଯେଉଁ ଦିନ ଚାଉଳ ପାଇଁ ଯାଉଛନ୍ତି ସେହିଦିନ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ରାତି କଟେ। ପରଦିନ ସକାଳୁ ସକାଳୁ ପୁଣି ଗାଁ ଅଭିମୁଖେ ଯାତ୍ରା ହୁଏ। ଗାଁରେ ପହଞ୍ଚିବା ବେଳକୁ ସଂଧ୍ୟା ହୋଇଯାଏ। ପ୍ରାୟ ଦୁଇ ଦିନ ଲାଗି ଯାଉଥିବାରୁ ସାଥୀରେ ଜାଉ ନେଇ ଯାଆନ୍ତି ହିତାଧିକାରୀ। ପୁଣି ଯେତିକି ଚାଉଳ ମିଳୁଛି ସେଥିରେ ପୂରା ମାସ ପେଟ ଭର୍ତି ହେଉ ନାହିଁ। ତେଣୁ ବର୍ଷର ଅଧିକାଂଶ ଦିନ ମାଣ୍ଡିଆ ଜାଉ ହିଁ ଏମାନଙ୍କ ଖାଦ୍ୟ ପାଲଟି ଯାଇଛି।

ଗାଁରେ ୩୦ ପରିବାରର ଦେଢ଼ ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ବିଡ଼ମ୍ବନା ଯେ ଏପର୍ଯ୍ୟନ୍ତ ନଳକୂପଟିଏ ଖନନ ହୋଇପାରିଲା ନାହିଁ। ତେଣୁ ବର୍ଷ ସାରା ଦୈନନ୍ଦିନ ନିତ୍ୟକର୍ମ ସାଙ୍ଗକୁ ପାନୀୟ ଜଳ ପାଇଁ ନଈ ପାଣିକୁ ଲୋକେ ସଂଗ୍ରହ କରୁଛନ୍ତି। ଗାଈଗୋରୁ ବି ଏହି ପାଣି ଉପରେ ନିର୍ଭର। ଖରା ଦିନ ଆସିଲେ ନଈ ଶୁଖିଗଲେ ନିକଟରେ ଚୁଆ ଖୋଳି ଆଣୁଛନ୍ତି ପାଣି। ଦୂଷିତ ପାଣି ଯୋଗୁଁ ବର୍ଷା ଦିନେ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୁଅନ୍ତି। ନଳକୂପ ଖନନ ପାଇଁ ପ୍ରଶାସନ ଏବଂ ରାଜନେତା ପ୍ରତିଶ୍ରୁତି ଦେଇ ପରବର୍ତୀ ସମୟରେ ଭୁଲି ଯାଉଥିବା କହିଛନ୍ତି ଗାଁର ରଜା ସାନ୍ତା, ସୀମାଞ୍ଚଳ ସାନ୍ତା ଓ ପଦ୍ମା ସାନ୍ତା।

ଅନ୍ଧାରୀ ମୂଲକରେ ଜୀବନ ଅତିବାହିତ କରୁଥିବା ବେଳେ ବିଜୁଳି ଆଲୁଅ ସେମାନଙ୍କ ପାଇଁ ସାତସପନ। ଯେଉଁ ସ୍ବଳ୍ପ ମାତ୍ରାରେ କିରାସିନି ମିଳୁଛି ତାହା ମାସ ସାରା ଡିବିର ପାଇଁ ଅଣ୍ଟୁନାହିଁ। ପଡ଼ୁ ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପୋଷଣ କରୁଛନ୍ତି। ମନରେଗା କ’ଣ ଜାଣି ନାହାନ୍ତି। ଗାଁର ଗୋଟିଏ ବି ପରିବାରକୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ବର୍ଷା ମାସ କାଦୁଅ ରାସ୍ତାରେ ଯାତାୟାତ କରିବା ହିଁ ଏମାନଙ୍କ ଭାଗ୍ୟ। ତେଣୁ ଗାଁରେ ହିଁ ପ୍ରସବ କରୁଛନ୍ତି ଅଧିକାଂଶ ମହିଳା। ଜଟିଳ ସ୍ଥିତିରେ ଦୋଳା କିମ୍ବା ଖଟିଆରେ ୧୨କିମି ବୁହା ହେଉଛନ୍ତି।

ଏତିକିରେ ଏମାନଙ୍କ ଦୁର୍ଦଶା ସରିନାହିଁ। ଫୁଙ୍ଗୁଳା ଦେହରେ ବୁଲୁଥିବା ଗାଁର ବହୁ ଶିଶୁ ଅପପୁଷ୍ଟିର ଶିକାର ହୁଅନ୍ତି। ଅଙ୍ଗନବାଡି କେନ୍ଦ୍ର ନାହିଁ କିମ୍ବା ସେମାନଙ୍କୁ ମିଳୁନାହିଁ ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ପ୍ରାକ୍ ଶିକ୍ଷା। କେବଳ ମାସକୁ ଥରେ ଆଶା କର୍ମୀ ଗାଁକୁ ଯାଉଥିବା ବେଳେ ୩ ମାସରେ ଥରେ ଏଏନଏମ୍ ଯାଇ ସ୍ବାସ୍ଥ୍ୟ ପରୀକ୍ଷା ସହ ଟୀକା ଦେଇ ଆସୁଛନ୍ତି। ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ବିଦ୍ୟାଳୟ ନଥିବାରୁ ସ୍କୁଲ ବାରଣ୍ଡା ବହୁ ପିଲା ମାଡ଼ିପାରି ନାହାନ୍ତି। ଅଳ୍ପ କିଛି ପିଲା ହିଁ ପାଠ ପଢ଼ୁଛନ୍ତି। ସେମାନେ ପୁଣି ବିଭିନ୍ନ ଆଶ୍ରମ ବିଦ୍ୟାଳୟର ହଷ୍ଟେଲରେ ରହି। ଗାଁରେ ୯ମ ଶ୍ରେଣୀରୁ ଅଧିକ ପାଠ କେହି ହେଲେ ପଢ଼ି ନାହାନ୍ତି। ଏମିତି ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି ଗ୍ରାମବାସୀ।

Comments are closed.