ଧରା ପଡ଼ିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ରବି ପୂଜାରି ! ସଲମାନ୍, ଶାହରୁଖଙ୍କୁ ଦେଇଥିଲା ହତ୍ୟାର ଧମକ, ଦାଉଦ୍ ଇବ୍ରାହିମ୍ ଓ ଛୋଟା ରାଜନ୍ ସହ ଥିଲା ସଂପୃକ୍ତି ।

318

କନକ ବ୍ୟୁରୋ : ସେନେଗଲରୁ ଧରା ପଡ଼ିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ରବି ପୂଜାରି  । ଭାରତୀୟ ଯାଂଚ ଏଜେନ୍ସି ଗୁଡ଼ିକର ସୂଚନା ଆଧାରରେ ସେନେଗଲରେ ରବି ପୂଜାରିକୁ ଗିରଫ କରାଯାଇଥିବା କୁହାଯାଉଛି  । ସଲମାନ୍, ଶାହରୁଖଙ୍କ ପରି ଏକାଧିକ ଫିଲ୍ମଷ୍ଟାରଙ୍କୁ ଦାଦା ବଟି ପାଇଁ ଧମକ ଦେଇ ଚର୍ଚ୍ଚାକୁ ଆସିଥିଲା ରବି ପୂଜାରି  । ଗିରଫଦାରୀ ପରେ ରବିକୁ ଭାରତ ପ୍ରତ୍ୟାର୍ପଣ କରାଯିବା କୁହାଯାଉଛି  । ଆସନ୍ତୁ ଜାଣିବା ପୂଜାରିର ପୁରା କାହାଣୀ ।

ଜାନୁଆରୀ ୨୨ ତାରିଖ । ସେନେଗାଲର ରାଜଧାନୀ ଡକାର୍ । ସ୍ଥାନ – ମହାରାଜା ରେଷ୍ଟୁରାଂଟ୍ । ଆଫ୍ରିକୀୟ ଦେଶରୁ ଧରାପଡ଼େ ଭାରତର ମୋଷ୍ଟ ୱାଂଟେଡ୍ ଅଣ୍ଡରୱାର୍ଲ୍ଡ ଡନ୍ ରବି ପୂଜାରି  । ସେନେଗାଲରେ ମହାରାଜା ନାମକ ଏକ ରେଷ୍ଟୁରାଂଟ୍ ଚଳାଉଥିବା ରବି ପୂଜାରିକୁ ସ୍ଥାନୀୟ ପୁଲିସ ଭାରତୀୟ ଯାଂଚ୍ ଏଜେନ୍ସିଗୁଡ଼ିକର ସୂଚନା ଆଧାରରେ ଗିରଫ କରେ  । ଆଉ ଜାନୁଆରୀ ୨୬ରେ ଭାରତୀୟ ଦୂତାବାସକୁ ଦିଆଯାଏ ଗିରଫଦାରୀର ସୂଚନା  । କିଛି ଦିନ ତଳେ ଧରାପଡ଼ିଥିବା ଜଣେ ସହଯୋଗୀଠାରୁ ରବି ପୂଜାରୀ ସମ୍ପର୍କରେ ସୂଚନା ପାଇ ଇଂଟରପୋଲ୍ ଦ୍ୱାରା ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଏ ମୁମ୍ବାଇ ପୁଲିସ୍  । ଆଉ ରବିର ଗିରଫଦାରୀ ପରେ ପୁଲିସକୁ ମିଳିଛି ବଡ଼ ସଫଳତା  ।

ଦେଖିବା ରବି ପୂଜାରିର କଳା କାରନାମା ..

– ଗତବର୍ଷ ଜେଏନୟୁ ଛାତ୍ରନେତା ଉମର ଖାଲିଦ୍, ଦଳିତ ନେତା ଜିଗ୍ନେଶ ମେୱାନି ଓ ଜାମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ସୈୟଦ୍ ଗିଲାନୀଙ୍କୁ ଧମକ ଦେଇଥିଲା ରବି ପୂଜାରି  ।

– ୨୦୦୯ରୁ ୨୦୧୩ ମଧ୍ୟରେ ଏକାଧିକ ବଲିଉଡ୍ ତାରକା ଓ ପ୍ରଯୋଜକଙ୍କୁ ଧମକ ଦେଇ ଦାଦାବଟି ହାସଲ୍ କରିବା ଅଭିଯୋଗ ରବି ପୂଜାରି ନାଁରେ ରହିଛି  ।

– ସୁଟର୍ ଜରିଆରେ ମହେଶ ଭଟ୍ଟଙ୍କୁ ଦୁଇ ଦୁଇ ଥର ହତ୍ୟା ଉଦ୍ୟମ କରିଥିଲା ରବି ଓ ସିନେ ପ୍ରଯୋଜକ କରିମ ମୋରାନିଙ୍କ ଘର ଉପରେ ଆକ୍ରମଣ କରାଇଥିଲା  ।

– ସଲମାନ୍, ଶାହରୁଖ୍, ଅକ୍ଷୟ କୁମାର, କରନ ଜୋହର୍, ରାକେଶ ରୋଶନଙ୍କ ପରି ଏକାଧିକ ସିନେ ବ୍ୟକ୍ତିତ୍ୱଙ୍କୁ ରବି ପୂଜାରୀ ପୂର୍ବରୁ ଧମକ ଦେବାର ଅଭିଯୋଗ ରହିଛି  ।

– ମୁମ୍ବାଇ ପୁଲିସର ଗିରଫଦାରୀ ଭୟରେ ରବି ପୂଜାରୀ ବେଙ୍ଗାଲୁରୁରୁ ଗ୍ୟାଙ୍ଗ୍ ଚଳାଉଥିବା ଅଭିଯୋଗ ରହିଛି ଓ ପୂଜାରିର ଜନ୍ମ ମାଙ୍ଗାଲୋରରେ ହୋଇଥିଲା  ।

ଦାଉଦ୍ ଇବ୍ରାହିମ୍ ଓ ଛୋଟା ରାଜନ୍ ସହ ମିଶି ଅପରାଧ ଦୁନିଆରେ ପାଦ ଦେଇଥିଲା ରବି ପୂଜାରୀ ଓ ଖୁବ କମ ଦିନରେ ସେ ଉଭୟଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଥିଲା  । ତେବେ ୨୦୦୧ରେ ଛୋଟା ରାଜନ୍ ଉପରେ ଦାଉଦ୍ ଗ୍ୟାଙ୍ଗ୍ ଆକ୍ରମଣ କରିବାରୁ ଅପରାଧ ଜଗତର ତିନି ଅଣ୍ଡରୱାର୍ଲ୍ଡ ଡନ୍ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ  । ଦାଉଦ୍ ଓ ଛୋଟା ରାଜନଠାରୁ ଅଲଗା ହୋଇ ନିଜର ଗ୍ୟାଙ୍ଗ୍ ତିଆରି କରିଥିଲା ରବି ପୂଜାରି  । ଏହା ପରେ ମୁମ୍ବାଇର ବିଲ୍ଡରମାନଙ୍କୁ ଧମକ ଦେଇ ଦାଦାବଟି ଆଦାୟ କରିବା ଆରମ୍ଭ କରିଥିଲା ପୂଜାରି  । ଇଂରାଜୀ ଓ କନ୍ନଡ଼ ଭାଷା ସ୍ପଷ୍ଟ କହିପାରୁଥିବା ପୂଜାରି ଅଷ୍ଟ୍ରେଲିଆରେ ଥାଇ ଗ୍ୟାଙ୍ଗ୍ ଚଳାଇବାର ମଧ୍ୟ ଅଭିଯୋଗ ରହିଛି  । ତେବେ ସେନେଗଲରୁ ରବି ପୂଜାରୀ ଗିରଫ୍ ହେବାପରେ ଅପରାଧ ଦୁନିଆର ନୂଆ ଗୁମର ଫିଟିବା ଅନୁମାନ କରାଯାଉଛି  ।