ଆଇନ କହିଲା ଆତଙ୍କବାଦୀ କିଏ? ଆତଙ୍କବାଦ ନିରୋଧୀ ଆଇନରେ ମସୁଦ ଆଝାର, ହାଫିଜ୍ ସଇଦ, ଦାଉଦ୍ ଇବ୍ରାହିମ୍ ଏବଂ ଜାକିର ରେହମାନ୍ ଆତଙ୍କବାଦୀ ଘୋଷିତ

754

କନକ ବ୍ୟୁରୋ : ଆତଙ୍କବାଦୀ ଘୋଷିତ ହେଲେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜାହାର, ହାଫିଜ୍ ସୟିଦ୍, ଦାଉଦ୍ ଇବ୍ରାହିମ୍ ଓ ଜାକି-ଉର୍-ରହମାନ । ଏନେଇ ଗୃହମନ୍ତ୍ରୀଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଗୃହ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଆଗାମୀ ଦିନରେ ଏହି ତାଲିକାରେ ଏହିପରି ଅନେକ ନାମ ଯୋଡାଯିବ ।

ମାସୁଦ ଆଝାର । ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ । ପାକିସ୍ତାନ ମାଟିରୁ ଆତଙ୍କବାଦର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଥିବା ଏହି ଆତଙ୍କବାଦୀ, ୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣାରେ ଜେଲରୁ ଛାଡ ପାଇ ଭାରତ ବିରୋଧି ଷଡଯନ୍ତ୍ର ରଚିଆସୁଥିଲା । ମିଳିତ ଜାତିସଂଘ ନିରାପତା ପରିଷଦ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ଏହି ବ୍ୟକ୍ତିକୁ ଆଜି ଭାରତ ୟୁଏପିଏ ବା ଆତଙ୍କବାଦୀ ନିରୋଧି ଆଇନ ବଳରେ ଆତଙ୍କବାଦୀ ଘୋଷଣା କରିଛି ।

ହାଫିଜ୍ ସଇଦ । ଜମାତ-ଉଦ୍-ଦାୱାର ମୁଖ୍ୟ । ମାସୁଦ ଆଝାର ଭଳି ପାକିସ୍ତାନ ମାଟିରେ ବସି ମୃତ୍ୟୁର ଷଡଯନ୍ତ୍ର ରଚେ ଏହି ଆତଙ୍କବାଦୀ । ୨୦୦୮ରେ ମୁମ୍ବାଇରେ ବିସ୍ଫୋରଣ ଘଟାଇ ୧୬୪ଜଣଙ୍କୁ ମାରିଦେଇଥିବା ଏହି ଆତଙ୍କବାଦୀକୁ, ଆତଙ୍କବାଦୀ ନିରୋଧି ଆଇନ ବଳରେ ଆତଙ୍କବାଦୀ ଘୋଷଣା କରାଯାଇଛି ।

ଜାକି-ଉର୍–ରହମାନ ଲକବି । ଲସ୍କର-ଇ-ତୋଇବାର କମାଣ୍ଡର । ୨୬-୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଁଣ୍ଡ ଏହି ଆତଙ୍କବାଦୀ ଭାରତ ସମେତ ବିଭିନ୍ନ ଦେଶରେ ମୃତ୍ୟୁର ତାଣ୍ଡବ ରଚିଥାଏ । ଆତଙ୍କବାଦୀ ନିରୋଧି ଆଇନ ବଳରେ ତାକୁ ଆତଙ୍କବାଦୀ ଘୋଷଣା କରିଛନ୍ତି ଭାରତ ସରକାର ।

ଦାଉଦ୍ ଇବ୍ରାହିମ । ମୁମ୍ବାଇର ଏହି ଅଣ୍ଡର ୱାଲର୍ଡ ଡନ ଏବେ ପାକିସ୍ତାନରେ ରହୁଛି ।ଆଉ ଭାରତ ବିରୋଧୀ ଆତଙ୍କବାଦୀ ଗତିବିଧିରେ ସକ୍ରିୟ ରହୁଥିବା ନେଇ ଗୁଇନ୍ଦା ରିପୋର୍ଟ କହୁଛି । ହତ୍ୟା, ଦାଦାବଟି, ଡ୍ରଗସ ଟ୍ରାଫିକିଂ ଓ ଆତଙ୍କବାଦ ଚଳାଇ ଆସୁଥିବା ଦାଉଦ କୁ ଏବେ ଆତଙ୍କବାଦୀ ଘୋଷଣା କରିଛନ୍ତି ଭାରତ ସରକାର ।

ଏହି ୪ଜଣଙ୍କୁ ଆତଙ୍କବାଦୀ ନିରୋଧି ଆଇନ ବଳରେ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି । ଏହି ୪ଜଣଙ୍କ ନାଁରେ ଜାରି ହୋଇଛି ରେଡ କର୍ଣ୍ଣର ନୋଟିସ୍ । ଗତ ଜୁଲାଇ ମାସରେ ଆତଙ୍କବାଦୀ ନିରୋଧୀ ବିଲ ସଂସଦର ଉଭୟ ଗୃହରେ ପାସ୍ ହୋଇ ଆଇନରେ ପରିଣତ ହୋଇଥିଲା ।

ଏହି ଆଇନ କହୁଛି, ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଅଭିଯୋଗରେ କୌଣସି ବ୍ୟକ୍ତିକୁ ବ୍ୟକ୍ତିଗତ ଭାବେ ଆତଙ୍କବାଦୀ ଘୋଷଣା କରାଯାଇପାରିବ । ଆତଙ୍କବାଦୀଙ୍କୁ ଆର୍ଥିକ ଓ ବିଚାରଗତ ସହାୟତା ଦେଉଥିବା ଏବଂ ଆତଙ୍କବାଦ ସିଦ୍ଧାନ୍ତକୁ ପ୍ରଚାର କରୁଥିବା ବ୍ୟକ୍ତିକୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇପାରିବ । ଏଥିସହ ଗୃହ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଆଗାମୀ ଦିନରେ ଏହି ତାଲିକାରେ ଏହିପରି ଅନେକ ନାମ ଯୋଡାଯିବ ।