ନିଃସର୍ତ୍ତ କ୍ଷମା ମାଗିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ! ସିଓଏ କହିଲେ, କ୍ୟାରିୟର ଶେଷ ହେବା ପୂର୍ବରୁ ତଦନ୍ତ କରାଯାଇ ନିଆଯାଉ କାର୍ଯ୍ୟାନୁଷ୍ଠାନ

474

ଶେଷରେ କ୍ଷମା ମାଗିଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ । ଏକ ଟେଲିଭିଜନ ସୋ’ରେ ମହିଳାଙ୍କ ସର୍ମ୍ପକରେ ଅଶାଳୀନ ମନ୍ତବ୍ୟ ଦେଇ ଭାରତୀୟ ଟିମରୁ ଯାଞ୍ଚ ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିବା ହାର୍ଦ୍ଦିକ ଓ ରାହୁଲ ଆଜି ଏହି ଘଟଣାରେ ନିଃର୍ସତ କ୍ଷମା ପ୍ରାର୍ଥନା କରିଛନ୍ତି । ଏନେଇ ପ୍ରଶାସନିକ ସମିତିର ଅଧ୍ୟକ୍ଷ ବିନୋଦ ରାୟ କହିଛନ୍ତି, ବିସିସିଆଇ ଏହି ଦୁଇ ଖେଳାଳିଙ୍କ କ୍ୟାରିୟରକୁ ଶେଷ କରିବା ବଦଳରେ ସେମାନଙ୍କୁ ସୁଧାରିବାକୁ ଚେଷ୍ଟା କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ । ଦୁଇ ଖେଳାଳି ବିନା ସର୍ତ୍ତରେ କ୍ଷମା ମାଗିବା ପରେ ମଧ୍ୟ ବିସିସିଆଇର ୧୦ ରାଜ୍ୟର ବୋର୍ଡ ପକ୍ଷରୁ ଏହି ମାମଲାର ଯାଞ୍ଚ ପାଇଁ ଲୋକପାଳ ନିଯୁକ୍ତ କରିବାକୁ ସ୍ୱତନ୍ତ୍ର ବୈଠକ ଡାକିବାକୁ ଦାବି କରିଛନ୍ତି ।

ବିସିସିଆଇର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଏହି ବିବାଦ ପରେ ହାର୍ଦ୍ଦିକ ଓ ରାହୁଲ ବିସିସିଆଇ ପକ୍ଷରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି । ଏଥିରେ ବିନା ସର୍ତ୍ତରେ ଉଭୟ ଖେଳାଳି କ୍ଷମା ପ୍ରାର୍ଥନା କରିଛନ୍ତି । ସିଓଏ ପ୍ରମୁଖ ବିସିସିଆଇର ନୂଆ ସମ୍ବିଧାନର ଧାରା ୪୧ସି ଅନୁଯାୟୀ, ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସିଓଏ ବିନୋଦ ରାୟ ପୂର୍ବରୁ ଇମେଲରେ ଲେଖିଥିଲେ, ଏହି ଦୁଇ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ସିରିଜ ମଝିରୁ ଫେରାଇ ଆଣିବା ଫଳରେ ଏମାନେ ଲଜ୍ଜିତ ହୋଇଛନ୍ତି । ଏସବୁ ଭିତରେ ସେମାନଙ୍କର ପକ୍ଷ ମଧ୍ୟ ଶୁଣିବା ଆବଶ୍ୟକ । ଆମେ ତାଙ୍କୁ ନିଲମ୍ବିତ କରିଛୁ । ତାଙ୍କ ମଧ୍ୟରେ ସୁଧାର ଅଣାଯିବା ଆବଶ୍ୟକ । ଯଦି ଏହି ଘଟଣାରେ ନିଷ୍ୱତି ନେବାରେ ବିଳମ୍ବ ହୁଏ ତେବେ ସେମାନଙ୍କର କ୍ୟାରିୟର ସମାପ୍ତ ହୋଇ ଯାଇପାରେ । ତେଣୁ ଖୁବଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।