ଉନ୍ମୟ ପାଢ଼ୀ ମୃତ୍ୟୁ ଘଟଣାରୁ ଉଠିଲା ପରଦା ! ଗର୍ଲଫ୍ରେଣ୍ଡ ଧୋକ୍କା ଦେବାରୁ ଡ଼ିପ୍ରେସନରେ ଥିଲେ ଉନ୍ମୟ , ବାନ୍ଧବୀଙ୍କୁ ଫସାଇବା ପାଇଁ ନଈ ପଠାକୁ ଯାଇ କରିଥିଲେ ଆତ୍ମହତ୍ୟା

38

କନକ ବ୍ୟୁରୋ : ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଉନ୍ମୟ ପାଢୀ ମୃତ୍ୟୁ ଘଟଣାରେ ଆଜି ଶେଷ ସିଦ୍ଧାନ୍ତରେ ପହଞ୍ଚିଛି କମିଶନରେଟ ପୋଲିସ । ଏକ ସମ୍ବାଦିକ ସମ୍ମିଳନୀ ଡାକି ପୋଲିସ କମିଶନର କହିଛନ୍ତି, ଏହା ହତ୍ୟା ନଥିଲା ବରଂ ଆତ୍ମହତ୍ୟା କରିଥିଲେ ଉନ୍ମୟ । ଏହାର ପ୍ରମାଣ ଦେବାକୁ ଯାଇ ୭ଟି ଥିଓରୀ ଦେଇଥିଲେ କମିଶନର ।
ବହୁ ଚର୍ଚ୍ଚିତ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଘଟଣାର ଫର୍ଦ୍ଦାଫାସ କରି ପୁଲିସ୍ ରଖିଥିବା ତଥ୍ୟ ପ୍ରମାଣ, ଘଟଣା ଉପରରୁ ଯେତିକି ପରଦା ଉଠାଉଛି, ତାଠୁ ଅଧିକ ସନ୍ଦେହ ଘେରକୁ ଟାଣି ନେଉଛି । ପୁଲିସ୍ ସୂଚନା ଦେଇ କହିଛି- ଏହା ହତ୍ୟାକାଣ୍ଡ ନଥିଲା ବରଂ ଥିଲା ଆତ୍ମହତ୍ୟା ।
ବଡ କଥା ହେଉଛି-ପୁଲିସ୍ କେଉଁ ପରିସ୍ଥିତିରେ ଏହି ଘଟଣାକୁ ଆତ୍ମହତ୍ୟା କହୁଛି ତା’ର ଏକ ସାତଟିକିଆ ଥିଓରୀ ମଧ୍ୟ ରହିଛି ।

ଥିଓରି ନମ୍ବର-୧ : ପ୍ରତିଶୋଧ ନେବାକୁ ଚାହୁଁଥିଲେ :
-୨୦୧୭ରେ ଭାଇରାଲ୍ ଭିଡିଓ ଘଟଣାରେ ଉନ୍ମୟ ଜେଲ୍ରୁ ଫେରିବା ପରେ ମାନସିକ ସ୍ତରରେ ଦୁର୍ବଳ ହୋଇ ଅବସାଦରେ ଥିଲେ । ଆଉ ବାନ୍ଧବୀଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲେ ।
ଥିଓରି ନମ୍ବର-୨ : ନିଜେ ନିଜ ପେଟରେ ଛୁରାମାଡ଼ କରିଥିଲେ :
-ଉନ୍ମୟଙ୍କ ପେଟରେ ପଶିଥିବା ଛୁରୀର ବାସ୍ତିବିକ୍ ସ୍ଥିତିରୁ ଜଣାପଡୁଛି ସେ ନିଜେ ନିଜ ପେଟରେ ଛୁରି ଭୁଷିଥିଲେ ।

ଥିଓରି ନମ୍ବର-୩ : ପ୍ରତିପକ୍ଷ ଆକ୍ରମଣର ଚିହ୍ନ ନାହିଁ :
– ଛୁରି ପଶିଥିବା ସମୟରେ ଶତ୍ରୁକୁୁ ପ୍ରତିହତ କରିବାର କୌଣସି କ୍ଷତ ଚିହ୍ନ ନାହିଁ

ଥିଓରି ନମ୍ବର-୪ : ଛୁରା ମାରିଲେ, ନିଜେ ନିଜକୁ ପୋଡିଲେ :
-ଘଟଣାସ୍ଥଳରୁ ମଳିଥିବା ପ୍ରମାଣ ଆଧାରରେ ପୁଲିସ୍ କହିଛି-ମୁଣ୍ଡର ବାମ ପଟେ ଲାଗିଥିବା କ୍ଷତ ଚିହ୍ନ ଶରୀରକୁ ପୋଡାଯାଇଥିବା ବେଳେ ଉତାପର ପ୍ରଭାବ

ଥିଓରି ନମ୍ବର-୫ : ଘଟଣା ସ୍ଥଳରେ ଦୀର୍ଘ ସମୟ ବିତାଇଥିଲେ :
– ମୋବାଇଲ ଲୋକେସନରୁ ମିଳିଥିବା ତଥ୍ୟ ଅନୁସାରେ ସଂନ୍ଧ୍ୟା ୬ଟାରୁ ରାତି ୧୧ଟା ୪୪ ଯାଏଁ ଉନ୍ମୟ ଘଟଣା ସ୍ଥଳରେ ଥିଲେ । ସ୍ଥାନୀୟ ଲୋକ ମଧ୍ୟ ଏହା କହିଛନ୍ତିା

ଥିଓରି ନମ୍ବର-୬ : ଟଙ୍କା ଦେଣନେଣ ନେଇ ବିବାଦ ନଥିଲା :
– ଉନ୍ମୟଙ୍କ ବ୍ୟାଙ୍କ ଆକାଉଂଟ ଷ୍ଟେଟମେଂଟରୁ ମିଳିଥିବା ତଥ୍ୟ ଅନୁସାରେ ଟଙ୍କା ଦେଣନେଣ କେବଳ ଉନ୍ମୟ ଓ ତାଙ୍କ ଭାଇ ଭିତରେ ସୀମିତ । ଅନ୍ୟ କାହାରିକୁ ଟ୍ରାଂଜାକ୍ସନ୍ ହୋଇନାହିଁ ।

ଥିଓରି ନମ୍ବର-୭ : ସୁଇସାଇଡାଲ ନୋଟ୍ ବଖାଣୁଛି ସତ :
-ଉନ୍ମୟ ମୃତ୍ୟୁ ପୂର୍ବରୁ ଲେଖିଥିବା ସୁଇସାଇଡାଲ୍ ନୋଟରେ ତାଙ୍କର କିଛି ଅଘଟଣ ଘଟିଲେ ସେଥିପାଇଁ ତାଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବନ୍ଧୁ ହିଁ ଦାୟୀ ରହିବେ ବୋଲି ବାରମ୍ବାର ଲେଖିଛନ୍ତି

କିନ୍ତୁ ପୁଲିସର ଏହି ସମସ୍ତ ଥିଓରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉନ୍ମୟଙ୍କ ପରିବାର ଲୋକ । ମାମଲାକୁ ବାଟବଣା କରିବା ପାଇଁ ଏଭଳି ଥିଓରି ରଖାଯାଇଥିବା ଅଭିଯୋଗ କରିଛନ୍ତି । ପୁଲିସର ସ୍ପଷ୍ଟିକରଣ ଏବଂ ପରିବାର ଲୋକ ଆଣିଥିବା ଅଭିଯୋଗ ଭିତରେ ଉନ୍ମୟ ପାଢ଼ୀ ମୃତ୍ୟୁ ଘଟଣାକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।
– ଯଦି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଛୁରା ମାରିବା ପରେ କାହିଁକି ନିଜ ଦେହରେ ନିଆଁ ଲଗାଇଲେ ?
-ଛୁରା ମାରିଥିବା ବ୍ୟକ୍ତି ନିଜ ଉପରେ ପେଟ୍ରୋଲ ଢ଼ାଲି ନିଆଁ ଲଗାଇବା ସଂଭବ କି ?
-ଉନ୍ମୟଙ୍କ ମୃତ୍ୟୁ ପରେ ଭିଡିଓକୁ କିଏ ଓ କାହିଁକି ଭାଇରାଲ କରୁଥିଲା ?
-ମାନସିକ ସନ୍ତୁଳନ ହରାଇ ବସିଥିବା ବ୍ୟକ୍ତି ସୁସ୍ଥ ମସ୍ତିସ୍କରେ ଥିଲା ଭଳି ଆଚରଣ କରିବେ କେମିତି ?
– ଉନ୍ମୟଙ୍କ କାନ ପାଖରେ ଥିବା କ୍ଷତଚିହ୍ନ କେମିତି ଓ କେଉଁଠୁ ଆସିଲା ?