ପାକିସ୍ତାନୀ ଷଡଯନ୍ତ୍ରର ପର୍ଦ୍ଦାଫାଶ : ଜମ୍ମୁକଶ୍ମୀର ମାନବାଧିକାର ଉଲ୍ଲଙ୍ଘନ କରୁଛି ବୋଲି ମିଳିତ ଜାତିସଂଘରେ ଉପସ୍ଥାପନ ହୋଇଥିବା ରିପୋର୍ଟ ପଛରେ ଥିଲା ପଡ଼ୋଶୀ ଦେଶର ହାତ

22

କନକ ବ୍ୟୁରୋ : ଜମ୍ମୁକଶ୍ମୀରକୁ ନେଇ ମିଳିତ ଜାତିସଂଘ ଦେଇଥିବା ରିପୋର୍ଟକଭ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏବେ ଏହି ରିପୋର୍ଟ ସମ୍ପର୍କିତ ଆଉ ଏକ ତଥ୍ୟ ପଦାକୁ ଆସିଛି । ଏପରି ରିପୋର୍ଟ ପ୍ରକାଶ କରିବା ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି । କାନାଡାରେ ରହୁଥିବା ପାକିସ୍ତାନୀ ଇସଲାମିଷ୍ଟ ଜଫର ବଙ୍ଗାସ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ସେ ଲଗାତର ଭାବେ ତାଙ୍କ ସହ ସମ୍ପର୍କରେ ରହିଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଯେ, କଶ୍ମୀରରେ ସେନା ବିରାଧରେ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ପାକିସ୍ତାନର ଏଜେଣ୍ଡା ରହିଛି । ଜଫର ବଙ୍ଗାସ ଜଣେ ଇସଲାମିକ ସାମ୍ବାଦିକ ଓ ମସଜିଦରେ ଇମାମ ଭାବେ ମଧ୍ୟ କାର୍ଯ୍ୟ କରନ୍ତି ।

କଶ୍ମୀର ପ୍ରସଙ୍ଗରେ ବକ୍ତବ୍ୟ ରଖୁଥିବା ସମୟରେ ସେ କହିଛନ୍ତି ଯେ, ମିଳିତ ଜାତିସଂଘ ମାନାବାଧିକାର ହାଇକମିଶନର ଜାୟଦ ବିନ୍ ରାଡ ଅଲ ହୁସେନ ଏହି ରିପୋର୍ଟ ପ୍ରସ୍ତୁତ କରୁଥିବା ସମୟରେ ତାଙ୍କ ସହ ସର୍ମ୍ପକରେ ଥିଲେ । ଏହି ରିପୋର୍ଟ ପ୍ରସ୍ତୁତ କରୁଥିବା ସମୟରେ କଶ୍ମୀରର ଅନ୍ୟ କିଛି ସାଥି ମଧ୍ୟ ଥିଲେ ଏବଂ ଫୋନ୍ ଓ ଇମେଲ୍ ଯୋଗେ ସେ ସମ୍ପର୍କରେ ଥିଲେ ବୋଲି କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ପାକିସ୍ତାନ ବିଦେଶ ମନ୍ତ୍ରାଳୟ ସେ ଆଲୋଚନା କରିଛନ୍ତି ଏବଂ ମାନବାଧିକାର ହାଇକମିଶନର ଓ ତାଙ୍କ ପ୍ରତିନିଧି ପାକିସ୍ତାନ ଓ ଆଜାଦ୍ କଶ୍ମୀର ଯିବେ ଯେଉଁଠାରେ ତାଙ୍କୁ ସମ୍ମାନିତ କରାଯିବ ।

ସୂଚନାଯୋଗ୍ୟ ଜମ୍ମୁକଶ୍ମୀର ମାନବାଧିକାର ଉଲ୍ଲଙ୍ଘନ ନେଇ ମିଳିତ ଜାତିସଂଘ ଦେଇଥିବା ରିପୋର୍ଟକୁ ଖଣ୍ଡନ କରିଥିଲା ଭାରତ । ଏହି ରିପୋର୍ଟକୁ ଭ୍ରମାତ୍ମକ ବୋଲି କହି ଏହାକୁ ଅସ୍ୱୀକାର କରିଥିଲା ନୂଆଦିଲ୍ଲୀ । କଶ୍ମୀରର ସ୍ଥିତି ନେଇ ରିପୋର୍ଟ ଜାରି କରିଥିଲା ମିଳିତ ଜାତିସଂଘ । ଯେଉଁଥିରେ ଜମ୍ମୁକଶ୍ମୀର ଓ ପାକିସ୍ତନ ଅଧିକୃତ କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ କରାଯାଉଥିବା ନେଇ ଉଲ୍ଲେଖ ରହିଥିଲା । କେବଳ ଏତିକି ନୁହେଁ ଏହାସହ ଏହି ଘଟଣାର ଅର୍ନ୍ତଜାତୀୟ ସ୍ତରରେ ଯାଂଚ କରିବା ପାଇଁ ଦାବି କରିଥିଲା ମିଳିତ ଜାତିସଂଘ ।

କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କଶ୍ମୀରରେ ରାଜନୈତିକ ସମାଧାନ ପାଇଁ ଦିଆଯାଉଥିବା ପ୍ରସ୍ତାବରେ ସେଠାରେ ହିଂସା ବନ୍ଦ କରିବା ସମ୍ପର୍କରେ ଉଲ୍ଲେଖ ରହିବା କଥା । ଭାରତୀୟ ସେନା ଦ୍ୱାରା ନିପାତ ହୋଇଥିବା ହିଜବୁଲ ଆତଙ୍କବାଦୀ ବୁରହାନ ୱାନୀ ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଥିଲା । କଶ୍ମୀରରେ ସାଧାରଣ ନାଗରିକଙ୍କ ଅପହରଣ, ହତ୍ୟା ଓ ଯୌନ ନିର୍ଯାତନା ପରି ମାନବାଧିକାର ଉଲ୍ଲଙ୍ଘନ ଘଟଣା ଜାରି ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା ।