ଖାଦ୍ୟ ପାଇଁ ଚାଲିଛି ଲଢ଼େଇ ! ଜାତିସଂଘର ଚେତାବନୀ, ୧୨ କୋଟି ଜୀବନ ଏବେ ଅନାହାର ମୃତ୍ୟୁର ଦ୍ୱାରଦେଶରେ

68

କନକ ବ୍ୟୁରୋ: ସାରା ବିଶ୍ୱରେ ଖାଦ୍ୟ ଅଭାବରୁ ମୃତ୍ୟୁ ସହ ସଂଘର୍ଷ ଜାରି ରଖିଥିବା ଲୋକଙ୍କ ସଂଖ୍ୟା ୧୨ କୋଟି ୪୦ଲକ୍ଷ ଟପି ସାରିଲାଣି । ସେମାନଙ୍କୁ ତୁରନ୍ତ ଆବଶ୍ୟକ ଖାଦ୍ୟ ନମିଳିଲେ ମୃତ୍ୟୁ ସୁନିଶ୍ଚିତ । ସେମାନଙ୍କ ମଧ୍ୟରୁ କେବଳ ସୋମାଲିଆ, ୟେମେନ୍, ଦକ୍ଷିଣ ସୁଦାନ ଓ ଉତ୍ତର ପୂର୍ବ ନାଇଜେରିଆରେ ଅନ୍ୟୂନ ୩ କୋଟି ୨୦ ଲକ୍ଷ ଲୋକ ଖାଦ୍ୟ ପାଇଁ ପରସ୍ପର ସହ ଲଢ଼ୁଛନ୍ତି । ସେଥିଯୋଗୁଁ ସେମାନେ ଏବେ ଅନାହାର ମୃତ୍ୟୁର ଦ୍ୱାରଦେଶରେ ।

ଏହି ସୂଚନା ଦେଇଛନ୍ତି ଜାତିସଂଘ ଖାଦ୍ୟ ସଂସ୍ଥାନ ମୁଖ୍ୟ ଡେଭିଡ ବିସଲି । ଜାତିସଂଘରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପସ୍ଥାପିତ କରି ବିସଲି କହିଛନ୍ତି ଯେ ଗତବର୍ଷ ହିଁ ଏହି ୪ଟି ଦେଶର ଲୋକଙ୍କୁ ଅନାହାର ଜନିତ ଅକାଳ ମୃତ୍ୟୁରୁ ରକ୍ଷା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେଠାରେ ଖାଦ୍ୟ ସଙ୍କଟ ଯୋଗୁଁ ଲୋକେ ପୋକ ମାଛି ପରି ମରିବା ଆରମ୍ଭ କଲେଣି । ସଦ୍ୟ ସୂଚନା ମୁତାବକ, ଇଥିଓପିଆ, ସୋମାଲିଆ ଓ କଙ୍ଗୋରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି । କିଛି ଆଫ୍ରିକୀୟ ଦେଶରେ ଉର୍ବର ମୃତ୍ତିକା, ପ୍ରାକୃତିକ ସମ୍ପଦ ଭରପୂର ଥିବା ସତ୍ତ୍ୱେ ଖାଦ୍ୟ ସୁରକ୍ଷା ଅଭାବରୁ ବାହୁବଳୀମାନେ ଫାଇଦା ମାରିନେବା ଚିନ୍ତାର କାରଣ ବୋଲି ବିସଲି ଉଦବେଗ ପ୍ରକାଶ କରିଛନ୍ତି ।

ବିସଲିଙ୍କ କହିବା ଅନୁଯାୟୀ, ଅନାହାର ଓ ସଂଘର୍ଷ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ସହ ତାହା ବିଧ୍ୱଂସକାରୀ ପାଲଟିଛି। ଭୋକ ମେଣ୍ଟାଇବା ପାଇଁ ଲୋକେ କରୁଥିବା ସଂଘର୍ଷ ହିଁ ହିଂସାର ରୂପ ନିଏ । ପାଲେଷ୍ଟାଇନ୍ ଗୃହଯୁଦ୍ଧ ହେଉ କି ଉତ୍ତର କୋରିଆ ଶାସକଙ୍କ ପରମାଣୁ ନିଶା, ସିରିଆର ଗୃହଯୁଦ୍ଧ ଅଥବା ଆଇଏସ୍ର ତାଣ୍ଡବ, ସବୁ କ୍ଷେତ୍ରରେ ଖାଦ୍ୟ ହିଁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଜଡ଼ିତ । ଦୀର୍ଘବର୍ଷ ଧରି ସିରିଆରେ ଚାଲିଥିବା ଗୃହଯୁଦ୍ଧ କାରଣରୁ ଲୋକେ କର୍ମକ୍ଷେତ୍ରକୁ ବାହାରି ପାରୁନାହାନ୍ତି । ବାରମ୍ବାର ଆକ୍ରମଣ ଯୋଗୁଁ ଲୋକେ ଖାଦ୍ୟର ସନ୍ଧାନ ମଧ୍ୟ କରିପାରୁନାହାନ୍ତି । ଯୁଦ୍ଧ ଯୋଗୁଁ ସରକାରଙ୍କ ମଧ୍ୟ ରାଜସ୍ୱ ସରିଯାଉଥିବାରୁ ଜନତାଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇପାରୁନାହିଁ ।

ସାରା ବିଶ୍ୱରେ ମୋଟ ୮୧ କୋଟି ୫୦ଲକ୍ଷ ଲୋକ ଅନାହାରରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଅର୍ଥାତ୍ ପାଖାପାଖି ୪୯କୋଟି ଲୋକ କେବଳ ସଂଘର୍ଷରତ ଅଞ୍ଚଳରେ ରହୁଛନ୍ତି । ସେଠାରେ ଗୋଟିଏ ଭୋଜନ ପରେ ପରବର୍ତ୍ତୀ ଖାଦ୍ୟ କେବେ ଓ କେଉଁଠି ମିଳିବ, ତାହା ସେମାନଙ୍କୁ ଜଣା ନଥାଏ। ଜାତିସଂଘ ମାନବାଧିକାର ସଂଗଠନର ମୁଖ୍ୟ ମାର୍କ ଲୋକକଙ୍କ କହିବା ଅନୁଯାୟୀ, ବିଗତ ଦୁଇ ଦଶନ୍ଧୀ ହେଲା ଦୁର୍ଭିକ୍ଷର ମାତ୍ରା ଏବଂ ଏହାର ପ୍ରଭାବ ମଧ୍ୟ ହ୍ରାସ ପାଇଛି । କୃଷିଭିତ୍ତିକ ଉତ୍ପାଦନରେ ମାତ୍ରାଧିକ ଅଭିବୃଦ୍ଧି କାରଣରୁ ଖାଦ୍ୟାଭାବକୁ ଦୂର କରାଯାଇ ପାରୁଛି । ଖାଦ୍ୟ ଉତ୍ପାଦନକାରୀ ରାଷ୍ଟ୍ର ନିଜକୁ ଅଧିକରୁ ଅଧିକ ଶକ୍ତିଶାଳୀ କରି ଗଢ଼ି ତୋଳିବାରେ ସକ୍ଷମ ହେଉଛନ୍ତି । ହାତ ଗଣତି କେଇଟା ଦେଶରେ ଦୁର୍ଭିକ୍ଷର ପ୍ରଭାବରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଯେଉଁଠି ଏବେ ବି ଦୁର୍ଭିକ୍ଷ ଲାଗି ରହିଛି, ସେଠାରେ ଲୋକେ କେବଳ ଖାଦ୍ୟ ପାଇଁ ନୁହେଁ ବରଂ ଶାନ୍ତିରେ ବଞ୍ଚିବା ପାଇଁ ବି ରାହା ଖୋଜୁଛନ୍ତି । ଏହି ସବୁ ଦେଶରେ ମୋଟ ସାଢ଼େ ୧୫କୋଟି ଶିଶୁ ମଧ୍ୟ ଖାଦ୍ୟାଭାବରୁ ଅପପୁଷ୍ଟି ଜନିତ ରୋଗର ଶିକାର ହେଉଛନ୍ତି। ସାରା ବିଶ୍ୱରେ ଚାଲିଥିବା ସଂଘର୍ଷରେ ବିରାମ ନ ଆସିବା ଯାଏ ପରିସ୍ଥିତିରେ ସୁଧାର ଆସି ପାରିବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି।