ପାଣି ଘେରରେ ମହାନଗରୀ ମୁମ୍ବାଇ ! ମେରାଇନ୍ ଡ୍ରାଇଭରେ ବନ୍ଧଡେଇଁଲା ସମୁଦ୍ର, ଆଜି ବନ୍ଦ ରହିବ ସ୍କୁଲ ଓ କଲେଜ

36

କନକ ବ୍ୟୁରୋ : ମୁମ୍ବାଇରେ ଜଳ ପ୍ରଳୟ । ଲଗାତର ବର୍ଷା ଯୋଗୁଁ ଏକ ପ୍ରକାର ଜଳବନ୍ଦୀ ହୋଇଯାଇଛି ମୁମ୍ବାଇ । ମଙ୍ଗଳବାର ସକାଳୁ ପ୍ରବଳ ବର୍ଷା ଯୋଗୁଁ ଠପ୍ ହୋଇଯାଇଥିଲା ମାୟାନଗରୀ ମୁମ୍ବାଇ । ଆଜି ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ଅଟକି ଯାଇଛି ମାୟାନଗରୀ ମୁମ୍ବାଇ । ହଜିଯାଇଛି ମୟାନଗରୀର ଚମକଦମକ । ବ୍ରେକ୍ ଲାଗିଯାଇଛି ସବୁଠାରୁ ବ୍ୟସ୍ତ ସହର ମୁମ୍ବାଇର ବେଗରେ । ବର୍ଷା ପାଣିରେ ଧୋଇ ହୋଇଯାଇଛି ମେଟ୍ରୋ ସିଟିର ମେଟ୍ରୋପଲିଟାନ୍ ଲାଇଫଷ୍ଟାଇଲ୍ । ମୁମ୍ବାଇରେ ପ୍ରକୃତିର ପ୍ରଳୟଙ୍କରୀ ରୂପ । ଲଗାଣ ବର୍ଷା ଯୋଗୁଁ ଜୀବନ ଯାତ୍ରା ଠପ୍ ହୋଇଯାଇଛି ।

ବର୍ଷାଜନ ନିଷ୍କାସିତ ହୋଇ ନପାରି ରାସ୍ତାଘାଟ ଜଳମଗ୍ନ ହୋଇଯାଇଛି । ରାସ୍ତାଘାଟ ସବୁଆଡ଼େ ପାଣିର ସୁଅ ଛୁଟିଛି । ହଜାର ହଜାର ପରିବାର ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ ଲଗାଣ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ମୁମ୍ବାଇର ଚାରିଆଡ଼େ ଏବେ ଖାଲି ପାଣି ଆଉ ପାଣି  । ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ ୧୦ଟି ଏନଡିଆରଏଫ ଟିମକୁ ନିୟୋଜିତ କରାଯାଇଛି । ରାତି ୨ଟାରୁ ବର୍ଷା ବନ୍ଦ ହୋଇଯାଇଥିଲେ ମଧ୍ୟ ଏବେବି ଅନେକ ସ୍ଥାନରେ ପାଣି ଜମିରହିଛି । ଆଗାମୀ ୪୮ଘଂଟା ମଧ୍ୟରେ ୨୫୦ମିଲିମିଟର ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମିଥିବା ଯୋଗୁଁ ଅଟକି ରହିଥିଲା ହଜାର ହଜାର ଗାଡି । ରେଳ ଲାଇନରେ ପାଣି ଜମିବା ଯୋଗୁଁ ରେଳ ଚଳାଚଳ ବାଧାପ୍ରପ୍ତ ହୋଇଥିଲା । ସେହିପରି ବିମାନ ଉଡାଣ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ମୁମ୍ବାଇର ସୂର୍ଯ୍ୟ ନଗର ଅଂଚଳରେ ଗୋଟିଏ କୋଠା ଭୁଷୁଡି ପଡିବା ଯୋଗୁଁ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ସ୍ଫୂସ୍ଖଳନ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଆହତ ହୋଇଥିବା ଜଣାପଡିଛି । ମଙ୍ଗଳବାର ଦିନ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୧୦୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।