କ୍ଷୁବ୍ଧ ଉମା ମୋଦିଙ୍କ ନିଷ୍ପତ୍ତି ବିରୋଧରେ ଗର୍ଜିଲେ : ମୋ ଠାରୁ ଗଂଗାକୁ କେହି ଛଡ଼ାଇ ନେଇପାରିବେ ନାହିଁ

52

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳରେ ଗଂଗା ସଫେଇ ମନ୍ତ୍ରାଳୟରୁ ବାଦ ପଡ଼ିଥିବା ମନ୍ତ୍ରୀ ଉମା ଭାରତୀ ଆଜି ତାଙ୍କର ଅସନ୍ତୋଷ ଜାହିର କରିଛନ୍ତି । ତାଙ୍କର ବିଭାଗ ପରିବର୍ତ୍ତନକୁ ବିରୋଧ କରି ଉମା ଆଜି ଏ ବାବଦରେ ତାଙ୍କର ମତ ରଖି କହିଛନ୍ତି ଯେ ଗଂଗା ସଫେଇ ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ପ୍ରକଳ୍ପକୁ ସେ ସଫଳତାର ସହ କାର୍ଯ୍ୟକାରୀ କରାଇଛନ୍ତି । ଗଂଗା ନଦୀର ବିକାଶ ପାଇଁ କାର୍ଯ୍ୟ କରିବାରୁ ତାଙ୍କୁ କେହି ହଟାଇ ପାରିବେ ନାହିଁ ଏବଂ ପବିତ୍ର ଗଂଗା ତଟରେ ସେ ପଦଯାତ୍ରା ଆରମ୍ଭ କରିବେ ବୋଲି ଉମା କହିଛନ୍ତି ।

ଆସନ୍ତା ମାସରୁ ଗଂଗା ସୁରକ୍ଷା ପାଇଁ ସେ ତାଙ୍କର ଅଭିଯାନ ଆରମ୍ଭ କରିବେ ବୋଲି ଉମା ସ୍ପଷ୍ଟ କରିଛନ୍ତି । ଉମାଙ୍କ ନିକଟରେ ପୂର୍ବରୁ ରହିଥିବା ଗଂଗା ସଫେଇ ମନ୍ତ୍ରାଳୟ ଏବେ ନୀତୁନ ଗଡ଼କରୀଙ୍କୁ ମିଳିଛି। ଉମା କହିଛନ୍ତି ଯେ ଯଦି ସେ ଗଂଗା ସଫେଇ କାର୍ଯ୍ୟରେ ବିଫଳ ହୋଇଛନ୍ତି ତା’ହେଲେ ଗଡ଼କରୀ କିଭଳି ଏହାକୁ ସଫଳ କରିପାରିବେ । ସେ ଗଡ଼କରୀଙ୍କ ସହିତ ମିଳିତ ଭାବେ ଏବଂ ତାଙ୍କର ପରାମର୍ଶ ନେଇ ଗଂଗା ସଫେଇ ଅଭିଯାନ କାର୍ୟ୍ୟକାରୀ କରୁଥିଲେ ବୋଲି ଉମା କହିଛନ୍ତି ।

ପଶ୍ଚିମ ବଙ୍ଗର ଗଂଗାସାଗର ତଟରୁ ସେ ଅକ୍ଟୋବରରୁ ପଦଯାତ୍ରା ଆରମ୍ଭ କରିବେ ଏବଂ ଏହା ସରକାରଙ୍କ ବିରୋଧରେ କୌଣସି ପଦକ୍ଷେପ ହେବନାହିଁ ବୋଲି ସେ କହିଛନ୍ତି । ଏ ସଂପର୍କରେ ମୁଁ ବର୍ଷେ ତଳୁ ଘୋଷଣା କରିସାରିଛି ଏବଂ ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଛି ବୋଲି ଉମା କହିଛନ୍ତି ।