ଭାରତ ଆସିବେ ମଦ ସମ୍ରାଟ୍ ବିଜୟ ମାଲ୍ୟା ! ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ମଂଜୁରୀ ଦେଲେ ଲଣ୍ଡନ କୋର୍ଟ

256

କନକ ବ୍ୟରୋ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ । ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ସିବିଆଇ ଜୋରଦାର ପ୍ରସ୍ତୁତି କରିଥିବା ବେଳେ କୋର୍ଟ ତରଫରୁ ତାଙ୍କୁ ମିଳିଛି ମଂଜୁରୀ । ଚିଫ ମାଜିଷ୍ଟ୍ରେଟ ଜଜ ଏମା ଏବର୍ଟନଟ ଏହି ରାୟ ଶୁଣାଇଛନ୍ତି । ଏହି ରାୟକୁ ଭିତ୍ତିକରି ଏବେ ମାମଲା ବ୍ରିଟେନର ଗୃହ ସଚିବ ସାଜିଦ ଜାଭିଦଙ୍କ ଅଫିସକୁ ପ୍ରେରଣ କରାଯିବ । ତେବେ ଏହି ରାୟ ବିରୋଧରେ ମାଲ୍ୟା ଲଣ୍ଡନ ହାଇକୋର୍ଟକୁ ଯିବାର ସମ୍ଭାବନା ରହିଛି ।

କିଛିଦିନ ତଳେ ମାଲ୍ୟା କହିଥିଲେ ଯେ ସେ ଯେଉଁଠାରେ ବି ଥାଆନ୍ତୁ, ଅର୍ଥ ପରିଶୋଧ କରିବାକୁ ରାଜି ଅଛନ୍ତି । ବ୍ୟାଙ୍କମାନେ ତାହାକୁ ନିଅନ୍ତୁ । କିନ୍ତୁ ସେ ଚୋରୀ କରିଥିବା ଚର୍ଚ୍ଚା ବନ୍ଦ ହେଉ ।ପୂର୍ବରୁ ଭାରତୀୟ ଜେଲ ଗୁଡ଼ିକର ଅବସ୍ଥା ଠିକ ନଥିବା ଯୁକ୍ତି ଦର୍ଶାଇ ଭାରତ ଆସିବାକୁ ଏଡ଼ାଇଥିଲେ ମାଲ୍ୟା । ତେବେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲର ମଧ୍ୟସ୍ଥି ମିଚେଲଙ୍କ ପ୍ରତ୍ୟର୍ପଣ ପରେ ମାଲ୍ୟା ଟଙ୍କା ଫେରସ୍ତ କରିବାକୁ ପ୍ରସ୍ତୁତ ବୋଲି ଟ୍ୱିଟ୍ କରିଥିଲେ । ୨୦୧୬ ମସିହାରୁ ମାଲ୍ୟା ଭାରତରୁ ଫେରାର୍ ହୋଇ ଲଣ୍ଡନରେ ଅଛନ୍ତି । ମାଲ୍ୟାଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ପାଖାପାଖି ୯ ହଜାର କୋଟି ଟଙ୍କା ଋଣ ବକେୟା ରହିଛି । ଆଜି ଏହି ମାମଲାର ଆସିବ ରାୟ ।