ମାଲ୍ୟାଙ୍କ ଭାରତ ଆସିବା ପଥ ହେଲା ପରିଷ୍କାର ! ଜେଟଲୀ କହିଲେ, ଏହା ମୋଦିଙ୍କ ବଡ ସଫଳତା । 

211

କନକ ବ୍ୟୁରୋ : ବିଜୟ ମାଲ୍ୟାଙ୍କ ଭାରତ ଆସିବା ପାଇଁ ପଥ ପରିଷ୍କାର ହୋଇଛି । ବ୍ରିଟେନ ଗୃହ ସଚିବ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ନିର୍ଦ୍ଦେଶ ଉପରେ ସ୍ୱାକ୍ଷର କରିଛନ୍ତି । ଏନେଇ ଅପିଲ କରିବା ପାଇଁ ମଦ ସମ୍ରାଟଙ୍କୁ ୧୪ ଦିନର ମହଲତ ମିଳିଛି । ସେପଟେ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ଦିଗରେ ମୋଦି ସରକାର ଏକ ପାଦ ଆଗେଇଛନ୍ତି କିନ୍ତୁ ଅପରପକ୍ଷରେ ଶାରଦା ସ୍କାମରେ ଅଭିଯୁକ୍ତଙ୍କୁ ସମର୍ଥନ କରୁଛନ୍ତି ବିରୋଧୀ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ।

ବିଜୟ ମାଲ୍ୟାଙ୍କୁ ଅଣାଯିବ ଭାରତ । ବ୍ରିଟେନ ଗୃହ ସଚିବ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ନିର୍ଦ୍ଦେଶ ଉପରେ ସ୍ୱାକ୍ଷର କରିବା ପରେ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ସମ୍ଭାବନା ବଢ଼ିଯାଇଛି । ଯଦି ମାଲ୍ୟା ଭାରତ ଫେରନ୍ତି ତେବେ ଏହା ମୋଦିଙ୍କ ସବୁଠୁ ବଡ଼ ସଫଳତା ହେବ । ବ୍ରିଟେନ ଗୃହ ସଚିବ ସାଜିଦ ଜାଭେଦ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ନିର୍ଦ୍ଦେଶ ଉପରେ ସୋମବାର ସ୍ୱାକ୍ଷର କରିଛନ୍ତି । ତେବେ ପ୍ରତ୍ୟାର୍ପଣ ବିରୋଧରେ ଆବେଦନ କରିବାକୁ ବିଜୟ ମାଲ୍ୟାଙ୍କ ନିକଟରେ ୧୪ ଦିନର ମହଲତ୍ ରହିଛି । ଏହି ସମୟ ଭିତରେ ମାଲ୍ୟା ଲଣ୍ଡନ ହାଇକୋର୍ଟରେ ଆବେଦନ ନକଲେ ୨୮ଦିନ ଭିତରେ ଭାରତକୁ ପ୍ରତ୍ୟାର୍ପଣ କରାଯିବ । ଏହାକୁ ଭାରତର ବଡ଼ କୂଟନୈତିକ ବିଜୟ କୁହାଯାଉଛି ।

ମାଲ୍ୟାଙ୍କ ପ୍ରତ୍ୟାର୍ପଣ ରାସ୍ତା ଫିଟିବା ପରେ ଏହାକୁ ସରକାରଙ୍କ ବଡ ବିଜୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ  । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ ଦିଗରେ ମୋଦି ସରକାର ଆଉ ଏକ ପାଦ ଆଗେଇଛନ୍ତି କିନ୍ତୁ ଅପରପକ୍ଷରେ ଶାରଦା ସ୍କାମ ମାମଲାରେ ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ବିରୋଧୀ ଏକାଠି ହେଉଛନ୍ତି । ସେପଟେ ଏହି ପ୍ରସଙ୍ଗରେ ଖୋଦ୍ ବିଜୟ ମାଲ୍ୟା ଟ୍ୱିଟ କରି କହିଛନ୍ତି ଯେ, ୨୦୧୮ ଡିସେମ୍ବର ୧୮ର ୱେଷ୍ଟମିନଷ୍ଟର କୋର୍ଟଙ୍କ ଫଇସଲା ପରେ ଆବେଦନ କରିବା ପାଇଁ ସେ ଚାହୁଁଥିଲେ । କିନ୍ତୁ ଗୃହମନ୍ତ୍ରୀଙ୍କ ନିଷ୍ପତି ପୂର୍ବରୁ ସେ ଆବେଦନ କରିପାରିନଥାନ୍ତେ ଏବେ ସେ ଆବେଦନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଟ୍ୱିଟ କରିଛନ୍ତି ।

ସୁନ୍ଦରୀ ତରୁଣୀଙ୍କୁ ନେଇ କ୍ୟାଲେଣ୍ଡର ତିଆରି କରୁଥିବା ଓ ମନୋରଂଜନ ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଥିବା ମାଲ୍ୟା ଆଜି ଦେବାଳିଆ  । ପାଖାପାଖି ୧୭ଟି ବ୍ୟାଙ୍କରୁ ସେ ନେଇଛନ୍ତି ୯ ହଜାର କୋଟି ଟଙ୍କାର ଋଣ  । ଏହା ପୂର୍ବରୁ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯାଇଛି  । ମୁମ୍ବାଇର ସ୍ୱତନ୍ତ୍ର ପିଏମଏଲ ଅଦାଲତ ଏହି ଘୋଷଣା କରିଥିଲେ  । ଅପରପକ୍ଷରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ତାଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ଥିବା ବିଜୟ ମାଲ୍ୟା ସବୁବେଳେ କହିଆସୁଛନ୍ତି  । ତେବେ ଏଥର ପ୍ରର୍ବତନ ନିର୍ଦ୍ଦେଶାଳୟ ଜାଲରୁ ଖସିବା ସହଜ ହେବ ନାହିଁ ବୋଲି କୁହାଯାଉଛି  ।