‘ଉଜ୍ୱଳା’ ବିବାଦ : ବିଜେଡିର ଟାର୍ଗେଟ, କରୁନାହାଁନ୍ତି ଦ୍ୱିତୀୟ ରିଫିଲିଂ, ବିଜେପିର ଜବାବ ମହିଳାଙ୍କ ଆର୍ଥିକ ସ୍ଥିତି ସୁଧାରନ୍ତୁ ରାଜ୍ୟ ସରକାର

34

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ମହତ୍ୱାକାଂଖି ଯୋଜନା ଉଜ୍ୱଳାର ସଫଳ ରୂପାୟନକୁ ନେଇ ମୋଦି ସରକାର ବାହା ବାହା ନେବାକୁ ଚେଷ୍ଟା କରୁଥିବା ବେଳେ ଆଜି ଏ ପ୍ରସଙ୍ଗରେ କଡା ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରତାପ ଦେବ ଅଭିଯୋଗ କରିଛନ୍ତି ଯେ ଦେଶରେ ୫କୋଟି ଗରିବ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ମୁହଁରେ ହସଫୁଟାଇବା ଉଦ୍ୟମ ବିଫଳ ହୋଇଛି ।

ପ୍ରତାପ ଦେବ କହିଛନ୍ତି ରାଜ୍ୟ ସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚମକାଇ ଦେଲାଭଳି । ଓଡିଶାରେ ୩୦ ଲକ୍ଷ ୪୮ ହଜାର ପରିବାରକୁ ଉଜ୍ୱଳା ଯେଜନାରେ ଗ୍ୟାସ ସିଲିଣ୍ଡର ଯୋଗାଇବା କଥା ସରକାର କହୁଥିବା ବେଳେ ରିଫିଲିଂ କ୍ଷେତ୍ରରେ ଏହା ଆଖି ଦୃଶିଆ ଭାବେ ହ୍ରାସ ପାଇଛି । ୨୦୧୬-୧୭ ଆର୍ଥିକ ବର୍ଷରେ ମାତ୍ର ୮ଲକ୍ଷ ଲୋକ ରିଫିଲିଂ କରିଥିବା ବେଳେ ଚଳିତବର୍ଷ ଏହା ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି । ବ୍ଲକସ୍ତରରେ ଡିଲରଙ୍କ ଅଭାବ, ଗ୍ୟାସ କଳାବଜାରି ଆଦି ଘଟଣାକୁ ଦୃଷ୍ଟି ନଦେଇ ଯେଉଁଭଳି ଭାବେ ଯୋଜନା ସଫଳ ହୋଇଥିବା ନେଇ ହୋର୍ଡିଂ ମାଧ୍ୟମରେ ପ୍ରଚାର କରାଯାଉଛି ତାକୁ କଡା ସମାଲୋଚନା କରିଛନ୍ତି ବିଜେଡି ମୁଖ୍ୟପାତ୍ର ପ୍ରତାବ ଦେବ ।

ସେପଟେ ବିଜେପି ଏହାର ଜବାବରେ କହିଛି, କେଉଁ ସ୍ଥାନରେ ହେଉ ନାହିଁ ଦ୍ୱିତୀୟ ରିଫିଲିଂ ତାହାର ସମ୍ପୂର୍ଣ୍ଣ ତଥ୍ୟ ଦେଉ ବିଜେଡି । ୧୮ ବର୍ଷ ଶାସନ କାଳରେ ବିଜେଡି ସରକାର ମହିଳାଙ୍କ ଆର୍ଥିକ ସ୍ଥିତିକୁ ସୁଧାର କରିବାରେ ବିଫଳ । ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ସବୁଠି ସଫଳ ହୋଇଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।