ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ ଅଢ଼େଇ କୋଟି ଟପିଲା

28

କନକ ବ୍ୟୁରୋ: ପଶ୍ଚିମବଙ୍ଗର ଜଙ୍ଗିପୁରଠାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨.୫ କୋଟିତମ ଗ୍ୟାସ୍ ସଂଯୋଗ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ରଘୁନାଥଗୁଞ୍ଜର ଗୌରୀ ଶଙ୍କରଙ୍କୁ ଏହି ଗ୍ୟାସ୍ ପ୍ରଦାନ ସଂଯୋଗ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ଥାନୀୟ ସାଂସଦ ଅଭିଜିତ୍ ମୁଖାର୍ଜୀ ଉପସ୍ଥିତ ଥିଲେ ।

ଏହି ଅବସରରେ ରାଷ୍ଟ୍ରପତି ୧୧ଜଣ ହିତାଧିକାରୀଙ୍କୁ ଗ୍ୟାସ୍ ବଣ୍ଟନ କରିଥିଲେ । ଉକ୍ତ ଯୋଜନା ଆରମ୍ଭ ହେବାର ମାତ୍ର ୧୪ ମାସ ମଧ୍ୟରେ ୨.୫ କୋଟି ଗରିବ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇ ପାରିଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଥିଲେ ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ୨୦୧୬ ମେ ୧ ତାରିଖରେ ଉତ୍ତରପ୍ରଦେଶର ବଲିଆଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ଉଜ୍ଜ୍ୱଳା ଗ୍ୟାସ ପ୍ରଦାନ କରିଥିଲେ । ଶନିବାର ଦିନ ମହାମହିମ ରାଷ୍ଟ୍ରପତି ହାତରେ ୨.୫କୋଟିତମ ଗ୍ୟାସ୍ ସଂଯୋଗ ପ୍ରଦାନ ଏକ ସ୍ମରଣୀୟ ଦିନ ହୋଇ ରହିବ । ଏହି ଯୋଜନା ଦେଶର ଗରିବ ମହିଳାଙ୍କ ଜୀବନରେ ସାକାରାତ୍ମକ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି, ଉତ୍ତରପ୍ରଦେଶରେ ସର୍ବାଧିକ ୫୫ ଲକ୍ଷ ଗ୍ୟାସ ବଣ୍ଟନ ହୋଇଥିବାବେଳେ ପଶ୍ଚିମବଙ୍ଗ ଦ୍ୱିତୀୟ ସ୍ଥାନରେ ରହିଛି । ପଶ୍ଚିମବଙ୍ଗରେ ଗ୍ୟାସ୍ ବଂଟନକୁ ଅଧିକ ଗତିଶୀଳ କରିବା ପାଇଁ ଆଉ ୬୦୦ ନୂଆ ବିତରକ ନିଯୁକ୍ତି କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଥିଲେ । ଏହି ଯୋଜନାରେ ୨୦୧୯ ସୁଦ୍ଧା ଦେଶର ୫ କୋଟି ଗରିବ ମହିଳାଙ୍କୁ ଏଲ୍ପିଜି ସଂଯୋଗ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ତିନି ବର୍ଷରେ ଦେଶରେ ଏଲପିଜି ବ୍ୟବହାର ୩୩ ପ୍ରତିଶତ ବୃଦ୍ଧି ହୋଇଛି । ଏଥିପାଇଁ ୫ ହଜାର ନୂଆ ବିତରକ ନିଯୁକ୍ତ ହୋଇଛନ୍ତି ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ଆବଶ୍ୟକତା ପୂରଣ ପାଇଁ ଗ୍ରାମାଞ୍ଚଳରେ ଏମାନେ କାର୍ଯ୍ୟରତ ଥିବା ଶ୍ରୀ ପ୍ରଧାନ କହିଛନ୍ତି ।