ଛାତ୍ରଛାତ୍ରୀଙ୍କୁ ଆଉ ମିଳିବନି ଜଙ୍କ୍ ଫୁଡ୍ ! ବିଶ୍ୱବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ବିକ୍ରୀ ହେବ ନାହିଁ ଜଙ୍କ୍ ଫୁଡ୍, ନିର୍ଦ୍ଦେଶ ଜାରି କଲା ୟୁଜିସି

27

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆଉ କ୍ୟାମ୍ପସରେ ମିଳିବନି ଜଙ୍କ୍ ଫୁଡ୍ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନକୁ କ୍ୟାମ୍ପସ ମଧ୍ୟରେ ଜଙ୍କ୍ ଫୁଡ ବିକ୍ରି ନିଷେଧ କରିବାକୁ ନିର୍ଦ୍ଦେଶାନାମା ଜାରି କରିଛି । ୟୁଜିସି ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ,ଜଙ୍କଫୁଡ଼ ସେବନ ଦ୍ୱାରା ମେଦବହୁଳଦା ବ୍ୟାପୁଛି, ଯାହା ଛାତ୍ରମାନଙ୍କ ଶିକ୍ଷାଗ୍ରହଣ ଉପରେ କୁପ୍ରଭାବ ପକାଉଛି। ଜଙ୍କ ଫୁଡ଼ ବିକ୍ରି ବନ୍ଦ ହେବା ଦ୍ୱାରା ଛାତ୍ରଛାତ୍ରୀ ସୁସ୍ଥ ଜୀବନଯାପନ କରିପାରିବେ। ଏହାଦ୍ୱାରା ଜଙ୍କ୍ ଫୁଡ୍ ଦ୍ୱାରା ହେଉଥିବା ରୋଗକୁ ମଧ୍ୟ ରୋକାଯାଇପାରିବ । ଏଣୁ କ୍ୟାମ୍ପସରେ ଏହାର ବିକ୍ରି ନିଷେଧ ହେବା ଦରକାର। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଏହି ମର୍ମରେ ଏକ ନିର୍ଦ୍ଦେଶାନାମା ଜାରି ପରେ ୟୁଜିସି ଏହି ପଦକ୍ଷେପ ନେଇଛି।

ମନ୍ତ୍ରାଳୟ ପକ୍ଷରୁ ଜାରି ୟୁଜିସି ଓ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା, ଜଙ୍କ୍ ଫୁଡ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ସହ ଏହାକୁ କଡାକଡି ଭାବେ ପାଳନ କରିବା ଆବଶ୍ୟକ । ଏହଛଡା ଛାତ୍ରଛାତ୍ରୀ ମାନଙ୍କ ଭିତରେ ଜଙ୍କ ଫୁଡକୁ ନେଇ ସଚେତନତା ସୃଷ୍ଟି କରିବା ଦରକାର । ଏହା ପୂର୍ବରୁ ସିବିଏସଇ ବୋର୍ଡ ମଧ୍ୟ ଏଭଳି ଏକ ପଦକ୍ଷେପ ଆପଣାଇଥିଲା । ସିବିଏସ୍ଇ ପକ୍ଷରୁ ଦେଶର ସମସ୍ତ ଅନୁବନ୍ଧିତ ସ୍କୁଲକୁ ଏପରି ଏକ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା। ସ୍କୁଲ କ୍ୟାଣ୍ଟିନ୍ରେ ଜଙ୍କ ଫୁଡ଼ ବିକ୍ରି ନିଷେଧ ଲାଗି ଏଥିରେ କୁହାଯାଇଥିଲା, କେବଳ ସେତିକି ନୁହେଁ, ପିଲାମାନଙ୍କର ଟିଫିନ୍ ବାକ୍ସ ଯାଞ୍ଚ କରିବାକୁ ମଧ୍ୟ ସ୍କୁଲ କର୍ତ୍ତୁପକ୍ଷଙ୍କୁ ସିବିଏସ୍ଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସ୍କୁଲ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ରିପୋର୍ଟ ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।