ଆକାଶରେ ଉଡିବ ଟାକ୍ସି ! ଏଣିକି ଟାକ୍ସି ଭଡାରେ ଆପଣ ନେଇପାରିବେ ବିମାନର ମଜା ।

41

ଏଣିକି ଆକାଶମାର୍ଗରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ହୋଇପାରିବ । କିନ୍ତୁ ବିମାନରେ ନୁହେଁ ବରଂ ଟାକ୍ସିରେ ବସି ଆପଣ ଆକାଶରେ ଉଡି ଯାତ୍ରା କରିପାରିବେ । ଆମେରିକା ସହରରେ ଉଡୁଥିବା ଟାକ୍ସିର ସମ୍ଭାବନାକୁ ଖୋଜିବା ପାଇଁ କେବ ସେବା ଦେଉଥିବା କମ୍ପାନୀ ଉବର ଏବଂ ନାସା ଏଥିପାଇଁ ଏକତ୍ର କାମ କରିବେ ।

ଏହାକୁ ନେଇ ଗତକାଲି ନାସା ପକ୍ଷରୁ କୁହାଯାଇଥିଲା ଯେ, ଆକାଶରେ ଉଡୁଥିବା ଟାକ୍ସିର ପରୀକ୍ଷଣ ଖୁବ ଶୀଘ୍ର ଆରମ୍ଭ ହେବ । ଏବଂ ଏହି ଟାକ୍ସି ଗୁଡିକରେ ଡିଲିବରି ଡ୍ରୋନ ମଧ୍ୟ ରହିବ । ଏହି ଘୋଷଣା ଲସ ଆଞ୍ଜେଲିସରେ ହୋଇଥିବା ଉବର ଏଲିବେଟ ମିଟିଂରେ କରାଯାଇଥିଲା । ଯେଉଁଠାରେ ସହର ବିମାନ ସେବାର ଭବିଷ୍ୟତ ଉପରେ ଚର୍ଚ୍ଚା କରିବା ପାଇଁ ଅନେକ ବିଶେଷଜ୍ଞ ଉପସ୍ଥିତ ରହିଥିଲେ ।

ସୂଚନା ଅନୁଯାୟୀ, ଉବର ଉଡୁଥିବା ଟାକ୍ସିର ଯୋଜନାକୁ ନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ।  ଉବରର କହିବା ଅନୁସାରେ, ଆଗାମୀ ୨ ବର୍ଷ ମଧ୍ୟରେ ଭର୍ଟିକାଲ ଟେକ ଅଫ ଏବଂ ଲାଣ୍ଡିଙ୍ଗ ସେବା ଆରମ୍ଭ କରିଦିଆଯିବ । ନାସା କହିଛି ଯେ, ଏପରି କରିବାର ଲକ୍ଷ୍ୟ ହେଉଛି ରାଇଡ ସେୟାର କିମ୍ବା କାରପୁଲ ନେଟୱାର୍କ ତିଆରି କରିବା ଯାହା ଯାତ୍ରୀମାନଙ୍କୁ ଏକ ଛୋଟ ବିମାନରେ ଯାତ୍ରା କରିବାର ସୁବିଧା ଦେଇଥାଏ । ଠିକ ସେହିପରି ଯେମିତି ଏବେ କାର ବୁକ କରିବ ପାଇଁ ଆପ ବ୍ୟାବହାର କରୁଛନ୍ତି । ଅନ୍ତରୀକ୍ଷ ଏଜେନ୍ସି କହିଛି ଯେ, ଡାଲାସ ଫୋର୍ଟ ବର୍ଥ ବିମାନବନ୍ଦରରେ ଏହି ଯୋଜନାର ପରୀକ୍ଷଣ କରାଯିବ ।

ତେବେ ଉବର ୨୦୨୦ ମସିହା ପର୍ଯ୍ୟନ୍ତ ଉଡୁଥିବା ଟାକ୍ସି ଏବଂ ଆଗାମୀ ୫ ରୁ ୧୦ ବର୍ଷ ମଧ୍ୟରେ ଅଟୋମେଟିକ ଉଡୁଥିବା ଟାକ୍ସି ତିଆରି କରିବାର ଯୋଜନା ରଖିଛି । ତେବେ ଉବର ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟରୁ ଜଣାପଡିଛି ଯେ ଏଥିରେ ୪ଜଣ ଲୋକ ବସିବାର କ୍ଷମତା ରହିବ । ତେବେ ଆରମ୍ଭରୁ କିଲୋମିଟର ପିଛା ୩.୮ ଡଲାର ଅର୍ଥାତ ପାଖାପାଖି ୨୫୬ ଟଙ୍କା ଭଡା ରହିବ ।