ଭାରତରେ ଫୁଟବଲ ଫିଭର ! ଆଜିଠୁ ଆରମ୍ଭ ହେବ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍

104

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଫୁଟବଲ ମହାକୁମ୍ଭ ।  ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପର ବିଗୁଲ ବାଜିବାକୁ ଆଉ ଅଳ୍ପ କିଛି ସମୟ ବାକି ଅଛି । ତେବେ ଚଳିତଥର ବିଶ୍ୱକପ୍ ଭାରତରେ ଅନୁଷ୍ଠିତ ହେଉଛି । ଆଜି ନୂଆଦିଲ୍ଳୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ବିଶ୍ୱକପର ଉଦଘାଟନ ହେବ । ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତିର ଝଲକ ଦେଖିବେ ପୂରା ବିଶ୍ୱବାସୀ । ଏଥି ସହିତ ବିଶ୍ୱକପ୍ ଆୟୋଜନ କରିବାରେ ଭାରତର ନାମ ମଧ୍ୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଯିବ। ଭାରତର ଏହା ହେବ ପଦାର୍ପଣ ବିଶ୍ୱକପ୍। ତେଣୁ ଦଳରେ ସାମିଲ ଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ପ୍ରଥମ ଥର ବିଶ୍ୱକପ୍ ଖେଳିବା ସୁଯୋଗ ସ୍ମରଣୀୟ ହୋଇ ରହିଯିବ। ଆୟୋଜକ ଦୃଷ୍ଟିକୋଣରୁ ଭାରତ ଏହି ବିଶ୍ୱକପକୁ ସିଧାସଳଖ ଯୋଗ୍ୟତା ହାସଲ କରିଛି।

india-u-17ଭାରତ ସମେତ ୨୪ଟି ଦେଶର ଫୁଟବଲ ଟିମ ଭାଗ ନେଇଛନ୍ତି । ୨୩ଦିନ ଚାଲିବ ଫିଫା ଅଣ୍ଡର ୧୭ଟି ୱାଲ୍ଡ କପ । ମୋଟ ୫୬ଟି ମ୍ୟାଚକୁ ୬ଟି ସହରରରେ ଖେଳାଯିବ । ଭାଗନେଇଥିବା ଦଳକୁ ମୋଟ ୬ଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଦିନରେ ୪ଟି ମୁକାବିଲା ହେବ । ଅକ୍ଟୋବର ୨୫ରେ ସେମିଫାଇନାଲ ଓ ୨୮ରେ ହେବ ଫାଇନାଲ ଫାଇଟ  । ଆଜି ଗ୍ରୁପ୍-ଏରେ ଆମେରିକା ସହ ଖେଳି ଭାରତ ମଧ୍ୟ ବିଶ୍ୱକପ୍ ପଦାର୍ପଣ କରିବ। ଏହାକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ଖେଳାଳିମାନେ ମଧ୍ୟ ମାନସିକ ଭାବେ ପ୍ରସ୍ତୁତ ହୋଇଯାଇଛନ୍ତି।ଭାରତ ବିଶ୍ୱକପରେ ଗ୍ରୁପ-ଏରେ ସ୍ଥାନ ପାଇଛି । ଗ୍ରୁପ ଏରେ ଭାରତ, ଆମେରିକା, କଲମ୍ବିଆ ଓ ଘାନା ରହିଛନ୍ତି ।

mascotଏତେବଡ ପ୍ରତିଯୋଗିତାରେ ଘରୋଇ ପରିବେଶ ଓ ସମର୍ଥନର ଫାଇଦା ଉଠାଇ ଦମଦାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ବୋଲି ଭାରତୀୟ ଦଳର ଅଧିନାୟକ ଅମରଜିତ୍ ସିଂହ କହିଛନ୍ତି । ଭାରତୀୟ ଫୁଟବଲ୍ ସଂଘ ଦଳର ପ୍ରସ୍ତୁତି ନିମନ୍ତେ ଯଥେଷ୍ଟ ସହାୟତା କରିଛି। ସଂଘ ପକ୍ଷରୁ ଖେଳାଳିମାନଙ୍କୁ ପ୍ରସ୍ତୁତି ନିମନ୍ତେ ବିଦେଶ ପଠାଯାଇଥିଲା। ଦଳ ୟୁରୋପ ଗସ୍ତ କରି ସେଠାରେ ମ୍ୟାଚ୍ ଖେଳି ଯଥେଷ୍ଟ ଅଭିଜ୍ଞତା ଓ କୌଶଳ ସାଉଁଟିଛି। ପୁଣି ମେକ୍ସିକୋରେ ଏକ ପ୍ରତିଯୋଗିତା ଖେଳି ବିଶ୍ୱକପ୍ ପ୍ରସ୍ତୁତିକୁ ଆଗେଇ ନେଇଛି। ବିଶେଷକରି ମୁଖ୍ୟ ପ୍ରଶିକ୍ଷକ ଲୁଇସ୍ ନର୍ଟନ୍ ଡି ମାତୋସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାତ୍ର ୭ ମାସ ପୂର୍ବରୁ ଏକାଠି ହୋଇଥିବା ଖେଳାଳିମାନେ ଆତ୍ମବିଶ୍ୱାସରେ ଭରି ରହିଛନ୍ତି। ତେଣୁ ବିଦେଶ ଗସ୍ତ ପରେ ଖେଳାଳିମାନେ ବିଶ୍ୱକପକୁ ଓହ୍ଲାଇବାକୁ ଖୁବ୍ ବ୍ୟଗ୍ର ଅଛନ୍ତି।

୨୦୩୦ ସୁଦ୍ଧା ଭାରତୀୟ ସିନିୟର ଟିମ କେମିତି ବିଶ୍ୱକପ୍ ଖେଳିବ ସେଇ ଲକ୍ଷ୍ୟରେ ୧୭ ବର୍ଷରୁ କମ ଟୁର୍ଣ୍ଣାମେଣ୍ଟକୁ ଭାରତ ଆୟୋଜନ କରୁଛି। ଏହା ଯୁବ ଖେଳାଳୀଙ୍କୁ ଅନ୍ତର୍ଜାତୀୟସ୍ତରରେ ଖେଳିବାର ସୁଯୋଗ ଦେବା ସହ ଆଗାମୀ ଦିନରେ ଟିମ୍ ପ୍ରସ୍ତୁତିରେ ସହାୟକ ହେବ।