ଚେନ୍ନାଇରୁ ନନ୍ଦନକାନନ ଆସିବ ଦୁଇଟି ଆନାକୋଣ୍ଡା : ବିରଳ ପ୍ରଜାତିର ସାପ ଦେଖିବେ ପର୍ଯ୍ୟଟକ

192

କନକ ବ୍ୟୁରୋ : ଓଡିଶା ଆସିବ ଆନାକୋଣ୍ଡା । ଚେନ୍ନାଇରୁ ଆସିବ ଦୁଇଟି ହଳଦିଆ ଆନାକୋଣ୍ଡା । ବିରଳ ପ୍ରଜାତିର ଏହି ଭୟାନକ ସାପକୁ ଆଣିବେ ନନ୍ଦନକାନନ କର୍ତୃପକ୍ଷ । ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଚେନ୍ନାଇରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ହଳଦିଆ ଆନାକୋଣ୍ଡା କିଣିବାକୁ ଯୋଜନା କରାଯାଉଛି। ଏନେଇ ବିଧାନସଭାରେ ପଚରା ଯାଇଥିବା ଲିଖିତ ପ୍ରଶ୍ନର ଉତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନ୍ୟାନ୍ୟ ଜନ୍ତୁ ମଧ୍ୟ ଅଦଳ ବଦଳ ହେବ । ଆଗରୁ ଆମେ ହଲିଉଡ ମୁଭିରେ ଆନାକୋଣ୍ଡା ଦେଖିଛେ। ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହି ବିରଳ ପ୍ରଜାତିର ସାପ ଦେଖିବାକୁ ପର୍ଯ୍ୟଟଙ୍କ ବିଶେଷ ଆଗ୍ରହ ଦେଖିବାକୁ ମିଳିବ ବୋଲି ଆଶା।

ସମଗ୍ର ବିଶ୍ୱରେ ଏହା ସବୁଠାରୁ ବଡ ସାପର ମାନ୍ୟତା ପାଇଛି । ଏ ପ୍ରଜାତିର ଆନାକୋଣ୍ଡା ସାଧାରଣତଃ ଦକ୍ଷିଣ ଆମେରିକାର ପାରାଗୁଏ, ଦକ୍ଷିଣ ବ୍ରାଜିଲ, ଉତ୍ତର-ପଶ୍ଚିମ ଆର୍ଜେଂଟିନା ଓ ବଲିଭିୟାରେ ଦେଖା ଯାଆନ୍ତି। ଏଗୁଡିକ ବିଷଧର ହୋଇନଥିଲେ ମଧ୍ୟ ଜୀବ ଜନ୍ତୁଙ୍କୁ ଗୋଟା ଗିଳି ଦିଅନ୍ତି। ଏମାନଙ୍କ ମୁଣ୍ଡ ଅପେକ୍ଷାକୃତ ବଡ ଓ ଦାନ୍ତ ଖୁବ ମୁନିଆ।

ସେହିପରି ଚେନ୍ନାଇରୁ ଆସିବ ଧଳା ରଙ୍ଗର ୨ଟି ଅଣ୍ଡିରା ଓ ୨ଟି ମାଈ ମୟୂର। ଭାରତରେ ବିଭିନ୍ନ ପ୍ରକାର ମୟୁର ଦେଖାଯାଉଥିବାବେଳେ ବିଶେଷ କରି ଧଳା ମୟୂର ଦେଖିବା ପାଇଁ ବିରଳ। ତେଣୁ ଏହି ପ୍ରଜାତିର ମୟୂର ମଧ୍ୟ ବିଶେଷ ଆକର୍ଷଣ ହେବ ବୋଲି ଆଶା କରୁଛନ୍ତି ନନ୍ଦନକାନନ କର୍ତୃପକ୍ଷ।

ନନ୍ଦନକାନନରେ ଅଛନ୍ତି ମହାବଳ ବାଘ ଓ ବିରଳ ଧଳା ବାଘ। କଲରାପତରିଆ ଓ ଚିତା ବାଘ ଦେଖିବା ପାଇଁ ବି ସବୁବେଳେ ଦେଖଣାହାରୀଙ୍କ ଭିଡ ଜମେ । ହେଲେ ଏବେ ଆସିବାକୁ ଯାଉଛି ନାଲି ରଙ୍ଗର ବାଘ। ହାଇଦ୍ରାବାଦସ୍ଥିତ ନେହେରୁ ପ୍ରାଣୀ ଉଦ୍ୟାନରୁ ଦାନ ସୂତ୍ରରେ ଆସିବ ଗୋଟିଏ ଅଣ୍ଡିରା ବାଘ ।

ଦକ୍ଷିଣ-ପୂର୍ବ ଏସିଆରେ ମୁଖ୍ୟତଃ ଦେଖାଯାଆନ୍ତି ରେଟିକୁଲେଟ ଅଜଗର। ଏଗୁଡିକ ବିଷଧର ନୁହନ୍ତି। ଜନବସତି ପାଇଁ ମଧ୍ୟ ବିପଦଜନକ ନୁହେଁ । ହେଲେ ଏ ପ୍ରଜାତିର ସାପ ଖୁବ ଶକ୍ତିକାଳୀ ଏବଂ ଜଣେ ବୟସ୍କ ବ୍ୟକ୍ତିକୁ ମଧ୍ୟ ଜାବୁଡିଧରି ମାରିବାରେ ସକ୍ଷମ। ଏବେ ଚେନ୍ନାଇରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ୨ଟି ଅଣ୍ଡିରା ଓ ୨ଟି ମାଈ ରେଟିକୁଲେଟ ଅଜଗର।

ସାଧାରଣତଃ ଆଫ୍ରିକାରେ ଦେଖାଯାଉଥିବା ଜଳହସ୍ତୀ ଏକ ବିଶାଳକାୟ ଜୀବ । ଏହାକୁ ସବୁଠାରୁ ବଡ ସ୍ତନ୍ୟପାୟୀ ପ୍ରାଣୀ ବୋଲି କୁହାଯାଏ । ଅଣ୍ଡିରା ଜଳହସ୍ତୀର ଓଜନ ୧୫ଶହରୁ ୧୮ଶହ କିଲୋଗ୍ରାମ ହୋଇଥାଏ। ସେହିପରି ମାଈ ଜଳହସ୍ତୀ ୧୩ଶହରୁ ୧୫ଶହ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାନ୍ତି । ଏଗୁଡିକ ୪୦ରୁ ୫୦ ବର୍ଷ ବଂଚନ୍ତି । ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ଚେନ୍ନାଇ ସ୍ଥିତ ଆରିଗ୍ନାନ ଆନ୍ନା ପ୍ରାଣୀ ଉଦ୍ୟାନକୁ ଗୋଟିଏ ଅଣ୍ଡିରା ଓ ୨ଟି ମାଈ ଜଳହସ୍ତୀ ଦିଆଯିବ ବୋଲି ଜଣାପଡିଛି।

ମଧ୍ୟମ ଧରଣର ସିଆମିଜ କୁମ୍ଭୀର ସାଧାରଣତଃ ମଧୁର ଜଳରେ ଦେଖା ଯାଆନ୍ତି। ଇଣ୍ଡୋନେସିଆ, କାମ୍ବୋଡିଆ, ବର୍ମା ଆଦି ସ୍ଥାନରେ ଏଗୁଡିକ ଅଧିକ ସଂଖ୍ୟାରେ ଦେଖାଯାଉଥିବା ବେଳେ ଏବେ ବିଶ୍ୱର ପ୍ରାୟ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛନ୍ତି। ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଗୋଟିଏ ଅଣ୍ଡିରା ସିଆମିଜ କମ୍ଭୀର ଚେନ୍ନାଇ ଯିବ ବୋଲି ଜଣାପଡିଛି।

ଭାରତୀୟ ପ୍ରଜାତୀର ୩ଟି ଦେଶୀ ଭାଲୁ ପଠାଯିବ ଲକ୍ଷ୍ନୌ। ନବାବ ୱଜିବ ଅଲ୍ଲିଶାହା ପ୍ରାଣୀ ଉଦ୍ୟାନକୁ ପଠାଯିବ ୨ଟି ଅଣ୍ଡିରା ଓ ଗୋଟିଏ ମାଈ ଦେଶୀ ଭାଲୁ।