କୁମ୍ଭୀର ପାଟିରୁ ଯୁବକ ଉଦ୍ଧାର: ୨ ମହିଳାଙ୍କ ସାହାସ ବଳରେ ନୂଆ ଜୀବନ ପାଇଲେ କିନାରାମ

51

କନକ ବ୍ୟୁରୋ: କୁମ୍ଭୀର ପାଟିରୁ ଯୁବକକୁ ଉଦ୍ଧାର କଲେ ଦୁଇ ମହିଳା । ଏପରି ଲୋମହର୍ଷକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବଡଟୁବି ଗାଁରେ । ଗତକାଲି ବଡଟୁବି ଗାଁର କିନାରାମ ମଣ୍ଡଳ ଶୌଚହେବାକୁ ନଦୀକୁ ଯାଇଥିଲେ । ଏହି ସମୟରେ ତାଙ୍କ ହାତକୁ କାମୁଡି ନଈ ଭିତରକୁ ଟାଣୁ ନେଉଥିଲା କୁମ୍ଭୀର । ଜୀବନ ବିକଳରେ କିନାରାମ ଚିକ୍ରାର କରଥିବା ବେଳେ ପାଖରେ ମାଛ ଧରୁ ଥିବା ଦୁଇ ଜଣ ମହିଳା ତାଙ୍କୁ ଉଦ୍ଧାର କରିଥିଲେ । ୨ ମହିଳାଙ୍କ ସାହାସ ବଳରେ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଯାଇଛନ୍ତି କିନାରାମ । ଗୁରୁତର ଅବସ୍ଥାରେ ତାଙ୍କୁ ରାମନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ।

ସେପଟେ, ନୂଆପଡା ଜିଲ୍ଲା ହଳଦୀ ଗାଁରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ହଳଦୀ ଗାଁ ପାଖ ଶାରଦା ମନ୍ଦିର ପାଖରେ ଆଜି ବାଘ ଦେଖିଛନ୍ତି ସ୍ଥାନୀୟ ବାସିନ୍ଦା । ଯାହାକୁ ନେଇ ଆଖପାଖ ଅଂଚଳରେ ଆତଙ୍କ ଖେଳିଯାଇଛି । ଆଜି ଭୋର ସମୟରେ ଗାଁର କିଛି ଲୋକ ଶାରଦା ମନ୍ଦିର ପାଖରେ ବାଘକୁ ଦେଖିବା ପରେ ସାରା ଅଂଚଳରେ ଏହି ଖବର ପ୍ରଚାରିତ ହୋଇଯାଇଛି ।

ପୁଣି ହଳଦୀ ଗାଁରେ ବାଘର ଉପସ୍ଥିତି ଅଂଚଳବାସୀଙ୍କୁ ଭୀତତ୍ରସ୍ତ କରିଛି । ପୂର୍ବରୁ ନୂଆପଡାର ହଳିଦୀ ଗାଁରେ ମା କୋଳରୁ ଛୁଆକୁ ଟାଣି ନେଇଥିଲା କଲପତରିଆ ବାଘ । ଏହାପରେ ବନବିଭାଗର ଉଦ୍ୟମ କ୍ରମେ ହଳଦୀ ଗାଁ ଅଂଚଳରୁ ୨ଟି ବାଘ ଧରା ହୋଇ ନନ୍ଦନକାନନକୁ ଅଣାଯାଇଛି । ଏବେ ପୁଣି ଗାଁ ଆଖପାଖରେ ବାଘ ଦେଖାଯିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି । ତୁରନ୍ତ ବାଘକୁ ଧରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।