କୁମ୍ଭୀର-ମଣିଷ ମୁହାଁମୁହିଁ । କେନାଲ ଭିତରେ କୁମ୍ଭୀର କବଳରୁ ମହିଳାଙ୍କୁ ବଞ୍ଚାଇଲେ ମାଛ ଧରାଳି । ଅଣ୍ଟାଏ ପାଣିରେ କୁମ୍ଭୀର ସହ ଲଢ଼ିଲେ ୨ ମହିଳା

28

କନକ ବ୍ୟୁରୋ: ପାଣି ଭିତରେ କୁମ୍ଭୀର କବଳରୁ ବାନ୍ଧବୀଙ୍କୁ ବଂଚାଇଲେ ଦୁଇ ମାଛ ଧରାଳି ମହିଳା । ଦୁଇ ମହିଳାଙ୍କ ସାହସିକତା ପାଇଁ ଅଳ୍ପକେ ବଂଚିଯାଇଛି କେନ୍ଦ୍ରାପଡା ଜିଲ୍ଳା ବତୀଘର ପଂଚାୟତ ବରକୋଲିଖୋଲ ଗାଁର ମାନି ଧଉଡିଆଙ୍କ ଜୀବନ । ପାଣି ଭିତରେ କୁମ୍ଭୀର ସହ ଲଢ଼ି ମାନିଙ୍କ ଜୀବନକୁ ବଂଚାଇଛନ୍ତି ସେହି ଗାଁର ବାସନ୍ତି ଜେନା ଓ କାଂଚନ ପ୍ରଧାନ ।

 

କହିବା ଅନୁଯାୟୀ ସଂରକ୍ଷିତ ଅଭୟାରଣ୍ୟ ନିକଟସ୍ଥ ଖରିନାସୀ କେନାଲରେ ମାଛ ଧରୁଥିବାବେଳେ ଅଚାନକ ଏକ ୭ଫୁଟ ଲମ୍ବର କୁମ୍ଭୀର ମାନିଙ୍କୁ ମାଡି ବସିଥିଲା ଓ ପାଣି ଭିତରକୁ ଟାଣି ନେଇଥିଲା । ଏହି ସମୟରେ ନିକଟରେ ମାଛ ଧରୁଥିବା ବାସନ୍ତି ଓ କାଂଚନ ଅଂଟାଏ ପାଣି ଭିତରେ କୁମ୍ଭୀର ସହ ଲଢ଼େଇ କରିଥିଲେ । ନିଜ ପାଖରେ ଥିବା ଷ୍ଟିଲ ବାସନରେ କୁମ୍ଭୀରର ମୁହଁକୁ ବାରମ୍ବାର ଆକ୍ରମଣ କରିଥିଲେ ।

ତାପରେ କୁମ୍ଭୀରଟି ଭୟରେ ମାନିଙ୍କୁ ଛାଡି ଚାଲିଯାଇଥିଲା । ଆଉ ବଂଚିଯାଇଥିଲେ ମାନି । ହେଲେ କୁମ୍ଭୀର କାମୁଡାରେ ଲହୁ ଲୁହାଣ ହୋଇଥିଲେ ମାନି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କ ଦେହରେ ୫୮ଟି ଷ୍ଟିଚ୍ ପଡିଥିବା ଜଣାପଡିଛି । ତେବେ ଦୁଇ ମହିଳାଙ୍କ ସାହାସିକତା ପାଇଁ ସବୁଆଡୁ ପ୍ରଶଂସା କରାଯାଇଛି । ଭିତରକନିକାର ଆଖପାଖ ଅଂଚଳରେ ଏହିଭଳି କୁମ୍ଭୀର ଆକ୍ରମଣ ବାରମ୍ବାର ଘଟୁଛି ।