ଉବର କ୍ୟାବରେ ତାଣ୍ଡବ କଲେ ଦୁଇ ମହିଳା ! ଜୋରଦାର ମାରିପିଟ୍, ସାମ୍ବାଦିକଙ୍କ ଚୁଟି ଟାଣିଲେ, ଆହତ କଲେ ।

31

ମୁମ୍ବାଇରେ ଜଣେ ମହିଳା ପତ୍ରକାରଙ୍କ ସହ ଉବରର ସେୟାର କ୍ୟାବରେ ମାରପିଟ୍ ହୋଇଛି । ପତ୍ରକାର ଉଷ୍ନୌତା ପାଲ ଟ୍ୱିଟରରେ ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି ଏବଂ ଜଣେ ମହିଳା ସହଯୋଗୀ ତାଙ୍କ ସହ ମାରପିଟ୍ କରିଥିବା ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସକୁ ସମସ୍ତ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳା ଜଣଙ୍କ ପତ୍ରକାରଙ୍କର ଚୁଟି ଉପାଡିଦେବା ସହ ମୁହଁରେ ମଧ୍ୟ ଅନେକ ଆଘାତ ସୃଷ୍ଟି କରିଛନ୍ତି ।

ମହିଳା ପତ୍ରକାରଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ମହିଳାଙ୍କ ସୂଚନା ଦେବା ପାଇଁ ଉବର ଇଣ୍ଡିଆ ମନା କରିଦେଇଛି । ମୁମ୍ବାଇ ପୋଲିସ ଟ୍ୱିଟରରେ ମହିଳାଙ୍କୁ ଜବାବ ଦେବା ସହ ଘଟଣାର ତଦନ୍ତ କରୁଛି । ଅଭିଯୋଗ ଅନୁଯାୟୀ, ମହିଳା ପତ୍ରକାର ଜଣଙ୍କ ସକାଳେ ଉବର ପୁଲ କ୍ୟାବ ନେଇଥିଲେ । କ୍ୟାବରେ ଥିବା ଆଉ ଜଣେ ମହିଳା ପ୍ରଥମରୁ ହିଁ ରାଗରେ ଥିଲେ । ଏବଂ ସେ ଡ୍ରାଇଭର ଉପରେ ଚିତ୍କାର କରିଥିଲେ ଯେ, ସେ ସବୁଠାରୁ ଅଧିକ ଟଙ୍କା ଦେଇଛନ୍ତି କିନ୍ତୁ ତାଙ୍କୁ ଶେଷରେ ଡ୍ରପ୍ କରାଯାଉଛି । ଯେତେବେଳେ ମହିଳା ପତ୍ରକାର ଜଣଙ୍କ ଏଥିରେ ହସ୍ତକ୍ଷେପ କରିଥିଲେ, ସେତେବେଳେ ତାଙ୍କ ସହ ମାରପିଟ୍ କରାଯାଇଛି । ମହିଳା ପତ୍ରକାର ଜଣଙ୍କ ଶାନ୍ତ ରହିବା ପରେ ମଧ୍ୟ ଅଭିଯୁକ୍ତ ମହିଳା ତାଙ୍କ ସହ ଝଗଡା କରିଥିଲେ । ଏହାପରେ ତାଙ୍କ ଫଟୋ ଉଠାଇବା ପାଇଁ ଚେଷ୍ଟା କରାଯିବାରୁ ସେ ଫୋନ ଭାଙ୍ଗି ଦେବା ନେଇ ଧମକ ଦେଇଥିଲେ । ଘଟଣାଟି ମୁମ୍ବାଇର ଲୋୟର ପରେଲର ଅଟେ ।