ଦେବଦୂତ ପାଲଟିଲେ ଦୁଇ ଭଉଣୀ ! ଜୀବନକୁ ପାଣିଛଡ଼ାଇ ମହାନଦୀର ଅକାତକାତ ପାଣିରୁ ବଂଚାଇଲେ ୧୦ରୁ ଅଧିକ ଜୀବନ

3,092

କନକ ବ୍ୟୁରୋ : ଚାରି ଆଡ଼େ ଶୁଭୁଥିଲା ହୋହାଲ୍ଲା । ଲୋକଙ୍କ ଆର୍ତ୍ତଚିତ୍କାରରେ ଫାଟିପଡ଼ୁଥିଲା ଅଂଚଳ । ଡଙ୍ଗା ବୁଡ଼ି ତଳେ ଚାପି ହୋଇଯାଇଥିଲେ ଲୋକେ । ଗତକାଲି ସଂନ୍ଧ୍ୟାରେ ମହାକାଳପଡା ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିଲା । ଡଙ୍ଗା ବୁଡି ୯ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୨ମହିଳା ଓ ୭ ଶିଶୁ ରହିଛନ୍ତି । ତେବେ ଡଙ୍ଗା ବୁଡିଯିବା ପରେ ଅନ୍ଧାର ରାତିରେ ଦେବଦୂତ ସାଜି ଅନେକଙ୍କ ଜୀବନ ବଂଚାଇବାରେ ସାହାଯ୍ୟ କରିଥିଲେ ଦୁଇ ଭଉଣୀ । ସଶ୍ମିତା ଗିରି ଓ ପୂର୍ଣ୍ଣିମା ଗିରି ବୁଡି ଯାଉଥିବା ଲୋକଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ନିଜ ଜୀବନକୁ ପାଣି ଛଡାଇ ପାଣି ଭିତରକୁ ଯାଇ ଅନ୍ୟମାନଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିଲେ ।

 

ସେମାନେ ପହଞ୍ଚିଲା ବେଳକୁ ଡଙ୍ଗା ପୁରାପୁରି ବୁଡ଼ି ସାରିଥିଲେ । ଲୋକେ ବଂଚାଅ ବଂଚାଅ ବୋଲି ପାଟିକରୁଥିଲେ । ତେବେ ଲୋକଙ୍କ ଚିତ୍କାର ଶୁଣି କିଛି ଚିନ୍ତା ନକରି ପାଣି ଭିତରକୁ ଡେଇଁପଡ଼ିଥିଲେ ଦୁଇ ଭଉଣୀ । ଭିତରେ କୁମ୍ଭୀର ଥିବା କଥା ମନରେ ନଥିଲା । ହାତ ଠାରି ଡାକୁଥିବା ଲୋକଙ୍କୁ ଦେଖି ନିଜ ଜୀବନକୁ ପାଠି ଛଡ଼ାଇ ମହାନନଦୀର ଅକାତକାତ ପାଣି ଭିତରକୁ ଡେଇଁ ପଡ଼ିଥଲେ ଦୁଇ ଭଉଣୀ । ପ୍ରଥମେ ୨ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ । ତା’ପରେ ଥିବା ଛୋଟ ଛୋଟ ପିଲାଙ୍କୁ ଉଦ୍ଧାର କରିଥିଲେ । ପାଖାପାଖି ୧୦ରୁ ଅଧିକ ଲୋକଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଶୀତ କାକରକୁ ଖାତିର ନକରି ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିପଡ଼ିଥିଲେ ଦୁଇ ଭଉଣୀ । ତେବେ କଥା କହୁକହୁ କାନ୍ଦି ପକାଇଛନ୍ତି ସଶ୍ମିତା ଗିରି । ସେ କହିଛନ୍ତି ଆଖି ସାମ୍ନାରେ ଏତେ ଲୋକଙ୍କ ଜୀବନ ଚାଲିଗଲା । ସମସ୍ତଙ୍କୁ ବଂଚେଇ ପାରିଲୁନି, ଯେତିକି ପାରିଲୁ ବଂଚେଇଲୁ ।

 

ସୂଚନାଯୋଗ୍ୟ କେନ୍ଦ୍ରାପଡ଼ା ମହାକାଳପଡ଼ାରେ ନୂଆ ବର୍ଷର ବଣଭୋଜି ସାରି କୁଜଙ୍ଗ ଫେରୁଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା । ସୂଚନା ଅନୁସାରେ କୁଜଙ୍ଗ ହସିଣା ଗାଁର କେତେଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକ୍ ହୁକିଟୋଲାକୁ ଯାଇଥିଲେ । ଏମାନେ ଶକ୍ତିମୟୀ ମା ମଙ୍ଗଳା ନାମକ ଏକ ବୋଟରେ ଚଉମୁହାଣ ଅଭିମୁଖେ ବାହାରିଥିଲେ । ଆଉ ଫେରିବା ବାଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।