ବିଜେଡି ସରକାରର ବ୍ରିଟିଶ୍ ଶାସନ ! ପାଟି ଖୋଲିଲେ ପ୍ରଦୀପ, ନିଲମ୍ବନ ହେଲେ ପୁଲିସ୍ 

22

କନକ ବ୍ୟୁରୋ : ପୁଲିସ ପାଲଟିଯାଇଛି କି ପଲିଟିକାଲ? ଶାସକ ଦଳର ସ୍ୱାର୍ଥ ରକ୍ଷା କଲେ ସାବାସୀ ମିଳିବ ଏବଂ ଟିକିଏ ଏପଟ ସେପଟ ହୋଇଗଲେ କାର୍ଯ୍ୟାନୁଷ୍ଠାନ । ୨ ଦିନ ପୂର୍ବରୁ ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀ କନକ ନ୍ୟୁଜକୁ ଚିଟଫଣ୍ଡ ଠକେଇରେ ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି କଥା କହିବା ପରେ ଆଜି ଏସ୍କଟ୍ ଦାୟିତ୍ୱରେ ଥିବା ଦୁଇ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଯେଉଁ ପୁଲିସ୍ ବାବୁ ପ୍ରଦୀପ ସେଠୀଙ୍କ ମୁହଁ ବନ୍ଦ କରିଦେଲେ ସେମାନଙ୍କୁ ମିଳିଛି ସାବାସୀ ।

ଗତ ସୋମବାର କନକ ନ୍ୟୁଜକୁ ପ୍ରଦୀପ ସେଠୀ ଦେଇଥିବା ଏହି ବୟାନ, ବିଜେଡି ସରକାରକୁ ଦୋହଲାଇ ଦେଇଛି । ଚିଟଫଣ୍ଡ ଠକେଇରେ ବିଜେଡି ସରକାରର ୨ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ପ୍ରଦୀପ ସେଠୀଙ୍କ ବୟାନ ପରେ ରକ୍ତମୁଖା ହୋଇ ପଡିଛନ୍ତି ସରକାର । ଯେଉଁ ପୁଲିସ କର୍ମଚାରୀଙ୍କ ଡ୍ୟୁଟି ସମୟରେ ବୟାନ ଦିଆଗଲା, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ବର୍ତମାନ ହେଉଛି ପଂଚାୟତ ନିର୍ବାଚନର ସମୟ । ଦଳର ଭାବମୂର୍ତୀ ବିଜେଡି ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ପ୍ରଦୀପ ସେଠୀଙ୍କ ଦୁଇ ପଦ କଥା ଯେମିତି ଦଳର ଭାବମୂର୍ତୀକୁ ଭାଙ୍ଗି ଦେଇଛି । ଯାହାକୁ ନେଇ ଛାନିଆ ହୋଇଯାଇଛନ୍ତି ସରକାର ।

ପୁଲିସ ଏସ୍କଟରେ ଥିବା ଅଭିଯୁକ୍ତ ମାନେ ଗଣମାଧ୍ୟମରେ ମୁହଁ ଖୋଲିବା ଏହା ପ୍ରଥମ ଘଟଣା ନୁହେଁ । ହେଲେ ମନ୍ତ୍ରୀଙ୍କ କଥା କହିବାରୁ ସତେ ଯେମିତି ସବୁ କିଛି ଭୁଲ୍ ହୋଇଗଲା । ତେଣୁ ଚର୍ଚ୍ଚା ହେଉଛି ପଦବୀରେ ରହିବାକୁ ହେଲେ, ଏମାନଙ୍କୁ ବନିବାକୁ ପଡିବ ପଲିଟିକାଲ ପୁଲିସ ।