ହାଇଟେକ୍ ମେଡିକାଲ୍ କଲେଜରେ ଦଲାଲ୍ ! ସିଟ୍ କରାଇ ଦେବାକୁ କହି ଅଭିଭାବକଙ୍କ ଠାରୁ ଠକି ନେଲେ ୧୫ଲକ୍ଷ ଟଙ୍କା

47

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଡାକ୍ତର କରାଇ ଦେବାକୁ କହି ଲୁଟ୍ । ଘରୋଇ କଲେଜରେ ଏମବିବିଏସ୍ ଆଡମିଶନ୍ ପୂର୍ବରୁ ଦଲାଲ୍ ଲୁଟି ନେଲେ ୧୫ ଲକ୍ଷ ଟଙ୍କା । ଏମିତି ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରରୁ । ଜଣେ ଅଭିଭାବକଙ୍କୁ ଠକେଇର ଚକ୍ରବ୍ୟୁହରେ ପକାଇ ଚମ୍ପଟ୍ ମାରିଛନ୍ତି ଦୁଇ ଦଲାଲ୍ । ହାଇଟେକ୍ ମେଡିକାଲ୍ କଲେଜ୍ କ୍ୟାମ୍ପସରେ ରଚା ଯାଇଥିଲା ଏହି ଠକେଇର ପ୍ଲାନ୍ । ।

ନ୍ୟାସନାଲ୍ ଏଲିଜିବିଲିଟି ଟେଷ୍ଟରେ ରାଙ୍କ୍ କମ୍ ଆସିବାରୁ ପୁଅ ପାଇଁ ମେଡିକାଲ ସିଟ୍ ଯୋଗାଡ କରିବାକୁ ଶିବ ଶେଖର ମିଶ୍ର ପହଂଚିଥିଲେ ହାଇଟେକ୍ ମେଡିକାଲ୍ କଲେଜରେ । ଆଉ ସେଠାରେ ଦେଖା ହୋଇଥିଲେ ବିବେକ ଓ ବିକାଶ । ଏହି ଦୁଇ ଦଲାଲ୍ କଲେଜରେ ମ୍ୟାନେଜମେଂଟ କୋଟାରେ ସିଟ୍ କରାଇଦେବାକୁ ଶିବଙ୍କୁ କହିଲେ । କ୍ୟାମ୍ପସ୍ ଭିତରେ ଦେଖା ହୋଇଥିବାରୁ ସନ୍ଦେହ କରିବାର ଫୁରସତ୍ ପାଇ ନଥିଲେ ଶିବଶେଖର ।

ପୁଅକୁ ସିଟ୍ ମିଳିବ । ତେଣୁ ବି ବ୍ରଦର୍ସଙ୍କ କହିବା ମୁତାବକ ବିନା ରସିଦରେ ୧୦ଲକ୍ଷ ଟଙ୍କା ଓ ରସିଦରେ ୫ ଲକ୍ଷ ୨୫ ହଜାର ଟଙ୍କା ଦେଲେ ଶିବ । ସେତେବେଳକୁ ଲୁଟର ଜାଲ ବିଛାଇ ସାରିଥିଲେ ବି ବ୍ରଦର୍ସ । ଯେମିତି ସନ୍ଦେହ ନହେବ, ସେଥିପାଇଁ ୫ ଲକ୍ଷ ୨୫ହଜାର ଟଙ୍କର ରସିଦ୍ ମଧ୍ୟ ଦେଲେ ହାଇଟେକ୍ କଲେଜ ପ୍ୟାଡରେ । ଶିବ ଭାବିଲେ ପୁଅର ଆଡମିଶନ୍ ହୋଇଗଲା ।

କିଛି ଦିନ ପରେ ପୁଅକୁ ଧରି ଶିବ ପହଂଚିଲେ କଲେଜରେ । ହେଲେ କଲେଜ କର୍ତ୍ତୃପକ୍ଷ କହିଥିଲେ ଟଙ୍କା ନେଇନୁ କି ଏ ରସିଦ୍ ଆମର ନୁହେଁ । ତା ପରେ ଶିବ କଲ୍ କରିବା ବେଳକୁ ବି ବ୍ରଦର୍ସ ଫୋନ୍ ସୁଇଚ୍ ଅଫ୍ କରି ଫେରାର୍ ।
କ୍ୟାମ୍ପସ୍ ଭିତରୁ ଆରମ୍ଭ ଆଉ କ୍ୟାମ୍ପସ୍ ଭିତରେ ସରଗଲା । ୧୫ଲକ୍ଷର ଚୁୁନା ଲଗାଇ ଫେରାର୍ ହୋଇଗଲେ ବିକାଶ ଓ ବିବେକ୍ । ଆଉ ପୁଅକୁ ମେଡିକାଲ୍ ପାଠ ପଢାଇବାର ସ୍ୱପ୍ନ ଦେଖିଥିବା ଶିବ ଏବେ ଟଙ୍କା ଫେରି ପାଇବାକୁ ଚକ୍କର ମାରୁଛନ୍ତି ଥାନାରେ ।