ଘରୁ ତଡ଼ିଦେଲା ପୁଅ ! ୨୫ ବର୍ଷ ହେଲା କ୍ୟାବିନ୍ ଭିତରେ ଜୀବନ କାଟୁଛନ୍ତି ଦୃଷ୍ଟିହୀନ ବାପା-ମାଆ,ଦିନେ ଖାଇଲେ ଦିନେ ଉପାସ ।

1,154

କନକ ବ୍ୟୁରୋ: ଦୀର୍ଘ ୨୫ ବର୍ଷ ହେଲା କ୍ୟାବିନରେ ବିତୁଛି ଜୀବନ । ନିଜ ଜନ୍ମ କଲା ପୁଅ ଥିଲେ ମଧ୍ୟ ବୃଦ୍ଧାବସ୍ଥାରେ ସାହାରା ଦେବା ପାଇଁ କେହି ନାହିଁ । ଭଲ ପାଇ ପୁଅ ବାହା ହେବା ପରେ ବୃଦ୍ଧ ବାପା ମାଆଙ୍କୁ ଅଦରକାରୀ କହି ଘରୁ ତଡି ଦେବା ପରେ ଏଭଳି ଅବସ୍ଥାରେ କଟକ ଜୋବ୍ରା ବ୍ୟାରେଜ କଲୋନୀରେ ଏକ କ୍ୟାବିନରେ ବିତୁଛି ବୃଦ୍ଧ କାଶୀନାଥ ଏବଂ ରେଣୁବାଳାଙ୍କ ଜୀବନ ।

ପୁଅ ଜନ୍ମ ପାଇଁ ବାପା ମାଆ କେତେ ମାନସିକ କରନ୍ତି, ଠାକୁରଙ୍କୁ ବି ପୂଜା କରନ୍ତି । ଇଚ୍ଛା ଥାଏ ବୃଦ୍ଧାବସ୍ଥାରେ ପୁଅ ବାପାମାଆର ସାହାର ହେବ । ଆଉ ଦୁଃଖ ଯନ୍ତ୍ରଣା ବୁଝିବ । ହେଲେ ସେହି ପୁଅ ଯେତେବେଳେ ବାପା ମାଆକୁ ଅଦରକାରୀ କହି ଘରୁ ତଡି ଦେବ ବାପାମାଆଙ୍କ ସାହାରା ହେବ କିଏ । ଏଭଳି ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି କଟକ ଜୋବ୍ରା ବ୍ୟାରେଜ କଲୋନୀରେ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ନିଜ ପୁଅ ସହ ରହୁଥିଲେ କାଶିନାଥ ବାରିକ ଏବଂ ରେଣୁବାଳା ବାରିକ । ହେଲେ ଭଲ ପାଇ ପୁଅ ବାହା ହେବା ପରେ ଘରେ ସୃଷ୍ଟି ହୋଇଥିଲା ଅଶାନ୍ତି ଆଉ କନ୍ଦଳ ।

ବୃଦ୍ଧ ବାପାମାଆଙ୍କୁ ପୋଷିବା ବଦଳରେ ଟଙ୍କା ଦେବାକୁ କହି କଳହ ସୃଷ୍ଟି କରିଥିଲା । ତେଣୁ ପୁଅ ବାପାମାଆଙ୍କୁ ହଇରାଣ କରିବା ସହ ଅଦରକାରୀ କହି ଘରୁ ତଡି ଦେଇଥିଲା ନିର୍ଦ୍ଦୟ ପୁଅ । ଏହା ପରେ ସେମାନେ କଟକରେ ପହଞ୍ଚି ଜୋବ୍ରା ବ୍ୟାରେଜ କଲୋନୀରେ ଏକ ଗଛ ମୂଳେ ଥିବା ଏକ ଭଙ୍ଗା କ୍ୟାବିନରେ ଦୀର୍ଘ ୨୫ ବର୍ଷ ହେଲା ରହୁଥିବା କୋହଭରା କଣ୍ଠରେ କହିଛନ୍ତି କାଶୀନାଥ ।

କେବଳ ଏତିକିରେ ସରିନାହିଁ ଏମାନଙ୍କର ଦୁଃଖ, ୧୦ ବର୍ଷ ତଳେ କାଶୀନାଥଙ୍କ ଆଖିରେ ମୋତିଆ ବିନ୍ଦୁ ହୋଇଥିଲା । ମାତ୍ର ଅର୍ଥ ଅଭାବରୁ ଅପରେସନ କରି ନପାରି ନିଜ ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି କାଶୀନାଥ । ଏବେ ୮୦ ବର୍ଷ ବୟସରେ କ୍ୟାବିନର ଏକ କୋଣରେ ବସି ରହୁଛନ୍ତି । ଏହା ସହ ବୋଝ ଉପରେ ନଳିତା ବିଡା ପରି ବୃଦ୍ଧା ରେଣୁବାଳାଙ୍କର ମଧ୍ୟ ଗୋଟିଏ ଆଖିକୁ କିଛି ଦେଖା ଯାଉନାହିଁ । ୭୫ ବର୍ଷରୁ ଅଧିକ ବୟସରେ ରେଣୁବାଳା ନିଜେ ରୋଷେଇ କରିବା ସହ କାଶୀନାଥଙ୍କ ସବୁକଥା ବୁଝୁଛନ୍ତି ।

ଗୋଟିଏ ଆଖିରେ ଏବେ ଦୁଇପ୍ରାଣୀ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ସରକାରୀ ସହାୟତା କହିଲେ ବୃଦ୍ଧ ଦମ୍ପତିଙ୍କୁ ମାସକୁ ମାତ୍ର ୬୦୦ ଟଙ୍କା ଭତ୍ତା ଏବଂ ୧୦ କିଲୋ ଚାଉଳ ମିଳୁଛି । ଏହା ସହ ସ୍ଥାନୀୟ ବାସିନ୍ଦା ମଧ୍ୟ ସୁବିଧା ଅସୁବିଧାରେ ସାହାଯ୍ୟ କରୁଛନ୍ତି । ମାତ୍ର ଭଙ୍ଗା କ୍ୟାବିନରେ ସରକାରୀ ବାବୁଙ୍କ ପାଦ ପଡିଥିଲେ ମଧ୍ୟ ଅନ୍ୟ କୌଣସି ସରକାରୀ ସହାୟତା ଏମାନେ ପାଇ ନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।