୧୪ର ପୁନରାବୃତ୍ତି ୧୯ରେ । ସଂଖ୍ୟା ସମାନ ରହିଲା, ଚେହେରା ବଦଳିଲା । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ୨ ଓଡିଆ

784

କନକ ବ୍ୟୁରୋ : ୧୪ର ପୁନରାବୃତ୍ତି ୧୯ରେ ।  ୨୦୧୪ ଭଳି ୨୦୧୯ରେ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୨ ଓଡିଆ । ସଂଖ୍ୟା ସମାନ ରହିଥିଲେ ମଧ୍ୟ ବଦଳିଛି ଚେହେରା । ଜଣେ ଲୋକସଭା ସାଂସଦ ଓ ଅନ୍ୟ ଜଣେ ରାଜ୍ୟସଭା ସାଂସଦ । ଆଜି ନୂଆ ମନ୍ତ୍ରିମଣ୍ଡଳ ସହ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୋଦି । ଆଉ ମୋଦିଙ୍କ ଏହି ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ । ପ୍ରଥମ ଥର ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ହୋଇଥିବା ପ୍ରତାପ ଷଡଙ୍ଗୀ ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ମୋଦି ।

ମୋଦିଙ୍କ ପ୍ରଥମ ପାଳିରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ରଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ରିପିଟ୍ କରାଯାଇଥିବା ବେଳେ ନୂଆ ଚେହେରା ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ନମୋ । ତେବେ ଗତ ଥର ଭଳି ଚଳିତ ଥର ମଧ୍ୟ ଓଡିଶା କୋଟାରେ ପଡିଛି ମାତ୍ର ଗୋଟିଏ ମନ୍ତ୍ରୀ ଆସନ । ଗତ ଥର ଅପେକ୍ଷା ଚଳିତ ଥର ରାଜ୍ୟରେ ବିଜେପି ଅତି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ରାଜ୍ୟକୁ ଗୋଟିଏ ମନ୍ତ୍ରୀପଦରେ ସନ୍ତୁଷ୍ଟ ହେବାକୁ ପଡିଛି । ଯାହା ରାଜ୍ୟ ବିଜେପି ଶିବିରରେ ଟିକିଏ ନିରାଶା ଖେଳାଇ ଦେଇଛି ।

୨୦୧୪ରେ ନିର୍ବାଚନରେ ପୂରା ଦେଶରେ ମୋଦି ହାୱା ଚାଲିଥିବା ବେଳେ ଓଡିଶାରେ ଏହାର ପ୍ରଭାବ ପଡିନଥିଲା । ନବୀନଙ୍କ ଲୋକପ୍ରିୟତା ଆଗରେ ଫିକା ପଡି ଯାଇଥିଲା ମୋଦି ହାୱା । ୨୧ ଲୋକସଭା ଆସନରୁ ୨୦ଟିରେ ବିଜେଡି ବିଜୟ ବାନା ଉଡାଇଥିଲା । ତେବେ ନବୀନଙ୍କ ଲୋକପ୍ରିୟତାକୁ ମାତ୍ ଦେଇ ମାତ୍ର ଗୋଟିଏ ଆସନ ସୁନ୍ଦରଗଡରୁ ଜୁଏଲ ଓରାମ ବିଜୟୀ ହେବା ସହ ରାଜ୍ୟରେ ବିଜେପି ଖାତା ଖୋଲିବାକୁ ସକ୍ଷମ ହୋଇଥିଲା । ଆଉ ରାଜ୍ୟରେ ବିଜେପିର ସମ୍ମାନ ବଞ୍ଚାଇଥିବାରୁ ମୋଦି ସରକାରରେ ଜୁଏଲଙ୍କୁ ମିଳିଥିଲା ପୁରସ୍କାର ।  କ୍ୟାବିନେଟ ମନ୍ତ୍ରୀ ଭାବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ ଜୁଏଲ ।

ମାତ୍ର ଗୋଟିଏ ଆସନ ଦେଇଥିବା ଓଡିଶାକୁ କ୍ୟାବିନେଟ ମନ୍ତ୍ରୀ ପଦ ଦେଇ ରାଜ୍ୟବାସୀଙ୍କୁ ଖୁସ୍ କରି ଦେଇଥିଲେ ମୋଦି । କିନ୍ତୁ ଏହି ଖୁସିର ସୀମା ସେତେବେଳେ ଡବଲ ହୋଇଯାଇଥିଲା ଯେତେବେଳେ ବିହାରରୁ ସାଂସଦ ଥିବା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ ନମୋ । ଏପରିକି ଧର୍ମେନ୍ଦ୍ରଙ୍କ ହାତରେ ଓଜନିଆ ବିଭାଗର ଦାୟିତ୍ୱ ଦେଇ ଓଡିଶାବାସୀଙ୍କୁ ଭିନ୍ନ ସଂକେତ ଦେଇଥିଲେ ମୋଦି ।

୨୦୧୯ରେ କିନ୍ତୁ ସ୍ଥିତି ବଦଳିଛି । ଚଳିତ ନିର୍ବାଚନରେ ବିଜେପି ଅବିଶ୍ୱସନୀୟ ପ୍ରଦର୍ଶନ କରିବା ସହ ଲୋକସଭାରେ ୮ଟି ସିଟରେ ବିଜୟୀ ହୋଇଛି । ଏପରିକି କିଛି ଆସନରେ ବିଜେପି ପ୍ରାର୍ଥୀ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଛନ୍ତି । ଆଉ ଏହି ଫଳାଫଳ ଅନୁଯାୟୀ ଚଳିତ ଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାର ସାଂସଦଙ୍କ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଥିଲା । ନିର୍ବାଚନ ସମୟରେ ବାରମ୍ବାର ମୋଦିଙ୍କ ଓଡିଶା ଗସ୍ତ ମଧ୍ୟ ଏଭଳି କିଛି ସଂକେତ ଦେଉଥିଲା । ଏପରିକି ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ଏହି ଚର୍ଚ୍ଚାର ଶୀର୍ଷରେ ବରଗଡ ସାଂସଦ ସୁରେଶ ପୂଜାରୀ,  ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ନାଁ ରହିଥିଲା ।

କିନ୍ତୁ ସବୁ ଚର୍ଚ୍ଚା ଓ ଆଲୋଚନାକୁ ପଛରେ ପକାଇ ମୋଦିଙ୍କ ମନ୍ତ୍ରିମଣ୍ଡଳର ଯେଉଁ ତାଲିକା ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାରଣ ପ୍ରଥମ ଥର ସାଂସଦ ହୋଇଥିବା ପ୍ରତାପ ଷଡଙ୍ଗୀଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଥିଲା । ଆଉ ୮ଟି ସାଂସଦ ଦେଇଥିବା ଓଡିଶାକୁ ମାତ୍ର ଗୋଟିଏ ମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଆଉ ଏହାସହ ପୂର୍ବ ପାଳିରେ କ୍ୟାବିନେଟ ପାହ୍ୟା ପାଇଥିବା ଜୁଏଲ ଓରାମଙ୍କୁ ନିରାଶ ହେବାକୁ ପଡିଛି । ତେବେ ଗତ ଥର ଭଳି ପୁଣିଥରେ ଓଡିଆ ପୁଅ ତଥା ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରି ଓଡିଶାବାସୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ମୋଦି ।