କିଛି ସମୟ ପରେ ପହଁଚିବ ଦୁଇ ବୀର ଓଡିଆ ଯବାନଙ୍କ ପାର୍ଥିବ ଶରୀର! ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଳୀରୁ ଅଣାଯାଉଛି ଭୁବନେଶ୍ୱର, ରାଜ୍ୟବ୍ୟାପୀ ଶୋକାକୁଳ ପରିବେଶ

407

କନକ ବ୍ୟୁରୋ : ଆଜି ଜନ୍ମମାଟିରେ ପହଂଚିବ ଆତଙ୍କବାଦୀ ଆକ୍ରମଣରେ ସହିଦ ୨ ଓଡିଆ ବୀର ଯବାନଙ୍କ ପାର୍ଥିବ ଶରରୀ । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଦୁଇ ସହିଦଙ୍କ ମରଶରୀର ଭୁବନେଶ୍ୱରରେ ସକାଳ ୯ଟା ସୁଦ୍ଧା ପହଂଚିବ । ଦୁଇ ଓଡିଆ ସହିଦ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ଥାନା ଅଂଚଳ ରତନପୁର ଗାଁର ମନୋଜ ବେହେରା । ଆତଙ୍କବାଦୀ ହମଲାରେ ପ୍ରସନ୍ନ ଓ ମନୋଜ ସହିଦ ହେବା ଖବର ଗାଁରେ ପହଂଚିବା ପରେ ସ୍ତବ୍ଧ ହୋଇଯାଇଛି ଜନ୍ମମାଟି ।

ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଅଂଚଳବାସୀ ସହିଦଙ୍କୁ ଝୁରି ହେଉଛନ୍ତି । ଆଜି ସହିଦଙ୍କ ପାଇଁ ଗୁମୁରୁ ଗୁମୁରି କାନ୍ଦୁଛି ଜନ୍ମମାଟି । ସହିଦ ପ୍ରସନ୍ନ କୁମାର ସାହୁ ୧୯୯୫ ମସିହାରେ ସିଆରପିଏଫର ଯୋଗ ଦେଇଥିଲେ । ଏହାପରେ ସେ ଜମ୍ମୁକଶ୍ମୀରରେ ସିଆରପିଏଫର ୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ । ୨୦୦୬ ମସିହାରେ ମନୋଜ ସିଆରପିଏଫରେ ଯୋଗ ଦେଇଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରିଶିଖର ଗାଁ ଯାଇ ସହିଦ ପ୍ରସନ୍ନ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ବୋଲି ସୂଚନା ରହିଛି । ସେହିପରି ରତନପୁର ଗାଁରେ ପହଂଚି ସହିଦ ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବେ  କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେହିପରି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ସହିଦଙ୍କ ପରିବାରକୁ ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ସହିଦଙ୍କ ପରିବାର ସହ ଫୋନ ଯୋଗେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।