ଅଧିକ ରୋଜଗାରର ଲାଳସା ଦେଖାଇ ବିକି ଦେଇଥିଲା ଦଲାଲ । ସାଉଦି ଆରବରେ ନିର୍ଯାତିତ ହେଉଥିଲେ ସୁନ୍ଦରଗଡ ଯୁବତୀ ।

34

କନକ ବ୍ୟୁରୋ : ଷ୍ଟିଲ ସିଟି ରାଉରକେଲାରେ ଚାଂଚଲ୍ୟ । ସାଉଦି ଆରବରେ ବିକ୍ରି ହୋଇଥିବାର ସଙ୍ଗୀନ ଅଭିଯୋଗ ଆଣିଲେ ଯୁବତୀ । ରାଉରକେଲା ରଘୁନାଥପାଲି ଥାନାରେ ହୋଇଛି ଏଭଳି ଅଭିଯୋଗ । ଦଲାଲ ଦ୍ୱାରା ସାଉଦି ଆରବରେ ବିକ୍ରି ହୋଇଥିବା ଦୁଇ ଜଣ ଯୁବତୀ ସେଠାରୁ ଖସି ଆସିବା ପରେ ସାମନାକୁ ଆସିଛି ଘଟଣା । ସାଉଦି ଆରବରୁ ଫେରି ଆସିଥିବା ଦୁଇ ଯୁବତୀ ବଖାଣିଛନ୍ତି ନିର୍ଯାତନାର କରୁଣ କାହାଣୀ ।

ଯୁବତୀ ଦୁଇଜଣଙ୍କ ଘର ଦେଓଗାଁ ଓ ତରକେରାରେ । ଅଧିକ ରୋଜଗାର ଲୋଭ ଦେଖାଇ ବିଶ୍ୱଜିତ ମଲିକ ନାମକ ଜଣେ ଦଲାଲ ସେମାନଙ୍କୁ ସାଉଦି ଆରବ ନେଇ ସେଠାରେ ସେମାନଙ୍କୁ ବିକ୍ରି କରି ଦେଇଥିଲା । ବଦଳରେ ପ୍ରଚୁର କମିଶନ ପାଉଥିଲା ଦଲାଲ ବିଶ୍ୱଜିତ । ତେବେ ଯୁବତୀ ଦୁଇଜଣ ସେଠାରେ ଶୋଷଣ ଓ ନିର୍ଯାତନାର ଶିକାର ହେବା ପରେ କୌଣସି ମତେ ଫେରିବାକୁ ସକ୍ଷମ ହୋଇଛନ୍ତି ।

ପୂର୍ବରୁ ମଧ୍ୟ ଦଲାଲ ବିଶ୍ୱଜିତ ନାଁରେ ସମାନ ଧରଣର ଅନେକ ଅଭିଯୋଗ ରହିଛି । ହେଲେ ସବୁ ଜାଣି ପୋଲିସ ଓ ପ୍ରଶାସନ ନୀରବ ରହିବା ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି ।