କବି ରାସ୍ତା ସନ୍ଥ ରୋଡ ! ଗୋଟିଏ ମାର୍ଗକୁ ଦୁଇଥର ନାମକରଣ

51

କନକ ବ୍ୟୁରୋ : ସରକାରଙ୍କ ବିଭାଗ ବିଭାଗ ଭିତରେ ସମନ୍ୱୟ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ୧୩ ବର୍ଷ ତଳେ ଜଣେ ବରପୁତ୍ରଙ୍କ ନାଁରେ ନାମିତ ରାସ୍ତାକୁ ପୁଣି ଜଣେ ସନ୍ଥଙ୍କ ନାଁରେ ନାମିତ କରି ଦିଆଯାଇଛି। ଏଭଳି ସଂଗୀନ ଅଭିଯୋଗ ଆଣିଛି ଭୁବନେଶ୍ୱରସ୍ଥିତ ଅଭିମନ୍ୟୁ ସ୍ମୃତି ସଂସଦ। କଟକ ରୋଡରୁ କନଭେଂଟ ସ୍କୁଲ ଛକକୁ ସଂଯୋଗ କରୁଥିବା ସତ୍ୟନଗର ଓଭରବ୍ରିଜ ରାସ୍ତାକୁ ‘ସନ୍ଥ ମଦର ଟେରେସା ମାର୍ଗ’ ଭାବେ ନାମକରଣ କରିଛନ୍ତି ସରକାର । ଏଭଳି କରି ଉଭୟ ସନ୍ଥ ମଦର ଟେରେସା ଓ ଅଭିମନ୍ୟୁ ସାମନ୍ତସିଂହାରଙ୍କୁ ଅପମାନିତ କରିଥିବା ସ୍ମୃତି ସଂସଦ ଅଭିଯୋଗ ଆଣିଛି।

୩୦-୦୫-୨୦୦୩ରେ ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗର ଚିଠି ଅନୁଯାୟୀ କନଭେଂଟ ଛକରୁ ଲେଭଲ କ୍ରସିଂ ଦେଇ କଟକ ରୋଡ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ଅଭିମନ୍ୟୁ ସାମସ୍ତସିଂହାର ମାର୍ଗ ନାମରେ ନାମିତ କରାଗଲା ବୋଲି ଘୋଷଣା କରାଯାଇଛି। ଆଉ ଗତ ୪ ତାରିଖରେ ପୁଣି ସେହି ରାସ୍ତାକୁ ସନ୍ଥ ମଦର ଟେରେସାଙ୍କ ନାମରେ ନାମିତ କରି ସରକାର ଉଭୟ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଓ ସନ୍ଥ ମଦର ଟେରେସାଙ୍କୁ ଅପମାନିତ କରିଛନ୍ତି ବୋଲି ସଂସଦ କହିଛି। ଏ ପ୍ରସଙ୍ଗରେ ବିଏମସିର ଯୁକ୍ତି, ନିର୍ଦ୍ଦିଷ୍ଟ ଆବେଦନ ପାଇବା ପରେ କର୍ପୋରେସନରେ ରିଜୋଲ୍ୟୁସନ କରି ପୂର୍ତ ବିଭାଗକୁ ଏ ସଂପର୍କରେ ଚିଠି କରିଦିଆଯାଇଛି ।

୧୩ ବର୍ଷ ତଳେ ପୂର୍ତ ବିଭାଗ ଯେଉଁ ରାସ୍ତାର ନାମକରଣ କରିଥିଲେ ଏବେ ସେହି ରାସ୍ତାର ପୁନଃ ନାମକରଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଡାକି ଉଦଘାଟନ କରାଇଥିବା ଚର୍ଚ୍ଚା ହେଉଛି।