ନୂଆପଡ଼ାରେ ମାତିଛି ବାଘ, ବାଘ ଭୟରେ ଲୋକେ ଛାନିଆ । ମୁସୁରଙ୍ଗି ଜଙ୍ଗଲରେ ୨ କଲରାପତରିଆ ବାଘର ଫଟୋ କଏଦ କଲେ ଗାଁ ଲୋକେ ।

ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ ।

194

କନକ ବ୍ୟୁରୋ : ନୂଆପଡାରେ ପୁଣି ଦେଖାଦେଲେ ବାଘ । ଗତବର୍ଷ ଏହି ଜଙ୍ଗଲରୁ ଦୁଇଟି କଲରାପତରିଆକୁ ଧରାଯାଇ ନନ୍ଦନକାନନ ପଠାଯାଇଥିଲା । ଏବେ ପୁଣି ସାମ୍ନାକୁ ଆସିଛି ଦୁଇଟି କଲରାପତରିଆର ଦୃଶ୍ୟ । ସେପଟେ ଜଙ୍ଗଲକୁ ଲାଗି ରହିଥିବା ଗାଁଲୋକ ଏବେ ଭୟଭୀତ ହୋଇପଡିଛନ୍ତି । ତେବେ ନୂଆପଡା ମୁସୁରଙ୍ଗି ଜଙ୍ଗଲରେ ବନ ବିଭାଗ ଲଗାଇଥିବା ଟ୍ରାପ୍ କ୍ୟାମେରାରେ ଆହୁରି ୧୨ରୁ ୧୪ଟି ବାଘ ଥିବା ଅନୁମାନ କରାଯାଉଛି ।

ପାହାଡ ଉପରେ କଲରାପତରିଆ । ଦୁଇ ଦୁଇଟି ବାଘ ବସିଥିବା ଦୃଶ୍ୟ କଏଦ ହୋଇଛି ବନବିଭାଗର କ୍ୟାମେରାରେ । ନୂଆପଡା ଜଙ୍ଗଲରେ ବାଘ ଥିବା ଖବର ବାରମ୍ବାର ଚର୍ଚ୍ଚା ହେଉଥିବା ବେଳେ ସାମ୍ନାକୁ ଆସିଛି ଦୁଇଟି କଲରାପତରିଆର ଦୃଶ୍ୟ ।

ନୂଆପଡା ଜଙ୍ଗଲରେ କଲରାପତରିଆ । ସେପଟେ ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ । ବର୍ତମାନ ବାଘ ଦୁଇଟି ଜଙ୍ଗଲରେ ରହିଛନ୍ତି । ତେବେ ଜଙ୍ଗଲକୁ ଲାଗି ରହିଥିବା ଗାଁରେ ଏବେ କୋକୁଆ ଭୟ ଦେଖାଦେଇଛି । ଏପରିକି ବାଘର ଦୃଶ୍ୟ ପ୍ରଥମେ ଗାଁ ଲୋକ, ମୋବାଇଲରେ ଉଠାଇଥିଲେ । ଏହାପରେ ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗର କ୍ୟାମେରାରେ ବି କଏଦ ହୋଇଛି କଲରାପତରିଆର ଦୃଶ୍ୟ । ବାଘର ଉପସ୍ଥିତି ଜାଣିବାକୁ ମୁସୁରଙ୍ଗି ଜଂଗଲ ଚାରିପଟେ ନଜର ରଖିଛି ବନବିଭାଗ । ଗାଁ ଲୋକଙ୍କୁ ସଂନ୍ଧ୍ୟାରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

୧୯୯୬ରେ ସୁନାବେଡା ଅଭୟାରଣ୍ୟକୁ କେନ୍ଦ୍ର ସରକାର ବ୍ୟାଘ୍ର ପ୍ରକଳ୍ପ କରିବାକୁ ପ୍ରସ୍ତାବ ଦେଇଥିଲେ । ଗତବର୍ଷ ଫେବୃଆରୀରେ ଅଭୟାରଣ୍ୟରେ ବାଘ ଗଣନା କରିଥିଲା ବନବିଭାଗ । ଜଙ୍ଗଲରେ ଲଗାଯାଇଥିବା ପଗ ମାର୍କ ଓ କ୍ୟାମେରାରେ, ୧୪ରୁ ୧୬ଟି ମହାବଳ ଓ କଲରାପତରିଆ ବାଘ ଥିବା ଅନୁମାନ କରାଯାଇଥିଲା । ଏପରିକି ପଗ ମାର୍କରେ ମହାବଳ ଥିବା ଅନୁମାନ କରିଛି ବନବିଭାଗ । ଗତବର୍ଷ ନୂଆପଡା ଜଙ୍ଗଲ ନିକଟ ହଳଦୀ ଗାଁରେ କଲରାପତରିଆ ବାଘ ଜଣେ ଶିଶୁକୁ ଝାମ୍ପି ନେଇଥିଲା । ଏହା ପରେ ବନବିଭାଗ ୨ଟି କଲରାପତରିଆକୁ ଧରି ନନ୍ଦନକାନନକୁ ପଠାଇଥିଲେ । ଏବେ ପୁଣି ସାମ୍ନାକୁ ଆସିଛି ଦୁଇ ଦୁଇଟି କଲରାପତରିଆ ।