ଆଇଏଏସ ଅଫିସରଙ୍କ ପାଗଳାମି ! ମହିଳାଙ୍କୁ ସାପ କାମୁଡିଛି କହି ମଗାଇଲେ ହେଲିକପ୍ଟର, କଲେ ମଜାମସ୍ତି ।

13
ହରିଆଣାର ୨ ଜଣ ଆଇଏଏସ୍ ଅଫିସର୍ ଆଶ୍ଚର୍ୟ୍ୟଜନକ କାମ କରିଥିବା ମାମଲା ଗଣମାଧ୍ୟମକୁ ଆସିଛି। ଉଭୟ ଅଧିକାରୀ ମଜାମସ୍ତି କରିବା ପାଇଁ ସରକାରୀ ହେଲିକପ୍ଟର ମଗାଇଥିଲେ। ହରିଆଣା ସରକାର ଏହି ମାମଲାର ଯାଞ୍ଚ କରାଇବାକୁ କହିଛନ୍ତି। ହିମାଚଳ ପ୍ରଦେଶର ସରକାର ମଧ୍ୟ ଘଟଣାର ତଦନ୍ତ କରିପାରନ୍ତି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହରିଆଣାର ଅର୍ଥ ବିଭାଗରେ ଅତିରିକ୍ତ ସଚିବ ପଦରେ ଥିବା ବରିଷ୍ଠ ଅଧିକାରୀ ଶାଳୀନ ଓ କରନାଲର ଏଡିସି ନିଶାନ୍ତ ଯାଦବ ହିମାଚଳ ପ୍ରଦେଶ ବୁଲିବାକୁ ଯାଇଥିଲେ। ଉଭୟ ଅଧିକାରୀ ହିମାଚଳ ପ୍ରଦେଶର ଚମ୍ବା ଯାଇଥିଲେ। ସେଠାରୁ ସେମାନେ ହରିଆଣାର ବଡ ଅଧିକାରୀଙ୍କୁ ବିପଦରେ ପଡ଼ିଥିବା ଓ ଜଣେ ମହିଳାଙ୍କୁ ସାପ କାମୁଡ଼ିଥିବା ସୂଚନା ଦେଇଥିଲେ। ସେମାନେ ପ୍ରଥମେ ହିମାଚଳ ପ୍ରଦେଶ ସରକାରଙ୍କୁ ସାହାଯ୍ୟ ମାଗିଥିଲେ। କିନ୍ତୁ ସହଯୋଗ ମିଳିନଥିଲା। ସେମାନେ କହିଥିଲେ ବିଳମ୍ବ ନକରି ଓ ମହିଳାଙ୍କୁ ବିପଦରୁ ବଞ୍ଚାଇବା ପାଇଁ ସରକାରୀ ହେଲିକପ୍ଟର ପଠାଯାଉ।
ହରିଆଣା ସରକାର ଯଥାଶୀଘ୍ର ଏକ ହେଲିକପ୍ଟର ଚମ୍ବା ପାଇଁ ପଠାଇଥିଲା କିନ୍ତୁ ଏଥିରେ କେବଳ ୨ ଜଣ ଆଇଏଏସ ଅଧିକାରୀ ଆସିଥିଲେ। ଯେଉଁ ମହିଳା ପାଇଁ ବାହାନା କରାଯାଇଥିଲା, ସେ ଏଥିରେ ନଥିଲେ। ହେଲିକପ୍ଟର ପହଞ୍ଚିବା ପୂର୍ବରୁ ମହିଳାଙ୍କୁ ହସ୍ପିଟାଲ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ପୁଣି ହେଲିକପ୍ଟର ଚମ୍ବାରୁ ଛାଡ଼ିବା ପରେ କାଙ୍ଗଡ଼ା ବଦଳରେ ସିଧା ଯାଇ ପିଞ୍ଜୋର ପହଞ୍ଚି ଥିଲା। କୁହାଯାଉଛି ଯେ, ଆଇଏଏସ୍ ଅଧିକାରୀ ଦ୍ୱୟ ମଜାମସ୍ତି କରିବା ପାଇଁ ହେଲିକପ୍ଟ ମଗାଇଥିଲେ।
ଏହି ପୂରା ଘଟଣାରେ ହିମାଚଳ ପ୍ରଦେଶର ଅଧିକାରୀ ମଧ୍ୟ ସାମିଲ ଥିବା କୁହାଯାଉଛି। ଅଭିଯୋଗ ଯେ ହରିଆଣାର ୨ ବରିଷ୍ଠ ଅଧିକାରୀ ଚମ୍ବାର ଏଡିସିଙ୍କ ସହିତ ମିଶି ସରକାରୀ ହେଲିକପ୍ଟର ମଗାଇଥିଲେ। ହିମାଚଳ ସରକାର ଏହି ମାମଲାରେ ଚମ୍ବାର ଡିସି ଓ ଏଡିସିଙ୍କ ବିରୋଧରେ ଯାଞ୍ଚ ଆଦେଶ ଦେଇ ପାରନ୍ତି। ହରିଆଣା ସରକାର ଆଇଏଏସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେଇ ପାରନ୍ତି। ରାଜ୍ୟ କ୍ୟାବିନେଟ ଅନିଲ ଭିଜ କହିଛନ୍ତି ଏହି ଘଟଣାର ଯାଞ୍ଚ ହେବ ଯେ, ଅଧିକାରୀମାନେ ହେଲିକପ୍ଟର କାହିଁକି ମଗାଇଥିଲେ।