ଦେଶର ଶ୍ରେଷ୍ଠ ୫ ଜିଲ୍ଲାରେ ଓଡିଶାରୁ ଦୁଇ ! ନୂଆପଡା ଓ କୋରାପୁଟ ଆଣିଲା ଖୁସି ଖବର ।

1,835

କନକ ବ୍ୟୁରୋ : ଭାରତର ଶ୍ରେଷ୍ଠ ଜିଲ୍ଲାମାନଙ୍କ ମଧ୍ୟରେ ଟପ୍ ୫ରେ ରହିଛି ଓଡିଶାର ଦୁଇଟି ଜିଲ୍ଲା । ନୀତି ଆୟୋଗର ଡେଲଟା ର‌୍ୟାଙ୍କିଙ୍ଗ୍ ତାଲିକା ଓଡିଶା ପାଇଁ ଆଣିଦେଇଛି ଖୁସିର ଖବର । ପ୍ରଥମ ୫ଟି ଜିଲ୍ଲା ମଧ୍ୟରେ ଓଡିଶାର ନୂଆପଡା ଓ କୋରାପୁଟ ସ୍ଥାନ ପାଇଛନ୍ତି । ନୀତି ଆୟୋଗ ଆନୁକୂଲ୍ୟରେ ଆଜି ଦ୍ୱିତୀୟ ଡେଲଟା ର‌୍ୟାଙ୍କିଙ୍ଗ୍ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଟପ୍ ୫ରେ ନୂଆପଡା ଏବଂ କୋରାପୁଟ ରହିଛନ୍ତି ।

ଡେଲଟା ର‌୍ୟାଙ୍କିଙ୍ଗର ଏହି ତାଲିକାରେ ନୂଆପଡା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କୋରାପୁଟ ପଞ୍ଚମ ସ୍ଥାନରେ ରହିଛି । ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମରେ ଜୁନରୁ ଅକ୍ଟୋବରରେ ଏହି ସଫଳତା ମିଳିଛି । ଡେଲଟା ର‌୍ୟାଙ୍କିଙ୍ଗରେ ୬ଟି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ନେଇ ତାଲିକା ପ୍ରସ୍ତୁତ ହୋଇଛି । ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା, ଦକ୍ଷତା, ମୌଳିତ ଭିତ୍ତିଭୂମି ଆଧାରରେ ଶ୍ରେଷ୍ଠ ଜିଲ୍ଲାଗୁଡିକର ଚୟନ କରାଯାଇଛି ।

ତେବେ ଏହି ତାଲିକାରେ ତାମିଲନାଡୁର ବିରୁଧୁନଗର ଜିଲ୍ଲା ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ବିବେଚିତ ହୋଇଛି । ଏହି ତାଲିକାରେ ଓଡିଶାର ନୂଆପଡା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ତୃତୀୟ ଏବଂ ବିହାରର ଔରଙ୍ଗାବାଦ ଜିଲ୍ଲା ଚତ୍ରୁ୍ଥ ଏବଂ ଓଡିଶାର କୋରାପୁଟ ଜିଲ୍ଲା ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିଭଳି ଦକ୍ଷତା ବିକାଶ ର‌୍ୟାଙ୍ଗିଙ୍ଗରେ ଓଡିଶାର ରାୟଗଡା ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି । ପଛୁଆ ଜିଲ୍ଲା ମାନଙ୍କର ତ୍ୱରିତ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁଯାୟୀ, ଜୁନ ମାସ ୨୦୧୮ରୁ ସର୍ଭେ ଆରମ୍ଭ କରାଯାଇଥିଲା ।