କେନ୍ଦ୍ରାପଡାରେ ଅଘଟଣ ! ମାଛ ଧରିବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ମାଛଧରାଳିଙ୍କ ମୃତ୍ୟୁ

56

କନକ ବ୍ୟୁରୋ : ପୋଖରୀରେ ମାଛ ଧରିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମାଛ ଧରାଳିଙ୍କ ମୃତ୍ୟୁ । କେନ୍ଦ୍ରପଡା ଜିଲ୍ଲା ପୁରୋଷୋତ୍ତମପୁର ବରହମପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ପୋଖରିରୁ ମାଛ ଚୋରିକୁ ରୋକିବା ପାଇଁ ଚାରି ପାଶ୍ୱର୍ରେ କରେଂଟ ଚାର୍ଜ କରିଥିଲେ ନିଲାମଧାରୀ ମଂଟୁ ପାଣି । ସକାଳୁ ସକାଳୁ ମଂଟୁଙ୍କ ଉପସ୍ଥିତିରେ ପୋଖରିରେ ମାଛ ଧରାଳି ମାଛ ଧରିବାକୁ ପଶିବା ପୂର୍ବରୁ ବିଦ୍ୟୁତ୍ ସଂଯୋଗ କାଟିବାକୁ ଭୁଲିଯାଇଥିଲେ । ଆଉ ପୋଖରିରେ ପଶୁପଶୁ ୨ ମାଛଧରାଳିଙ୍କ ଜୀବନ ଯାଇଥିଲା । ମୃତକ ମାନେ ସେହିଗ୍ରାମର ଅମରେନ୍ଦ୍ର ପ୍ରଧାନ ଓ ଅରଖିଆ ଗ୍ରାମର ଗୋକୁଳ ଦଳେଇ ବୋଲି ଜଣାପଡିଛି । ଗ୍ରାମବାସୀ ମୃତଦେହକୁ ଉଦ୍ଧାର କରିବା ସହ ନିଲାମଧାରୀକୁ ଅଟକ ରଖିଛନ୍ତିି ।

ସୂଚନାଯୋଗ୍ୟ ଉକ୍ତ ପୋଖରୀରେ ମାଛ ଚାଷ କରିବାକୁ ଆଠ ଦଶ କିଲୋମିଟର ଦୂର ଅଙ୍ଗୁଳାଇ ଗାଁ’ର ମଣ୍ଟୁ ପାଣି ଲିଜ୍ ନେଇ ଥିଲେ। କାଳେ ମାଛ ଚୋରି ହୋଇଯିବ ସେଥିପାଇଁ ସେ ପ୍ରତି ସନ୍ଧ୍ୟାରେ ଆସି ପୋଖରୀଠୁ ୨୦୦ ମିଟର୍ ଦୂରରେ ଅବସ୍ଥିତ ତପନ ରାଉତଙ୍କ ଘରୁ ଏକ ଜି. ଆଇ. ତାର ଟାଣି ପୋଖରୀରେ ପକାଇ ତା’ ମଧ୍ୟକୁ ବିଜୁଳି ପ୍ରବାହ କରାଉଥିଲେ ଓ ସକାଳେ ଆସି ବିଜୁଳି ସଂଯୋଗ କାଟି ଦେଉଥିଲେ। ଦୁର୍ୟୋଗକୁ ଆଜି ତାହା କରି ନ ଥିଲେ।ମାଛ ମାରିବାକୁ ଆଜି ସକାଳେ ଚାରି ପାଞ୍ଚଜଣ ଆସିଥିଲେ। ପ୍ରଥମେ ଦୁଇ ଜଣ ପୋଖରୀରେ ପଶିବା ମାତ୍ରେ ବିଜୁଳି ଆଘାତ ପାଇ ମରିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ପୋଖରୀରେ ଅନ୍ୟ ଜଣେ ପଶୁଥିବାବେଳେ ବିଜୁଳି ଆଘାତ ପାଇ ଥିଲେ ମଧ୍ୟ ଆହତ ହୋଇ ବଞ୍ଚି ଯାଇଛନ୍ତି।ଏବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚିଛି। ଉତ୍ତ୍ୟକ୍ତ ଲୋକେ ମଣ୍ଟୁ ପାଣିଙ୍କୁ ଏକ ଘରେ ପୂରାଇ ଅଟକ ରଖିଛନ୍ତି।