ତାମିଲନାଡୁରେ ‘ଭର୍ଦ୍ଦା’ର ତାଣ୍ଡବ! ଗଲାଣି ୨ ଜଣଙ୍କ ଜୀବନ

29

କନକ ବ୍ୟୁରୋ : ତାମିଲନାଡୁରେ ବାତ୍ୟାରେ ତାଣ୍ଡବ । ବାତ୍ୟା ଭର୍ଦ୍ଦାରେ ଗଲାଣି ୨ ଜଣଙ୍କ ଜୀବନ । ଉତ୍ତର ଚେନ୍ନାଇ ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁଛି ଭର୍ଦ୍ଦା । ଘୁର୍ଣ୍ଣିଝଡ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି । ବାତ୍ୟାରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ବିଶେଷ ଭାବେ ପ୍ରଭାବିତ ହୋଇଛି । ଘଂଟାପ୍ରତି ୧୧୦ ରୁ ୧୨୦ର କିଲୋମିଟର ବେଗରେ ପବନ ବହୁଥିବା ଭାରତୀୟ ପାଣିପାଗ କହିଛି । ଉପକୂଳବର୍ତ୍ତୀ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଆନ୍ଧ୍ର ନେଲୋରରୁ ୯ ,୫୦୦ ଲୋକ ସ୍ଥାନାନ୍ତର କରାଯାଇଛି । ସେହିପରି ଚେନ୍ନାଇ ଓ ଅନ୍ୟ ୩ଟି ଜିଲ୍ଳାରୁ ୪ ହଜାର ୬୨୨ ପ୍ରଭାବିତ ସ୍ଥାନାନ୍ତର କରାଯାଇଛି । ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବାତ୍ୟାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଚେନ୍ନାଇ ବିମାନ ବନ୍ଦରରେ ଉଡାଣ ବାତିଲ କରାଯାଇଛି । ଏହା ସହ ପାଖାପାଖି ୧୭ଟି ଟ୍ରେନ ବାତିଲ କରାଯାଇଛି ।

ଭର୍ଦ୍ଦାର ମୁକାବିଲା ପାଇଁ ୬ଟି ଏନଡିଆରଏଫ ଓ ତାମିଲନାଡୁରେ ୭ଟି ଏନଡିଆରଏଫ ଟିମ ସଜାଗ ରହିଛନ୍ତି । ଏଥିସହ ନୌସେନାର ୨ଟି ଜାହାଜ ଉଦ୍ଧାର କାର୍ଯ୍ୟ ପାଇଁ ସଜାଗ ରହିଛନ୍ତି ।

ଭାରତୀୟ ବାୟୁସେନାକୁ ମଧ୍ୟ ସତର୍କ କରିଦିଆଯିବା ସହ ହାଇଆଲର୍ଟ ଜାରି କରାଯାଇଛି । ସେହିପରି ସମୁଦ୍ର ଅଶାନ୍ତ ରହୁଥିବାରୁ ତାମିଲନାଡୁରେ ମତ୍ସ୍ୟଜିବୀମାନଙ୍କୁ ଆଗାମୀ ୪୮ ଘଂଟା ଯାଏଁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ତାମିଲନାଡୁରେ ଆଜି ଛୁଟି ଘୋଷଣା କରାଯାଇଛି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ମହଜୁଦ୍ ରଖିବାକୁ ନିର୍ଦେଶ ଦେଇଛନ୍ତି । ବିଶେଷ କରି ଆନ୍ଧ୍ରପ୍ରଦେଶର ନେଲୋରଠାରୁ ମ଼ଛଲିପଟନମ ପର୍ଯ୍ୟନ୍ତ ତଟବର୍ତୀ ଅଂଚଳରେ ସତର୍କ ଦୃଷ୍ଟି ରଖାଯାଇଛି । ବାତ୍ୟା ଭର୍ଦ୍ଦା ଉପକୂଳରେ ପହଂଚିବା ବେଳକୁ ସାମାନ୍ୟ ଦୁର୍ବଳ ହେବ ବୋଲି ମଧ୍ୟ ପୂର୍ବାନୁମାନ କରିଛି ଆଇଏମଡି ।