ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ବଜ୍ରପାତ । ଚାଲିଗଲା ୨ ଯୁବକଙ୍କ ଜୀବନ, ୬ ଗୁରୁତର ।

262

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧବାର ବଜ୍ରପାତ ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏଥି ସହିତ ୪ ଗାଈ ଓ ବଳଦ ଏବଂ ୩ ଛେଳିର ମଧ୍ୟ ମୃତ୍ୟୁ ଘଟିଛି । ଆହତମାନଙ୍କୁ ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଲହୁଣିପଡ଼ା ଥାନା ଅନ୍ତର୍ଗତ ଲୁଥୁର୍ବା ଗ୍ରାମର ଅନାମ କିସାନ (୧୮) ବ୍ରାହ୍ମଣୀ ନଦୀରୁ ଗାଧୋଇ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସେହିପରି ବଣାଇଁ ବ୍ଲକ ଅନ୍ତର୍ଗତ ଶିହିଡିଆ ଗ୍ରାମରେ ବଜ୍ରପାତ ଘଟି ଜଣେ ଗୁରୁତର ଓ ୫ ଜଣ ଆହତ ହୋଇ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗ୍ରାମର ଗଣତସାହି ପଡ଼ିଆରେ ଗାଈଗୋରୁ ଓ ଛେଳି ଚରୁଥିବା ବେଳେ ବଜ୍ରପାତ ହୋଇଥିଲା । ଏଥିରେ କେଶବ କୁଅଁର (୪୦) ଗୁରୁତର ହୋଇଥିବା ବେଳେ କମଳା କୁଅଁର, ପୂର୍ଣ୍ଣ କୁଅଁର, ପ୍ରଫୁଲ କୁଅଁର, ଦିବାକର କୁଅଁର ଓ ରିତେଶ ଭୋଇ ଆହତ ହୋଇଥିଲେ । ଏଥିସହ ବଜ୍ରପାତରେ ୪ ଗାଈ ଓ ବଳଦ ଏବଂ ୩ ଛେଳିଙ୍କ ମୃତ୍ୟୁ ଘଟିଛି ।