ଜାପାନରେ ଟ୍ରାମି ଆତଙ୍କ ! ଭୟଙ୍କର ଝଡ଼ବାତ୍ୟା ଟ୍ରାମି ଘଟାଇଲା ବ୍ୟାପକ କ୍ଷୟକ୍ଷତି, ବ୍ୟାହତ ହେଲା ଟ୍ରେନ ଓ ବିମାନ ସେବା ।

50

କନକ ବ୍ୟୁରୋ : ଜାପାନରେ ଟ୍ରାମି ଆତଙ୍କ । ଭୟଙ୍କର ଝଡ଼ବାତ୍ୟା ଟ୍ରାମି ଜାପାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୧୨୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇଛନ୍ତି । ପଶ୍ଚିମ ଜାପାନ ଝଡ଼ବାତ୍ୟା ଯୋଗୁଁ ବ୍ୟାପକ ପ୍ରଭାବିତ ହୋଇଛି । ୨୧୬ କିଲୋମିଟର ବେଗରେ ପବନ ବହିଥିବା ବେଳେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ସେହିପରି ଝଡ଼ କାରଣରୁ ଟ୍ରେନ ଓ ବିମାନ ସେବା ମଧ୍ୟ ବ୍ୟାହତ ହୋଇଛି ।

ମାସକ ମଧ୍ୟରେ ଜେବି ଝଡ଼ବାତ୍ୟା ଜାପାନର ଭୟଙ୍କର କ୍ଷତି ଘଟାଇଥିଲା ଆଉ ମାସେ ନପୁରୁଣୁ ଏବେ ଟ୍ରାମି ଝଡ଼ବାତ୍ୟା ଜାପାନକୁ ଦୋହଲାଇ ଦେଇଛି । ସେପଟେ ଜାପାନ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ସେପଟେ ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ତୀବ୍ର ବେଗରେ ପବନ ବହିବା ସହ ଭାରି ବର୍ଷାର ପୂର୍ବାନୁମାନ କରା ଯାଇଛି । ପଶ୍ଚିମ ଜାପାନରୁ ଏହା ମୁଖ୍ୟ ଭୂଭାଗ ଆଡ଼କୁ ଗତି କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସୂଚନା ମୁତାବକ ପ୍ରାୟ ସାଢ଼େ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେପଟେ ଲୋକଙ୍କୁ ଘରୁ ନବାହାରିବାକୁ ସତର୍କ କରିଛନ୍ତି ଜାପାନ ସରକାର ।